Advertisment

ଶାହଙ୍କୁ ଟାର୍ଗେଟ୍‌, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି

ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍‌ ଗଣତି ହେବ।

author-image
Madhupriya Mistry
Amit Shah and Kejriwal

Amit Shah and Kejriwal

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ମାସରେ ପଡିବ ଭୋଟ୍। ଏଥିପାଇଁ ସବୁ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଦିଲ୍ଲୀର ବସ୍ତି ଅଞ୍ଚଳରେ ପ୍ରାୟ ୨୦ ଲକ୍ଷ ଭୋଟର ରୁହନ୍ତି, ଯାହାକୁ ଆମ୍‌ ଆଦମୀ ପାର୍ଟିର କୋର୍‌ ଭୋଟର୍‌ ବୋଲି କୁହାଯାଏ। ଏବେ ବସ୍ତି ଭୋଟର୍‌ଙ୍କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଆମ୍‌ ଆଦମୀ ପାର୍ଟି ଓ ବିଜେପି। 

Advertisment

ବିଜେପି ସତ୍ତାକୁ ଆସିଲେ ଦିଲ୍ଲୀ ସମସ୍ତ ବସ୍ତି ଅଞ୍ଚଳ ଧ୍ୱଂସ ହୋଇଯିବ। ସମସ୍ତ ବସ୍ତିକୁ ଭାଙ୍ଗି ଦେବ ବିଜେପି। ଏଭଳି କିଛି ଦାବି କରିଛନ୍ତି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏଠାରେ ଥିବା ଶକୁର ବସ୍ତି ଅଞ୍ଚଳରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କୁ ବସ୍ତି ବାସିନ୍ଦାଙ୍କ କଲ୍ୟାଣ ପରିବର୍ତ୍ତେ ଜମି ଅଧିଗ୍ରହଣକୁ ପ୍ରାଥମିକତା ଦେଇଥିବାର ଅଭିଯୋଗ କରିଛନ୍ତି।

ବିଜେପିକୁ ଟାର୍ଗେଟ୍‌ କରି କେଜ୍ରିଓ୍ୱାଲ ଆହୁରି କହିଛନ୍ତି, ସେମାନେ ପ୍ରଥମେ ଆପଣଙ୍କ ଭୋଟ ଚାହିଁବେ, ଆଉ ନିର୍ବାଚନ ପରେ ଆପଣଙ୍କ ଜମି। ବିଜେପିର 'ଯେଉଁଠାରେ ବସ୍ତି ସେଠାରେ ଘର' ଯୋଜନାକୁ ସମାଲୋଚନା କରି ଏହାକୁ କେବଳ ଏକ ଦେଖାଣିଆ ବୋଲି କହିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ବସ୍ତି ବାସିନ୍ଦାଙ୍କ ପାଇଁ ମାତ୍ର ୪,୭୦୦ ଫ୍ଲାଟ ନିର୍ମାଣ କରିଛି। ବସ୍ତି ବାସିନ୍ଦାଙ୍କ ବାସଗୃହର ଆବଶ୍ୟକତାକୁ ପୂରଣ ନକରି ଜମି ଅଧିଗ୍ରହଣ କରିବାକୁ ବିଜେପି ଯୋଜନା କରିଛି ବୋଲି କେଜ୍ରିଓ୍ୱାଲ ଅଭିଯୋଗ କରିଛନ୍ତି।

Advertisment

ଏହାପୂର୍ବରୁ ଶନିବାର ଦିଲ୍ଳୀରେ ଚାଲିଥିବା ବସ୍ତି ମୁଖ୍ୟ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ଯେ, ଦିଲ୍ଲୀର ବସ୍ତି ବାସିନ୍ଦା ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ପ୍ରତିଶ୍ରୁତି ପାଇଁ ଉତ୍ତର ଦେବାକୁ ଯାଉଛନ୍ତି। ଫେବୃଆରୀ ୫ କୁ "ବିପର୍ଯ୍ୟୟରୁ ମୁକ୍ତି ଦିବସ" ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ଏହି ଦିନ ଦିଲ୍ଲୀ ଦୁର୍ନୀତିରୁ ମୁକ୍ତ ହେବ।

ଆପ୍‌ ସରକାର ଦିଲ୍ଲୀକୁ ନର୍କରେ ପରିଣତ କରିସାରିଲାଣି। ଯେଉଁମାନେ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି କ୍ଷମତାକୁ ଆସିଥିଲେ ସେମାନେ ବର୍ତ୍ତମାନ ଏତେ ଦୁର୍ନୀତିଗ୍ରସ୍ତ ହୋଇଛନ୍ତି। ସେମାନେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଗତ ୧୦ ବର୍ଷ ଧରି ଦିଲ୍ଲୀ ସରକାର ସଙ୍କଟ ଦେଇ ଗତି କରୁଥିବାବେଳେ ସମଗ୍ର ଦେଶରେ ବିକାଶ ଘଟିଛି, କିନ୍ତୁ ଦିଲ୍ଲୀ ଗୋଟିଏ ସ୍ଥାନରେ ଅଟକି ଯାଇଛି ବୋଲି ଶାହ କହିଥିଲେ।

କହିରଖୁ ଯେ, ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍‌ ଗଣତି ହେବ।

Arvind Kejriwal Amit Shah Delhi Assembly Election