Advertisment

ଚାଲିଥିଲା ସାମ୍ବାଦିକ ସମ୍ମିଳନୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାକରୁ ବାହାରିଲା ରକ୍ତ

ରବିବାର ବେଙ୍ଗାଲୁରୁରେ ବିଜେପି-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସୱାମୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା।

author-image
Madhupriya Mistry
HD Kumaraswamy

HD Kumaraswamy

ଚାଲିଥିବା ସାମ୍ବାଦିକ ସମ୍ମିଳନୀ। ଉପସ୍ଥିତି ଥିଲେ ଏକାଧିକ ଲୋକ। ଏତିକି ବେଳେ ହଠାତ୍‌ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ନାକରୁ ବାହାରିଥିଲା ରକ୍ତ। ବିଗିଡିଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ରବିବାର ବେଙ୍ଗାଲୁରୁରେ ବିଜେପି-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସୱାମୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ନାକରୁ ରକ୍ତ ବୋହିବାକୁ ଲାଗିଥିଲା। ସେ ତାଙ୍କ ନାକକୁ ଏକ କପଡ଼ାରେ ଘୋଡାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶର୍ଟ ମଧ୍ୟ ରକ୍ତରେ ଭିଜି ଯାଇଥିଲା।

ପରେ ତୁରନ୍ତ ତାଙ୍କୁ ଜୟନଗର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କ ହସ୍ପିଟାଲରୁ ଡିସଚାର୍ଜ ମିଳିଥିବା ସୂଚନା ମିଳିଛି। ଘରକୁ ଫେରିବା ପରେ ଏଭଳି କାହିଁକି ଘଟିଲା ସେ ନେଇ ଜଣାଇଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାର ସ୍ୱାମୀ।

Advertisment

ସେ କହିଛନ୍ତି, 'ମୁଁ ତିନିଥର ହାର୍ଟ ଭାଲଭ ରିପ୍ଲେସମେଣ୍ଟ ସର୍ଜରୀ କରିସାରିଛି। ବ୍ଲଡ୍‌ କ୍ଲଟ ନ ହେବା ପାଇଁ ମୁଁ ରକ୍ତ ପତଳା ରହିବା ଲାଗି ମେଡିସିନ୍‌ ଖାଉଛି। ଯେତେବେଳେ ମୁଁ ଚାପଗ୍ରସ୍ତ ହୁଏ, ଏବଂ ମୁଁ ଯଥେଷ୍ଟ ବିଶ୍ରାମ ନିଏ ନାହିଁ ସେତେବେଳେ ମୋ ନାକରୁ ରକ୍ତସ୍ରାବ ହୋଇଥାଏ। ଏହା ମୋ ପାଇଁ ସାଧାରଣ କଥା। ଡାକ୍ତରମାନେ ମୋତେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଥିଲାଗି କେହି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦଳର କର୍ମୀ ଏବଂ ସମର୍ଥକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି।'

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବିଓ୍ୱାଇ ବିଜୟେନ୍ଦ୍ର, କୁମାରସ୍ୱାମୀ ଏବଂ ରାଜ୍ୟ ବିରୋଧୀ ଦଳର ନେତା ଆର ଅଶୋକଙ୍କ ନେତୃତ୍ୱରେ ବିଜେପି-ଜେଡିଏସ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ହିଁ କୁମାରସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

JDS HD Kumaraswamy