Advertisment

ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖକୁ ଗଲା ବିଜେପି

ସୋନିଆ କର୍ଣ୍ଣାଟକା ବିଧାନସଭା ନିର୍ବାଚନର ପ୍ରଚାର ବେଳେ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

author-image
Hemant Lenka
Sonia Gandhi

Sonia Gandhi

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ସବୁ ଦଳ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏସବୁ ଭିତରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

Advertisment

ସୋନିଆ କର୍ଣ୍ଣାଟକା ବିଧାନସଭା ନିର୍ବାଚନର ପ୍ରଚାର ବେଳେ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। କର୍ଣ୍ଣାଟକାରେ ପ୍ରଚାର ବେଳେ ସୋନିଆ ଜାଣିଶୁଣି ସାର୍ବଭୌମତ୍ୱ ଶବ୍ଦର ବ୍ୟବହାର କରିଥିଲେ। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଡାକୁ ପ୍ରଦର୍ଶନ କରିଛନ୍ତି। ଭାରତକୁ ଦୁର୍ବଳ କରିବାକୁ ସେ ଏପରି ଶବ୍ଦର ବ୍ୟବହାର କରିଥିବା ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି।

Advertisment

ଭୂପେନ୍ଦ୍ର ଯାଦବ ଆହୁରି କହିଛନ୍ତି, କଂଗ୍ରେସ ମିଥ୍ୟାର ଆଶ୍ରୟ ନେଇ କର୍ଣ୍ଣାଟକାରେ ପ୍ରଚାର କରୁଛି। ଭାରତର ଏକତା ଓ ଅଖଣ୍ଡତା ପାଇଁ ଯେଉଁ ସବୁ ଶବ୍ଦର ବ୍ୟବହାର କରିବା କଥା ନୁହେଁ, କଂଗ୍ରେସ ସେସବୁର ବ୍ୟବହାର କରୁଛି। ଏହା ବିରୋଧରେ ନିର୍ବାଚନ କମିଶନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କଂଗ୍ରେସ ବିଜ୍ଞାପନ ଜରିଆରେ ଯେଉଁ ସବୁ ମିଥ୍ୟା ଅଭିଯୋଗ ବିଜେପି ବିରୋଧରେ ଆଣୁଛି, ସେ ସମ୍ପର୍କରେ ମଧ୍ୟ କମିଶନରଙ୍କୁ ଅବଗତ କରାଯାଇଛି।

ନିର୍ବାଚନ କମିଶନକୁ ଦେଶର ଗଣତନ୍ତ୍ର ଓ ଦେଶର ଅଖଣ୍ଡତାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ମିଳିଛି। ତେଣୁ କଂଗ୍ରେସର ଦେଶ ବିରୋଧୀ କାମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ବିଜେପି କହିଛସି ଯେ କର୍ଣ୍ଣାଟକା ହେଉଛି ଭାରତ ସଂଘ ବା ଇଣ୍ଡିଆନ ଫେଡରେସନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ରାଜ୍ୟ। ଏହି ସଦସ୍ୟ ରାଜ୍ୟର ସାର୍ବଭୌମତ୍ୱର ରକ୍ଷା କରିବା ପାଇଁ ଯେକୌଣସି ଆହ୍ୱାନ ବିଚ୍ଛିନ୍ନତାବାଦୀ ଦେଉଥିବା ଆହ୍ୱାନ ସହ ସମାନ। ଏହା ଅତ୍ୟନ୍ତ ଘାତ ପରିଣାମ ମଧ୍ୟ ସୃଷ୍ଟି କରିପାରେ।”

ଶନିବାର ସୋନିଆ ଗାନ୍ଧି ପ୍ରଥମଥର ପାଇଁ ହୁବ୍ବଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେ ଏହି ସମୟରେ ଦେଇଥିବା ଭାଷଣକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଥିଲା। ସୋନିଆ ତାଙ୍କ ଭାଷଣରେ କହିଥିବା କଥାକୁ କଂଗ୍ରେସ ପକ୍ଷରୁ ଉଲ୍ଲେଖ କରାଯାଇଥିଲା।

ଏଥିରେ “ସୋନିଆ ୬.୫ କୋଟି କର୍ଣ୍ଣାଟକାବାସୀକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇ କହିଥିଲେ ଯେ କଂଗ୍ରେସ କେବେ ହେଲେ କର୍ଣ୍ଣାଟକାର ପ୍ରତିଷ୍ଠା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବିପଦ ସୃଷ୍ଟି କରିବା ପାଇଁ କାହାକୁ ଅନୁମତି ଦେବ ନାହିଁ।”

Bjp Congress Karnataka Sonia Gandhi Election Commission Chief Election Commission Karnataka Polls 2023 Karnataka Assembly Election