Advertisment

ରାହୁଲଙ୍କୁ ଟାର୍ଗେଟ କଲା ବିଜେପି, କହିଲା- ସଂସଦରେ କ୍ଷମା ମାଗନ୍ତୁ, ରଦ୍ଦ ହେଉ ସଦସ୍ୟ ପଦ

ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ବି ଚେତାବନୀ ଦେଇଛି ବିଜେପି। ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି।

author-image
Niharika Rout
Rahul Gandhi

Rahul Gandhi

ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବୟାନକୁ ନେଇ ବିବାଦ ଥମିବା ନାଁ ଧରୁନି। ରାହୁଲ ଗାନ୍ଧି ଭାରତର ଗଣତନ୍ତ୍ର ତଥା ସଂସଦ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବାରୁ ଏଥିନିମନ୍ତେ ସେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଜିଦ୍‌ ଧରିଛି ବିଜେପି। ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ବି ଚେତାବନୀ ଦେଇଛି ବିଜେପି। ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି।

Advertisment

ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରିବାକୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ନିମନ୍ତେ ଦାବି ଉଠାଇଛନ୍ତି ନିଶିକାନ୍ତ ଦୁବେ । ବିଜେପି ସାଂସଦ ଦୁବେ କହିଛନ୍ତି ଯେ, ୨୦୦୫ ମସିହାରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହାଦ୍ୱାରା ସଂସଦର ସମ୍ମାନକୁ ଆଘାତ କରାଯାଇଥିବା ଅଭିଯୋଗ ହେବା ପରେ ଏହି କମିଟି ଗଠିତ ହୋଇଥିଲା । ଉକ୍ତ କମିଟି ୧୧ ଜଣଙ୍କ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିଦେଇଥିଲା, ଯାହା ଯଥାର୍ଥ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଥିଲେ।

ରାହୁଲ ଗାନ୍ଧୀ କ୍ରମାଗତ ଭାବେ ୟୁରୋପ ଏବଂ ଆମେରିକାକୁ ଆହ୍ୱାନ କରି ସଂସଦ ଏବଂ ଦେଶର ସମ୍ମାନ ଓ ଛବିକୁ ଖରାପ କରୁଛନ୍ତି । ସେଥିପାଇଁ ତାଙ୍କୁ ସଂସଦରୁ ହଟାଇବାକୁ ସମୟ ଆସିଛି ବୋଲି କହିଛନ୍ତି ଦୁବେ।

Advertisment

ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ସଂସଦ ଗୃହରେ ୮ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ଦିନରେ ରାହୁଲଙ୍କ ଏପରି ମନ୍ତବ୍ୟ ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା।

ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରୁଛି ବିଜେପି। ଗତ ୪ ଦିନ ଧରି ବିଜେପିର ଜଣେ ଲେଖାଏଁ କ୍ୟାବିନେଟ ମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରେସ କନଫରେନ୍ସ କରୁଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିବେ ବୋଲି ଜଣାଯାଇଛି।

କେବଳ ସେତିକି ନୁହେଁ, ସଂସଦ ଭିତରେ ଶୃଙ୍ଖଳାଭଙ୍ଗ କରୁଥିବା କଂଗ୍ରେସ ସାଂସଦଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଯେଉଁମାନେ ସଂସଦରେ ପ୍ଲାକାର୍ଡ ହଲାଇ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ସସପେଣ୍ଡ କରିବାକୁ ବିଜେପିର ୨ ବରିଷ୍ଠ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପିୟୂଷ ଗୋଏଲ ଦାବି ଜଣାଇଛନ୍ତି।

ଅପରପକ୍ଷେ, ଲଣ୍ଡନରେ ଦେଇଥିବା ଭାଷଣ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଗୁରୁବାର କହିଛନ୍ତି ଯେ ମୋ ଭାଷଣରେ ଏପରି କିଛି ନାହିଁ ଯେଉଁଥିପାଇଁ ବିଜେପି ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି। ଲଣ୍ଡନରେ ଦିଆଯାଇଥିବା ଭାଷଣ ପ୍ରସଙ୍ଗରେ ସେ ସଂସଦରେ ବିସ୍ତୃତ ଉତ୍ତର ଦେବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ମୁଁ ଜଣେ ସାଂସଦ ଏବଂ ସଂସଦ ହେଉଛି ମୋର ପ୍ଲାଟଫର୍ମ ବୋଲି କହିଛନ୍ତି ରାହୁଲ ।

ସୂଚନାଯୋଗ୍ୟ, ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ କହିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରୁଛି ବିଜେପି। ବିଦେଶ ମାଟିରେ ରାହୁଲ ଭାରତକୁ ଅପମାନିତ କରିଛନ୍ତି। ସେ ବିଦେଶ ରାଷ୍ଟ୍ରଗୁଡ଼ିକୁ ଦେଶରେ ହସ୍ତକ୍ଷେପ କରିବାକୁ କହି ସବୁ ମର୍ଯ୍ୟାଦାକୁ ଭୁଲି ଯାଇଥିବା ବିଜେପି କହିଛି।

Congress Rahul Gandhi Bjp Politics