/odisha-reporter/media/post_attachments/uploadimage/library/16_9/16_9_0/Bomb_1752821640.jpg)
Bomb
ବେଙ୍ଗାଲୁରୁ ସହରରେ ବୋମା ଆତଙ୍କ। ସହରର ପ୍ରାୟ ୪୦ଟି ଘରୋଇ ସ୍କୁଲକୁ ଏକଥରେ ଇ-ମେଲ ଯୋଗେ ମିଳିଛି ବୋମା ବିସ୍ଫୋରଣର ଧମକ। ଇ-ମେଲରେ ବୋମା ଧମକ ମିଳିବାରୁ ପୂରା ସହରରେ ଆତଙ୍କ ପ୍ରକାଶ ପାଇଛି। ରାଜେଶ୍ୱରୀ ନଗର ଓ କେଙ୍ଗେରି ସମେତ ବିଭିନ୍ନ ସ୍ଥାନରେ ଥିବା ଘରୋଇ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୁଲିସ୍ ଆକ୍ସନ ମୋଡକୁ ଆସିଛି।
ଧମକ ମିଳିଥିବା ସ୍କୁଲ ଗୁଡ଼ିକରେ ବେଙ୍ଗାଲୁରୁ ସିଟି ପୁଲିସ୍ ଏକାଧିକ ଟିମକୁ ମୁତୟନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ସର୍ଚ୍ଚ ଅପରେସନନରେ ସାମିଲ ହୋଇଛନ୍ତି। ସ୍କୁଲ ପରିସର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ତେବେ ଏଯାଏ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ। ତଥାପି ପୁଲିସ୍ ଓ ସୁରକ୍ଷା ଅଧିକାରୀମାନେ ଆଲର୍ଟରେ ରହିଛନ୍ତି।
‘ସ୍କୁଲ ପରିସରରେ ବୋମା’ ଶୀର୍ଷକ ଇ-ମେଲକୁ ବିଭିନ୍ନ ଅନୁଷ୍ଠାନ ଆଜି ସକାଳୁ ପାଇଥିଲେ। [email protected]ରୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏକାଧିକ ବିସ୍ଫୋରଣ ସାମଗ୍ରୀ ସ୍କୁଲ ଗୁଡ଼ିକର କ୍ଲାସରୁମରେ ଖଞ୍ଜା ଯାଇଥିବା ଇ-ମେଲ ପ୍ରେରଣ ଜଣକ ଦାବି କରିଛି।
ଏଥିରେ ଆହୁରି କୁହାଯାଇଛି ଯେ “ବିସ୍ଫୋରକଗୁଡ଼ିକୁ ବେଶ ସତର୍କତାର ସହ ଗୁପ୍ତ ଭାବେ ଲୁଚା ଯାଇଛି। କଳା ରଙ୍ଗର ପ୍ଲାଷ୍ଟିକ ବ୍ୟାଗରେ ବିସ୍ଫୋରକ ରହିଛି। ମୁଁ ପ୍ରତିଟି ଲୋକଙ୍କୁ ଏହି ବିଶ୍ୱରୁ ମୂଳପୋଛ କରିବି। ଗୋଟିଏ ହେଲେ ଆତ୍ମା ଏଠାରେ ରହିବେ ନାହିଁ। ମୁଁ ଏହି ଖବର ଦେଖିବା ମାତ୍ରେ ବେଶ ଖୁସିରେ ହସିବି। ଅଭିଭାବକଙ୍କ ଭିଡ଼ ସ୍କୁଲରେ ମୁଁ ଦେଖି ବେଶ ଆନନ୍ଦ ପାଇବି।
ସେମାନେ ନିଜ ପିଲାଙ୍କ ଛିନଛତ୍ର ମୃତଦେହକୁ ଦେଖିବେ। ତୁମେ ସମସ୍ତେ ଏହା ଭୋଗିବାକୁ ଯୋଗ୍ୟ। ମୁଁ ମୋ ଜୀବନକୁ ଘୃଣା କରୁଛି। ବିସ୍ଫୋରଣ ଖବର ଆସିବା ପରେ ମୁଁ ଆତ୍ମହତ୍ୟା କରିବି। ମୁଁ ମୋ ଗଳା ଓ ରିଷ୍ଟ କାଟି ଦେବି। ମୋତେ କେହି ବି କେବେ ହେଲେ ସାହାଯ୍ୟ କରି ନାହାନ୍ତି। ମନସ୍ତତ୍ତ୍ୱବିତଙ୍କ ଠାରୁ ଆରମ୍ଭ କରି କୌଣସି ଡାକ୍ତର ମୋ ବିଷୟରେ ଚିନ୍ତା କରି ନାହାନ୍ତି। ଦୟା କରି ଏହି ମେସେଜର ଗୋଟିଏ କପି ପ୍ରେସ/ମିଡିଆକୁ ଦେବେ।” ଏପରି ଧମକପୂର୍ଣ୍ଣ ଇ-ମେଲର ଉତ୍ସ ଜାଣିବା ପାଇଁ ଏବେ ପୁଲିସ୍ ଟିମ ଲାଗି ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
