/odisha-reporter/media/media_files/2026/02/07/mumbai-2026-02-07-13-34-11.jpg)
ମେୟର ହେବାକୁ ଯାଉଥିବା ରିତୁ ତାୱଡେ
ବିଜେପିର ରିତୁ ତାୱଡେ ହେବେ ମୁମ୍ବାଇ(Mumbai)ର ମେୟର। ଦୀର୍ଘ ୨୫ ବର୍ଷ ମଧ୍ୟରେ ପ୍ରଥମଥର ମୁମ୍ବାଇ ମେୟର ଭାବେ ଦାୟିତ୍ୱ ନେବେ ଜଣେ ଅଣ ଶିବସେନା ନେତା। କାରଣ ଦୀର୍ଘ ୨୫ ବର୍ଷ ହେଲା ଶିବସେନା ମୁମ୍ବାଇ ମେୟର ପଦ ନିଜ ପାଖରେ ରଖି ଆସିଥିଲା।
ବିଜେପି ନେତ୍ରୀ ରିତୁ ତାୱଡେ ହେଉଛନ୍ତି ଘାଟକୋପାର କର୍ପୋରେଟର। ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି)ରେ ସେ ଶିକ୍ଷା କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କୁ ମେୟର ପଦ ପାଇଁ ଚୟନ କରାଯାଇଛି।
ବିଜେପିର ରିତୁ ମେୟର ହେବାକୁ ଯାଉଥିବା ବେଳେ ତାଙ୍କ ଡେପୁଟ ଭାବେ କାମ କରିବେ ଶିବସେନାର ସଞ୍ଜୟ ଶଙ୍କର ଘାଡି। ଜାନୁଆରୀ ୧୫ରେ ଅନୁଷ୍ଠିତ ବିଏମସି ନିର୍ବାଚନରେ ସଞ୍ଜୟ ଶଙ୍କର ୱାର୍ଡ ନମ୍ବର ୧୫ରୁ ବିଜୟୀ ହୋଇଥିଲେ। ପୂର୍ବରୁ ମଧ୍ୟ ବିଏମସିର ଡେପୁଟି ମେୟର ଭାବେ ସଞ୍ଜୟ ୧୫ ମାସ କାମ କରିଥିଲେ।
ଏଥର ସଞ୍ଜୟଙ୍କ କାର୍ଯ୍ୟକାଳ ୧.୨୫ ବର୍ଷ ରହିବ। କାରଣ ଏକନାଥ ସିନ୍ଦେଙ୍କ ଶିବସେନା ପୂରା ୫ ବର୍ଷରେ ୪ ଜଣ କର୍ପୋରେଟରଙ୍କୁ ଡେପୁଟି ମେୟର କରିବ ବୋଲି ନିଷ୍ପତ୍ତି ନେଇଛି। ଏହିକ୍ରମରେ ସଞ୍ଜୟ ପ୍ରଥମେ ଡେପୁଟି ମେୟର ହେବେ।
୨୨୭ ଆସନ ବିଶିଷ୍ଟ ବିଏମସିରେ ବିଜେପି ସର୍ବାଧିକ ୮୯ଟି ଆସନ ଜିତିଛି। ସହଯୋଗୀ ଶିବସେନା ୨୯ଟି ବାଜିମାତ କରିଥିଲା। ଦୁଇ ଦଳ ମିଳିତ ଭାବେ ୧୧୮ ଆସନ ଜିତିଛନ୍ତି। ମେୟର ପଦ ହାତେଇବା ପାଇଁ ୧୧୪ ଜଣ କର୍ପୋରେଟରଙ୍କ ସମର୍ଥନ ଆବଶ୍ୟକ।
ବିଜେପି ସର୍ବାଧିକ ଆସନ ଜିତିଥିବାରୁ ମେୟର ପଦ ନିଜ ପାଖରେ ରଖିଛି। ହେଲେ ୧୯୯୭ରୁ ଶିବସେନା ନିଜ ପାଖରେ ରଖୁଥିବା ମେୟର ପଦକୁ ଏଥର ହରାଇଛି। ଉଦ୍ଧବ ଠାକରେଙ୍କ ଶିବସେନା ଜାନୁଆରୀ ୧୫ ବିଏମସି ନିର୍ବାଚନରେ ୬୫ଟି ଆସନ ଜିତିଥିବା ବେଳେ ସହଯୋଗୁ ନବ ନିର୍ମାଣ ସେନା ଓ ଏନସିପି(ଶରଦ ପାୱାର) ଯଥାକ୍ରମେ ୬ଟି ଓ ଗୋଟିଏ ଆସନ ଜିତିଥିଲେ। ଏହାବାଦ କଂଗ୍ରେସ ୨୪ଟି, ଏଆଇଏମଆଇଏମ ୮ଟି, ଏନସିପି(ଅଜିତ ପାୱାର) ୩ଟି ଓ ସମାଜବାଦୀ ପାର୍ଟି ୨ଟି ଆସଦ ଦଖଲ କରିଛନ୍ତି।
ଦୀର୍ଘ ୯ ବର୍ଷ ପରେ ବିଏମସି ନିର୍ବାଚନ ଚଳିତ ବର୍ଷ ଜାନୁଆରୀ ୧୫ରେ ହୋଇଥିଲା। ୨୦୨୨ରେ ବିଏମସିର ନିର୍ବାଚିତ ପ୍ରଶାସନର କାର୍ଯ୍ୟକାଳ ଶେଷ ହେବାରୁ ରାଜ୍ୟ ସରକାରଙ୍କ ନିଯୁକ୍ତ ଅଧିକାରୀ ଏହାକୁ ଚଳାଉଥିଲେ। ବିଏମସି ହେଉଛି ଦେଶର ସବୁଠାରୁ ଧନୀ ପୌରାପାଳିକା। ଏହାକର ବାର୍ଷିକ ବଜେଟ ହେଉଛି ୭୪,୪୫୦ କୋଟି।
ବିଜେପିର ରିତୁ ତାୱଡେ ମେୟର ପ୍ରାର୍ଥୀ ହୋଇଥିବା ବେଳେ ସେ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି। ଆସନ୍ତା ୧୧ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ। ଯଦି ରିତୁ ତାୱଡେ ବିଜୟୀ ହେବେ, ତା’ହେଲେ ସେ ବିଏମସରେ ବିଜେପିର ଦ୍ୱିତୀୟ ମେୟର ହେବାର ରେକର୍ଡ କରିବେ। କାରଣ ୧୯୮୨ରୁ ୧୯୮୩ ଯାଏ ବିଜେପିର ପ୍ରଭାକର ପାଇ ଶେଷ ଥର ପାଇଁ ମୁମ୍ବାଇର ମେୟର ହୋଇପାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
