Advertisment

ଅତିକ କାର୍ଯ୍ୟାଳୟରେ ରକ୍ତର ଛିଟା; ମିଳିଲା ଛୁରୀ ସାଙ୍ଗକୁ ଭଙ୍ଗା ଚୁଡ଼ି

ଯୁଆଡ଼େ ଚାହିଁବ ସିଆଡ଼େ ରକ୍ତର ଛିଟା। କାର୍ଯ୍ୟାଳୟ ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ସହ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି।

author-image
Niharika Rout
ଅଦ୍ୟତନ ହୋଇଛି
Atiq Ahmad

Atiq Ahmad

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ଅଫିସ ହୋଇଛି ରକ୍ତମୟ । ଯୁଆଡ଼େ ଚାହିଁବ ସିଆଡ଼େ ରକ୍ତର ଛିଟା। କାର୍ଯ୍ୟାଳୟ ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ସହ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ଏଥିସହ ଘଟଣାସ୍ଥଳରୁ ଏକ ଓଢଣୀ ସହ କିଛି ଭଙ୍ଗା ଚୁଡ଼ି ବି ମିଳିଛି। ତେଣୁ ଦୁର୍ଦ୍ଦାନ୍ତ ଅପରାଧୀ କାର୍ଯ୍ୟାଳୟରେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତଦେହର କିନ୍ତୁ ନାଁ ଗନ୍ଧ ନାହିଁ।   

Advertisment

ଏପରି ଏକ ସାଂଘାତିକ ଘଟଣା ଆଜି ସକାଳେ ସାମନାକୁ ଆସିଥିବା ବେଳେ ଘଟଣାସ୍ଥଳରେ ୟୁପି ପୁଲିସ୍‌ର ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚିଛନ୍ତି। ତେବେ ମୃତକ ପୁରୁଷ ନା ମହିଳା ନା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଅତିକର ମୃତ୍ୟୁ ପରେ ତା’ ଚକିୟାସ୍ଥିତ କାର୍ଯ୍ୟାଳୟ ସମେତ ପାଚେରୀ ବି ଭାଙ୍ଗିରୁଜି ଯାଇଛି। ଫଳରେ କାର୍ଯ୍ୟାଳୟ ଭିତରକୁ ବାହାର ଲୋକଙ୍କ ଅବାଧ ଯାତାୟତ ରହୁଛି।

Advertisment

ଏପରି ସ୍ଥିତିରେ ଆଜି ସକାଳେ ଅତିକ କାର୍ଯ୍ୟାଳୟରେ ରକ୍ତ ଛିଟା ଲାଗିଥିବା ନେଇ ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ବରିଷ୍ଠ ଅଧିକାରୀଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କାର୍ଯ୍ୟାଳୟର ଚାରିଆଡ଼େ ରକ୍ତର ଛିଟା ଲାଗିଥିବା ଦେଖିବାକୁ ପାଇଥିଲେ। କେଉଁଠି ଚଟାଣରେ ରକ୍ତ ପଡ଼ିଥିଲା ତ କେଉଁଠି କାନ୍ଥରେ ଲାଗିଥିଲା ରକ୍ତର ଛିଟା।

ଏହାବାଦ କାର୍ଯ୍ୟାଳୟରେ ଏକ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ପଡ଼ିଥିବା ବେଳେ ଏକ ଓଢ଼ଣୀ ସହ କିଛି ଭଙ୍ଗା ଚୁଡ଼ି ବି ମିଳିଛି । ତେଣୁ ଏଠାରେ ଯଦି ହତ୍ୟାକାଣ୍ଡ ହୋଇଛି ତେବେ କାହାର ହୋଇଛି, କିଏ ଓ କାହିଁକି କରିଛି ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନି। ଏହାବାଦ ମୃତଦେହ କୁଆଡ଼େ ଗଲା ସେ ନେଇ ବି କାହା ପାଖରେ କିଛି ସୂଚନା ନାହିଁ।

ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫରେନସିକ୍‌ ଟିମ୍‌ର ଯାଞ୍ଚ ପରେ ତାହା ମଣିଷ ନା କୌଣସି ପଶୁର ରକ୍ତ ଛିଟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଅତିକ ଅହମଦ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବେଳେ ଏହି କାର୍ଯ୍ୟାଳୟରୁ ତା’ର ଅପରାଧିକ ଗତିବିଧିକୁ ନିୟନ୍ତ୍ରଣ କରାଯାଉଥିଲା । ଅତିକ ଜେଲ୍‌ରେ ଥିବା ବେଳେ ତା’ କାର୍ଯ୍ୟାଳୟରୁ ୭୫ ଲକ୍ଷ ଟଙ୍କା ମିଳିଥିଲା । ୧୦ ବନ୍ଧୁକ ବି ମିଳିଥିଲା । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ଅତିକର କାର୍ଯ୍ୟାଳୟକୁ ୩ ଥର ଭାଙ୍ଗିଥିଲେ ବି ତାହା ପୁଣି ଥରେ ମୁଣ୍ଡ ଟେକି ଛିଡ଼ା ହେଉଥିଲା। ଏବେ ଶେଷ ଥର ପାଇଁ ଭଙ୍ଗା ଯାଇଥିବା ବେଳେ ଚାରିପଟୁ ତାହା ମୁକୁଳା ହୋଇ ଯାଇଥିଲା। ଫଳରେ ତାହା ଏବ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଇଥିଲା।

Murder Uttar Pradesh Atiq Ahmed