ବିସ୍ଫୋରଣ
ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ(Blast)। ଐତିହାସିକ ରେଡ ଫୋର୍ଟ ବା ଲାଲକିଲ୍ଲା ନିକଟରେ ହୋଇଛି କାର ବିସ୍ଫୋରଣ। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଗାଡ଼ି ଜଳି ଯିବାରୁ ସବୁ ଆଡ଼େ ଆତଙ୍କ ଦେଖାଯାଇଛି।
ଲାଲକିଲ୍ଲା ଗୋଟିଏ ବଡ଼ ସୁରକ୍ଷା ଜୋନ ଅଞ୍ଚଳରେ ରହିଥିବା ବେଳେ ସେଥିରେ ବିସ୍ଫୋରଣ ପୂରା ସହରରେ ଆତଙ୍କ ଖେଳାଇ ଦେଇଛି। ପୂରା ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ଓ ହାଇଦ୍ରାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ପୁଲିସ୍ ଚେକିଂ ଆରମ୍ଭ କରିଛି।
କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ତା’ର ଯାଞ୍ଚ ଆରମ୍ଭ ହୋଇଛି। ଘଟଣା ସ୍ଥଳରେ ଫରେନ୍ସିକ ଟିମ, ଏନଏସଜି କମାଣ୍ଡୋ ଓ ଏନଆଇଏ ଅଧିକାରୀମାନେ ପହଞ୍ଚିଛନ୍ତି। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲେ ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଗୋଟିଏ ମାରୁତି ଇକୋ ଭ୍ୟାନ ପହଞ୍ଚିଥିଲା। ଏହାପରେ ଭ୍ୟାନ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପୂରା ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଏକାଧିକ କାର ହୁତୁହୁତୁ ହୋଇ ଜଳି ଯାଇଛି। ବିସ୍ଫୋରଣ ହୋଇଥିବା କାର ସମେତ ଆଖପାଖ ଅଞ୍ଚଳରେ ଥିବା ଆଉ ୮ଟି କାର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
କଳା ଧୂଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବା ବେଳେ ଦିଲ୍ଲୀ(Delhi) ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୨୦ ଦମକଳ ବାହିନୀ ନିୟୋଜିତ ହୋଇଥିବା ଜଣାପଡ଼ିଛି।
ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରିଛି। ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ କୁହାଯାଇଛି। ଫରେନ୍ସିକ ଟିମ ଘଟଣା ସ୍ଥଳକୁ ଆସିଥିବା ବେଳେ ବିସ୍ଫୋରଣ ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’କୁ ଅନୁଧ୍ୟାନ କରାଯାଉଛି।
ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ ସନ୍ଧ୍ୟା ୬.୫୫ରେ ବିସ୍ଫୋରଣ(Blast in Delhi) ସମ୍ପର୍କରେ ଖବର ପାଇଥିଲେ। ଏହାପରେ ୭ଟି ଅଗ୍ନିଶମ ଗାଡ଼ି ଓ ୧୫ ସିଏଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।
ଏହି ଘଟଣା ପୂର୍ବରୁ ରବିବାର ଓ ଆଜି ମିଳିତ ଭାବେ ଦିଲ୍ଲୀ ଠାରୁ ୪୫ କିମି ଦୂର ଫରିଦାବାଦରୁ ୨୯୦୦ କେଜିର ବିସ୍ଫୋରକ ଜବତ ହୋଇଥିଲା। ଏତେ ପରିମାଣର ବିସ୍ଫୋରଣ ଜବତ କରି ଆତଙ୍କୀଙ୍କ ସବୁ ଯୋଜନା ପଣ୍ଡ କରିଥିଲେ ସୁରକ୍ଷାକର୍ମୀ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟାରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଛି।
ଏଯାଏ କ’ଣ ହୋଇଛି
୧- ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟ ଗେଟ ନମ୍ବର ୧ ବାହାରେ ବିସ୍ଫୋରଣ
୨- ମୃତାହତକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି
୩- ଏକାଧିକ କାର ବିସ୍ଫୋରଣ ପରେ ଜଳି ଯାଇଛି
୪- ଘଟଣା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ରହିଥିଲା
୫- ନିଆଁ ଲିଭା କାର୍ଯ୍ୟରେ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି
୬- ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି
୮- ପୁରୁଣା ଦିଲ୍ଲୀକୁ ସଂଯୋଗ କରୁଥିବା ଟ୍ରାଫିକୁ ଡାଇଭର୍ଟ କରାଯାଇଛି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/10/blast1-2025-11-10-19-41-00.jpg)