Advertisment

ସଡ଼କ ଦୁର୍ଘଟଣାରେ କେନ୍ଦ୍ରୀୟ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆସିଲା ସାଂଘାତିକ ତଥ୍ୟ

ଦୁର୍ଘଟଣାକୁ ନେଇ ଆଜି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁର ମାଲିକ ଜଣଙ୍କ ଗୁରୁତର ଆହତ ହୋଇଥିବା ନବଜୋତ ଓ ତାଙ୍କ ପତ୍ନୀଙ୍କୁ ଏମିତି ଏକ ହସ୍ପିଟାଲକୁ ନେଇଥିଲେ ଯାହା ଘଟଣା ସ୍ଥଳରୁ ପ୍ରାୟ ୨୦ରୁ ୨୨ କିମି ଦୂର ହେବ।

BMW

BMW

Advertisment

ରବିବାର ମଧ୍ୟାହ୍ନ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଗୋଟିଏ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅର୍ଥ ମନ୍ତ୍ରଣାଳୟରେ ଉପ ସଚିବ ଭାବେ କାମ କରୁଥିବା ନବଜୋତ ସିଂହ ପ୍ରାଣ ହରାଇଛନ୍ତି। ସେ ଓ ତାଙ୍କ ପତ୍ନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗୋଟିଏ ବିଏମଡବ୍ଲ୍ୟୁ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ନବଜୋତ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଛି।

Advertisment

ତେବେ ଦୁର୍ଘଟଣାକୁ ନେଇ ଆଜି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁର ମାଲିକ ଜଣଙ୍କ ଗୁରୁତର ଆହତ ହୋଇଥିବା ନବଜୋତ ଓ ତାଙ୍କ ପତ୍ନୀଙ୍କୁ ଏମିତି ଏକ ହସ୍ପିଟାଲକୁ ନେଇଥିଲେ ଯାହା ଘଟଣା ସ୍ଥଳରୁ ପ୍ରାୟ ୨୦ରୁ ୨୨ କିମି ଦୂର ହେବ। ସେହିପରି ଉକ୍ତ ହସ୍ପିଟାଲଟି ଅଭିଯୁକ୍ତ କାର ଚାଳକ ଗଗନପ୍ରୀତଙ୍କ ପରିବାର ଲୋକଙ୍କ ମାଲିକାରେ ମଧ୍ୟ ରହିଛି।

୫୨ ବର୍ଷୀୟ ନବଜୋତ ଓ ତାଙ୍କ ପତ୍ନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଦିଲ୍ଲୀର କ୍ୟାଣ୍ଟୋନମେଣ୍ଟ ମେଟ୍ରୋ ନିକଟରେ ଗୋଟିଏ ବିଏମଡବ୍ଲ୍ୟୁ ସେମାନଙ୍କୁ ଧକ୍କା ଦେଇଥିଲା। ଶ୍ରୀ ସିଂହ ଓ ପତ୍ନୀ ସନ୍ଦୀପ କୌର ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିଲା।

Advertisment

ବିଏମଡବ୍ଲ୍ୟୁକୁ ଗଗନପ୍ରୀତ ଚଳାଉଥିବା ବେଳେ ତାଙ୍କ ସ୍ୱାମୀ ପରୀକ୍ଷିତ ଏହା ଭିତରେ ବସିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ନବଜୋତ ଓ ତାଙ୍କ ପତ୍ନୀ ସନ୍ଦୀପଙ୍କୁ ଅଭିଯୁକ୍ତ ଦମ୍ପତି ଘଟଣା ସ୍ଥଳରୁ ପ୍ରାୟ ୨୦ କିମି ଦୂର ଜିଟିବି ନଗରରେ ଥିବା ନ୍ୟୁଉ ଲାଇଫ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସ୍ଥାନୀୟ ଅଞ୍ଚଳର କୌଣସି ହସ୍ପିଟାଲ ବଦଳରେ ସେମାନେ ଗୁରୁତର ହୋଇଥିବା ଦମ୍ପତିଙ୍କୁ କାହିଁକି ୨୦ କିମି ଦୂରରେ ଥିବା ଗୋଟିଏ ହସ୍ପିଟାଲକୁ ନେଇଥିଲେ?

ଏହାର କାରଣ ହେଲା ନ୍ୟୁଉ ଲାଇଫ ହସ୍ପିଟାଲର ମାଲିକଙ୍କ ମଧ୍ୟରେ ଗଗନପ୍ରୀତଙ୍କ ବାପା ରହିଛନ୍ତି। ୩ ଜଣ ମିଳିତ ଭାବେ ଏହି ହସ୍ପିଟାଲକୁ ଚଳାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଗନପ୍ରୀତଙ୍କ ବାପା। ଘଟଣା ପରେ ଗଗନପ୍ରୀତ ଓ ତାଙ୍କ ସ୍ୱାମୀ ଗୋଟିଏ ମାରୁତି ଇକୋ ପୋର୍ଟର କାରରେ ଆହତ ଦମ୍ପତିଙ୍କୁ ନୁଲାଇଫ ହସ୍ପିଟାଲକୁ ନେଇଥିଲେ। 

ମାରୁତି ଇକୋ ପୋର୍ଟର ଚାଳକ ଗୁଲଫାମଙ୍କ କହିବା କଥା ଯେ ନବଜୋତ ଓ ସନ୍ଦୀପଙ୍କୁ ଦୁର୍ଘଟଣାରେ ଆହତ ହୋଇଥିବା ଦେଖି ସେ ସହାୟତା କରିବାକୁ ଆଗେଇ ଆସିଥିଲେ। ଆହତ ଦମ୍ପତି ଓ ଗଗନପ୍ରୀତ କାରରେ ବସିଥିଲେ। ଏହାପରେ ଗୁଲଫାମଙ୍କୁ ଗଗନପ୍ରୀତ ଆଜଦପୁର ଆଡ଼କୁ ନେବାକୁ କହିଥିଲେ। ଯାତ୍ରା ବେଳେ ଗଗନପ୍ରୀତ କାହାକୁ ଫୋନ କରି ବେଡ ରେଡ୍ଡୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗୁଲଫାମ କହିଛନ୍ତି।

କ’ଣ ପାଇଁ ସେ କାରକୁ ନିକଟସ୍ଥ ହସ୍ପିଟାଲକୁ ନେଲେ ନାହିଁ ବୋଲି ପ୍ରଶ୍ନରେ ଗୁଲଫାମ କହିଛନ୍ତି, “ମୁଁ ଏହି ଅଞ୍ଚଳକୁ ଠିକ ଭାବେ ଜାଣି ନାହିଁ। ତେଣୁ ମୋତେ ଯୁଆଡ଼େ କୁହାଗଲା ମୁଁ ସେଇଆଡ଼େ ଯାଇଥିଲି। ହସ୍ପିଟାଲରେ ପହଞ୍ଚିବାକୁ ମୋତେ ପ୍ରାୟ ୩୦ ମିନିଟ ସମୟ ଲାଗିଥିଲା।”

ନବଜୋତଙ୍କ ପୁଅ ନବନୁର କହିଛନ୍ତି ଯେ ଯଦି ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଥାଆନ୍ତା, ତା’ହେଲେ ତାଙ୍କ ବାପାଙ୍କ ଜୀବନ ସମ୍ଭବତଃ ବଞ୍ଚି ଯାଇଥାଆନ୍ତା। ସେ କହିଛନ୍ତି, “ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ତାଙ୍କୁ ଠିକ ସମୟରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥାଆନ୍ତା, ସମ୍ଭବତଃ ସେ ବଞ୍ଚି ଯାଇ ଥାଆନ୍ତେ। ଜଣେ ସମ୍ପର୍କୀୟ ଆମକୁ ମୋ ବାପା ମା’ଙ୍କ ଦୁର୍ଘଟଣା ହୋଇଥିବା ଫୋନ କରି ସୂଚନା ଦେଇଥିଲେ। ମୁଁ ଭାବିଥିଲି ଯେ ଏହା ଏକ ସାମାନ୍ୟ ଦୁର୍ଘଟଣା ହୋଇଥିବ। କାରଣ ମୋ ବାପା ଜଣେ ଯତ୍ନବାନ ଚାଳକ। ଏଥିପାଇଁ ଦୁର୍ଘଟଣା ଖବର ପରେ ବି ମୁଁ ବିଚଳିତ ହୋଇ ନଥିଲି।

କିନ୍ତୁ ଯେତେବେଳେ ମୁଁ ହସ୍ପିଟାଲରେ ପହଞ୍ଚିଲି ସେତେବେଳେ ବୁଝି ପାରିଲି ନାହିଁ ଯେ ଦୁର୍ଘଟଣା ଦୌଲା କୌନ ଅଞ୍ଚଳରେ ହୋଇଥିବା ବେଳେ ମୋ ବାପା ମା’ଙ୍କୁ କାହିଁକି ଜିଟିବି ନଗରକୁ ଅଣାଯାଇଛି? ମୁଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏ ସମ୍ପର୍କରେ ପଚାରିଥିଲେ ହେଁ ସେମାନେ କିଛି ବି କହି ନଥିଲେ। ମୋତେ ଲବିରେ ବସିବାକୁ କହିଥିଲେ। କିଛି ସମୟ ବସିବା ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ବାପାଙ୍କ ବେଡ ନିକଟରେ ଚିକିତ୍ସିତ ରୋଗୀ ଜଣଙ୍କ ବି ଦୁର୍ଘଟଣାରେ ସାମିଲ ରହିଛନ୍ତି। 

ପ୍ରାୟ ୫ ଘଣ୍ଟା ପରେ ମୁଁ ଦେଖିବାକୁ ପାଇଲି ଯେ ଜଣେ ଡାକ୍ତର ଗୋଟିଏ ମେଡିକୋ ଲିଗାଲ ପ୍ରମାଣପତ୍ର ପ୍ରସ୍ତୁତ କରୁଛନ୍ତି ଓ ସେଥିରେ ଗଗନପ୍ରୀତଙ୍କ ନାଁ ଉଲ୍ଲେଖ କରୁଛନ୍ତି। ମୁଁ ତାଙ୍କୁ ଏପରି ନକଲି ପ୍ରମାଣପତ୍ର ପ୍ରସ୍ତୁତର କାରଣ ପଚାରିଥିଲି। ଏହାପରେ ହୋଇଥିବା ଯାଞ୍ଚରୁ ମୁଁ ଜାଣିବାକୁ ପାଇଥିଲି ଯେ ଉକ୍ତ ମହିଳା ଜଣଙ୍କ ମଧ୍ୟ ସମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।”

ଗଗନପ୍ରୀତ ଓ ପରୀକ୍ଷିତ ଗୁରୁଗ୍ରାମରେ ରୁହନ୍ତି। ସେମାନେ ଚମଡ଼ାରୁ ତିଆରି ଜିନିଷର ବ୍ୟବସାୟ କରନ୍ତି। ଏବେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା କରି ଘଟଣାର ତଦନ୍ତ କରୁଛି।

Delhi BMW Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe