Advertisment

ରାମନବମୀ ରାଲିରେ ବିବାଦୀୟ ବୟାନ ପାଇଁ ନିଲମ୍ବିତ ବିଜେପି ବିଧାୟକଙ୍କ ନାଁରେ ମାମଲା

ହିନ୍ଦୁ ରାଷ୍ଟ୍ରର ରାଜଧାନୀ ଦିଲ୍ଲୀ ରହିବ ନାହିଁ। ସନ୍ଥମାନେ କାଶୀ, ମଥୁରା ଓ ଅଯୋଧ୍ୟା ଭିତରକୁ ଗୋଟିଏକୁ ବାଛିବା କାମରେ ଲାଗିଛନ୍ତି।

author-image
Hemant Lenka
T Raja Singh

T Raja Singh

ହାଇଦ୍ରାବାଦରେ ଆୟୋଜିତ ରାମନବମୀ ରାଲିରେ ଅତ୍ୟନ୍ତ ବିବାଦୀୟ ତଥା ଆପତ୍ତିଜନକ ବୟାନ ଦେଇଥିବା ବିଜେପିର ନିଲମ୍ବିତ ବିଧାୟକ ଟି ରାଜା ସିଂହଙ୍କ ନାଁରେ ମାମଲା କରିଛି ପୁଲିସ୍‌। ଅଫଜଲଗୁଞ୍ଜ ପୁଲିସ୍‌ ଟି ରାଜାଙ୍କ ନାଁରେ ଆଇପିସିର ଧାରା ୧୫୩-ଏ ଓ ୫୦୬ରେ ମାମଲା ପଞ୍ଜୀକରଣ କରିଛି। ସେ ନିଜ ବୟାନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଆକ୍ଷେପ କରିଥିଲେ। ଏଥିସହ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଉସକାଇଥିବା ଅଭିଯୋଗ ହୋଇଛି।

Advertisment

ଅଫଜଲଗୁଞ୍ଜ ପୁଲିସ୍‌ ଷ୍ଟେସନର ଏସ୍‌ଆଇ ଜେ ବୀର ବାବୁ ପ୍ରଥମେ ଟି ରାଜାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଏସ୍‌ଏ ବଜାର ଅଞ୍ଚଳରେ ରାମନବମୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ନିଲମ୍ବିତ ବିଜେପି ବିଧାୟକ ଟି ରାଜା ଭାଷଣ ଦେବାର ଥିଲା। ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟି ରାଜା ବିବାଦୀୟ ଭାଷଣ ଦେବାର ଆଶଙ୍କା ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏସ୍‌ଆଇ ଜେ ବୀରଙ୍କୁ ଦାୟିତ୍ୱ ମିଳିଥିଲା।

ତେବେ ଆଶଙ୍କା ଯାହା କରାଯାଉଥିଲା ଠିକ ସେଇଆ ହେଲା। ରାଲିରେ ଭାଷଣ ଦେବା ବେଳେ ସେ ବିବାଦୀୟ ଶବ୍ଦ ସବୁ ପ୍ରୟୋଗ କରିଥିଲେ। ତାଙ୍କ ଘୃଣା ସୃଷ୍ଟିକାରୀ ଭାଷଣ କନଷ୍ଟେବଲ କୀର୍ତ୍ତି କୁମାର ନିଜ ପାଖରେ ରଖିଥିବା ଭିଡିଓ ରେକର୍ଡିଂ କରିଛନ୍ତି। ରାମନବମୀ ରାଲି ଶଙ୍କେର ଶେର ହୋଟେଲ ଅତିକ୍ରମ କରୁଥିବା ବେଳେ ସେ ବିବାଦୀୟ ବୟାନ ଦେଇଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ଆଇ ଜେ ବାବୁ କହିଛନ୍ତି।

Advertisment

ଅଭିଯୋଗ ମିଳିବା ପରେ ଏସଏଚ୍‌ଓ ରବୀନ୍ଦ୍ର ରେଡ୍ଡୀ ଘଟଣାର ତଦନ୍ତ ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଟି ରାଜା ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଜଣାପଡ଼ିଛି। ତେଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। 

ଟି ରାଜାଙ୍କ ଶୋଭାଯାତ୍ରା ରାତି ୯ଟା ବେଳେ ଏସଏ ବଜାର ନିକଟରେ ପହଞ୍ଚିଥିଲା। ଏହି ସମୟରେ ହାତୀ ଉପରେ ବସିଥିବା ରାଜନେତା ଜଣଙ୍କ ହିନ୍ଦୀରେ ଭାଷଣ ଦେଉଥିଲେ। ସେ ନିଜ କଥାକୁ ଆଗକୁ ନେଇ କହିଥିଲେ ଯେ “ଯଦି ଭାରତ ହିନ୍ଦୁ ରାଷ୍ଟ୍ର ହୋଇଯିବ, ତା’ହେଲେ ଯେଉଁମାନେ ଆମେ ଦୁଇ ଓ ଆମର ଦୁଇ ନୀତିରେ ବିଶ୍ୱାସ କରନ୍ତି, ସେମାନଙ୍କୁ କେବଳ ଭୋଟ ଦେବାକୁ ଅଧିକାର ମିଳିବ। ଯେଉଁମାନେ ଆମେ ୫ ଓ ଆମର ୫୦ ନୀତିରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବ ନାହିଁ।

ଆମ ସନ୍ଥମାନେ ହିନ୍ଦୁ ରାଷ୍ଟ୍ର କେମିତି ଦେଖାଯିବ, ତା’ର ଛବି ଆଙ୍କିବା ଆରମ୍ଭ କଲେଣି। ଏହାର ସମ୍ବିଧାନ ମଧ୍ୟ ପୁଣି ଲେଖାଯିବ। ହିନ୍ଦୁ ରାଷ୍ଟ୍ରର ରାଜଧାନୀ ଦିଲ୍ଲୀ ରହିବ ନାହିଁ। ସନ୍ଥମାନେ କାଶୀ, ମଥୁରା ଓ ଅଯୋଧ୍ୟା ଭିତରକୁ ଗୋଟିଏକୁ ବାଛିବା କାମରେ ଲାଗିଛନ୍ତି। ହିନ୍ଦୁ ରାଷ୍ଟ୍ରରେ ଚାଷୀମାନେ ଟିକସ ମୁକ୍ତ ରହିବେ। ହିନ୍ଦୁ ରାଷ୍ଟ୍ରରେ କଂସେଇ ଖାନା କିମ୍ବାର ଧର୍ମାନ୍ତରୀକରଣ ହେବ ନାହିଁ।”

ଏହାପୂର୍ବରୁ ମୁମ୍ବାଇ ପୁଲିସ୍‌ ଟି ରାଜାଙ୍କ ନାଁରେ ବିବାଦୀୟ ବୟାନ ପାଇଁ ମାମଲା କରିଥିଲା।

Bjp Hyderabad