Advertisment

Manipur: ମଣିପୁରର ମୁଖ୍ୟମନ୍ତ୍ରୀ ହେବେ ଯୁମନାମ ଖେମଚାନ୍ଦ ସିଂହ

ବିଜେପି ନେତା ଯୁମନାମ ଖେମଚାନ୍ଦ ସିଂହ ମଣିପୁରର ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗୋଟିଏ ବର୍ଷ ହେଲା ଖାଲି ପଡ଼ିଥିବା ପଦରେ ସେ ଦାୟିତ୍ୱ ଗ୍ରହଣ କରିବେ।

author-image
Hemant Lenka
Singh

ଯୁମନାମ ଖେମଚାନ୍ଦ ସିଂହ

ଗୋଟିଏ ବର୍ଷ ହେଲା ରାଷ୍ଟ୍ରପତି ଶାସନ ଭିତରେ ଥିବା ମଣିପୁରକୁ ମିଳିବେ ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ନେତା ଯୁମନାମ ଖେମଚାନ୍ଦ ସିଂହ ମଣିପୁରର ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗୋଟିଏ ବର୍ଷ ହେଲା ଖାଲି ପଡ଼ିଥିବା ପଦରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ବର୍ଷକ ପରେ ମଣିପୁରରେ ନିର୍ବାଚିତ ସରକାର କାମ ଆରମ୍ଭ କରିବ। 

Advertisment

ଏହି ଘୋଷଣା ପୂର୍ବରୁ ବିଜେପି ନେତୃବୃନ୍ଦ ମଣିପୁରର ଦଳୀୟ ବିଧାୟକ ଓ ଏନଡିଏ ନେତାମାନଙ୍କ ସହ ଦିଲ୍ଲୀରେ ବୈଠକ କରିଥିଲେ। ଏହି ବୈଠକରେ ମଣିପୁରର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତରୁଣ ସି ଓ ଉତ୍ତର ପୂର୍ବ ଇନଚାର୍ଜ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଖେମଚାନ୍ଦ ମଣିପୁରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। 

ମଣିପୁର(Manipur)ର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଏନ ବୀରେନ ସିଂହ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୩ରୁ ମଣିପୁରରେ ଆରମ୍ଭ ହୋଇଥିବା ଭୟଙ୍କର ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ସେ ବ୍ୟାକଫୁଟକୁ ଚାଲି ଯାଇଥିଲେ। ଶେଷରେ ବୀରେନ ସିଂହ ୨୦୨୫ ମସିହା ଫେବୃଆରୀ ୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବା ସହ ସରକାର ଭାଙ୍ଗି ଯାଇଥିଲା।

Advertisment

ବୀରେନ ସିଂହଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାର ଆଶଙ୍କା ଥିବାରୁ ସେ ଇସ୍ତଫା ଦେଇଥିଲେ। ସେବେଠାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏବେ ପ୍ରାୟ ବର୍ଷକ ପରେ ଯୁମନାମ ଖେମଚାନ୍ଦ ସିଂହ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। 

ଯୁମନାମ ବିଜେପିର ଜଣେ ବରିଷ୍ଠ ନେତା। ସେ ୨୦୧୭ ଓ ୨୦୨୨ରେ ସିଙ୍ଗଜାମୈ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି। ବୀରେନ ସିଂହ ପ୍ରଥମ ପାଳିରେ ଅର୍ଥାତ ୨୦୧୭ ଯୁମନାମ ମଣିପୁରର ବିଧାନସଭାର ବାଚସ୍ପତି ଭାବେ କାମ କରୁଥିଲେ। ୫ ବର୍ଷ ସେ ବାଚସ୍ପତି ପଦରେ ରହିଥିଲେ। ୨୦୨୨ରେ ପୁଣି ଜିତିବା ପରେ ବୀରେନ ସିଂହଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ।

ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ, ପୌରପାଳିକା ପ୍ରଶାସନ, ଗୃହ ଉନ୍ନୟନ ଓ ଶିକ୍ଷା ବିଭାଗ ଦାୟିତ୍ୱରେ ଖେମଚାନ୍ଦ ରହିଥିଲେ। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଯାଏ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୩୭। ବାସ୍ତବରେ ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ୩୨ଟି ଆସନ ଜିତିଥିଲା। କିନ୍ତୁ ରେଜଲ୍ଟ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଜେଡିୟୁର ୬ ଜଣ ବିଧାୟକ ବିଜେପିରେ ମିଶି ଯାଇଥିଲେ। ତେଣୁ ଏବେ ଦଳର ବିଧାୟକଙ୍କ ସଂଖ୍ୟା ୩୭ ରହିଛି।

ଏହାବାଦ ବିଧାନସଭାରେ ନ୍ୟାଶନାଲ ପିପୁଲ୍ସ ପାର୍ଟିର ୬ ଜଣ, ନାଗା ପିପୁଲ୍ସ ଫ୍ରଣ୍ଟର ୫ ଜଣ, କଂଗ୍ରେସ ୫ ଜଣ, କୁକି ପିପୁଲ୍ସ ମେଣ୍ଟର ୨ ଜଣ, ଜେଡିୟୁର ଜଣେ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ସେହିପରି ଗୋଟିଏ ବିଧାନସଭା ଆସନ ଖାଲି ପଡ଼ିଛି। 

Manipur