Advertisment

Blast In Delhi: ଆତଙ୍କୀ ବୁରହାନ ୱାନି ମୃତ୍ୟୁର ବଦଲା ନେବାକୁ ଚାହୁଁଥିଲା ଦିଲ୍ଲୀ ବିସ୍ଫୋରଣକାରୀ!

ସେ ୨୦୧୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁର ବଦଲା ନେବାକୁ ମଧ୍ୟ ଚାହୁଁଥିଲା ବୋଲି ଜଣାପଡ଼ିଛି। ହ୍ୱାଇଟ କଲାର ଆତଙ୍କୀ ମଡ୍ୟୁଲର ସଦସ୍ୟମାନଙ୍କୁ ଜେରା କରିବା ବେଳେ ସୁରକ୍ଷା ଏଜେନ୍ସି ଅନେକ ପ୍ରକାରର ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
Umar

ଉମର ଓ ବୁରହାନ (ଫାଇଲ ଫଟୋ)

ଡାକ୍ତରରୁ ଆତ୍ମଘାତୀ ହମଲାକାରୀ ସାଜି ଦିଲ୍ଲୀର ଲାଲକିଲ୍ଲାରେ କାର ବୋମା ବିସ୍ଫୋଣ(Blast In delhi) କରିଥିବା ଉମର ଉନ ନବି ସମ୍ପର୍କରେ ଆସିଛି ସାଂଘାତିକ ତଥ୍ୟ। ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଉମର କାର୍‌ ସହ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। 

Advertisment

ଏହି ଆତଙ୍କବାଦୀ ହମଲାର ତଦନ୍ତ ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସୁରକ୍ଷା ଏଜେନ୍ସି ହାତରେ ଲାଗିଛି। ଉମର ସବୁବେଳେ  ହ୍ୱାଇଟ କଲାର ଆତଙ୍କୀମାନଙ୍କ ଆଗରେ ନିଜକୁ ଶାସକ ଭାବେ ଚିତ୍ରିତ କରୁଥିଲା। ସେ ହିଁ ଶାସକ ଓ ଲିଡର ବୋଲି ଦର୍ଶାଇ ଚାଲିଥିଲା।

ଏଥିସହ ସେ ୨୦୧୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁର ବଦଲା ନେବାକୁ ମଧ୍ୟ ଚାହୁଁଥିଲା ବୋଲି ଜଣାପଡ଼ିଛି। ହ୍ୱାଇଟ କଲାର ଆତଙ୍କୀ ମଡ୍ୟୁଲର ସଦସ୍ୟମାନଙ୍କୁ ଜେରା କରିବା ବେଳେ ସୁରକ୍ଷା ଏଜେନ୍ସି ଅନେକ ପ୍ରକାରର ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। 

Advertisment

ଟେରର ମଡ୍ୟୁଲରେ ପ୍ରଥମ ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ମୁଜାମିଲ ଶକୀଲକୁ ଜେରା କରିବା ବେଳେ ସୁରକ୍ଷାକର୍ମୀ ଉମର ସମ୍ପର୍କରେ କିଛି ଅଜଣା ତଥ୍ୟ ହାସଲ କରିଛନ୍ତି। ମୁଜାମିଲ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରୁଥିଲା। ସେ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିବା ମୌଲବୀ ଇରଫାନ ଅହମଦ ଜରିଆରେ ହ୍ୱାଇଟ କଲାର ଟେରର ମଡ୍ୟୁଲର ପ୍ରଥମ ସଦସ୍ୟ ଭାବେ ସାମିଲ ହୋଇଥିଲା। ସେ ହିଁ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଉମରର ନାଁ ଏମିର ରହିଥିଲା ବୋଲି କହିଛି।  

ଗିରଫ ହୋଇଥିବା ଡାକ୍ତର ଶାହୀନ ସୟିଦ ଠାରୁ ମଧ୍ୟ ଜେରା ବେଳେ ଅନେକ ତଥ୍ୟ ମିଳିଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି, ମୁଜାମିଲ ଶକୀଲ ସେମାନଙ୍କୁ କହିଛି ଯେ ଉମର ଉନ ନବି ତୁଳନାରେ ସେ କେବଳ ଜଣେ ସାଧାରଣ ଶ୍ରମିକ ଭାବେ ସଂଗଠନ ପାଇଁ କାମ କରୁଥିଲା। ଉମର ବିଶିଷ୍ଟ ମାନ୍ୟତା ଓ ଅଭିଜ୍ଞତା ହାସଲ କରିଥିଲା। ଆତଙ୍କବାଦୀମାନେ ସେମାନଙ୍କ ଯୋଜନାର ନାଁ ରଖିଥିଲେ ‘ଅପରେସନ ଏମିର’। ଆତ୍ମଘାତୀ ବିସ୍ଫୋରଣକାରୀର ନାଁ ଅନୁସାରେ ଏପରି ନିଷ୍ପତ୍ତି ହୋଇଥିଲା।

ଟେରର ମଡ୍ୟୁଲରେ ସବୁଠାରୀ ଜ୍ଞାନୀ ଥିଲା ଉମର। ସେ ୯ଟି ଭାଷା ଜାଣିଥିବା ବେଳେ ତା’ର ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନ୍ୟ ସଦସ୍ୟମାନଙ୍କ ଠାରୁ ଅଧିକ ରହିଥିଲା। ମୁଜାମିଲ ଜେରା ବେଳେ କହିଛି ଯେ “ଆମେ ତା’କୁ(ଉମର ଉନ ନବି) ବିରୋଧ କରୁ ନଥିଲୁ। ତା’ ଶବ୍ଦ ସଂପୂର୍ଣ୍ଣ ତଥ୍ୟ ଓ ରିସର୍ଚ୍ଚ ଆଧାରରେ ରହୁଥିଲା। ସେ ସବୁବେଳେ ନିଜକୁ ଏମିର କହିଥାଏ। ସେ କାହା ସହ ବେଶୀ କଥାବାର୍ତ୍ତା କରି ନଥାଏ। ଶେଷ ଯାଏ ସବୁ କିଛି ଧର୍ମ ଭିତ୍ତିକ ଓ ଆଉ କିଛି ନୁହେଁ ବୋଲି କହି ଚାଲିଥିଲା।”

ଉମର ନବି ହ୍ୱାଇଟ କଲାର ଟେରର ମଡ୍ୟୁଲରେ ଥିବା ଡାକ୍ତରମାନଙ୍କୁ ସବୁବେଳେ କହୁଥିଲା ଯେ ମୁସଲିମଙ୍କ ପାଇଁ ଭାରତର ପରିବେଶ ପୂରା ଖରାପ। ଧ୍ରୁବୀକରଣ କେବଳ ନୂଆ ବାହାନା ଓ ଗୋଟିଏ ନରସଂହାର ସମ୍ଭବ। ତେଣୁ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ ବାରମ୍ବାର ମତ ରଖୁଥିଲା।

କିଛି ଘଟଣା ଓ ପରିସ୍ଥିତି ଉମର ନବିକୁ ଏତେ ମାତ୍ରାରେ ନିରାଶ କରିଥିଲେ ଯେ ସିଧା ଆତ୍ମଘାତୀ ହମଲାକାରୀ ବନି ଯାଇଥିଲା ବୋଲି ଗିରଫ ଆତଙ୍କୀ ସଦସ୍ୟମାନେ କହିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାରୁ ଉମର ସୁରକ୍ଷାକର୍ମୀଙ୍କ ଉପରେ ପୂରା କ୍ଷୁବ୍ଧ ହୋଇ ଯାଇଥିଲା। ୨୦୨୩ ହରିୟାଣାର ମେୱାତ-ନୁହ ରିଜନରେ ଦେଖା ଯାଇଥିବା ସାଂପ୍ରଦାୟିକ ହିଂସା ଏବଂ ୨୦୨୩ ମାର୍ଚ୍ଚରେ ୨୫ ବର୍ଷୀୟ ନସିର ଓ ୩୫ ବର୍ଷୀୟ ଜୁନେଦଙ୍କୁ ନିର୍ମମ ଭାବେ ତଥାକଥିତ ଗୋ ରକ୍ଷାକାରୀମାନେ ହତ୍ୟା କରିଥିବାରୁ ଉମର ରକ୍ତରେ ନିଆଁ ଲାଗି ଯାଇଥିଲା। 

ନଭେମ୍ବର ୧୦ରେ ଉମର ହୁଣ୍ଡାଇ ଆଇ ୨୦ କାରରେ ଅର୍ଦ୍ଧ ନିର୍ମିତ ଆଇଇଡି ଧରି ବାହାରି ଯାଇଥିଲା। ସେ ନେଲ ପଲିସ ରିମୁଭର ଓ ଆଉ କିଛି ପାଉଡର ମିଶାଇ ବିସ୍ଫୋରକ ତିଆରି କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଟେରର ମଡ୍ୟୁଲର ସଦସ୍ୟମାନେ ହରିୟାଣାରେ ରଖିଥିବା ବିସ୍ଫୋରକୁ ଜମ୍ମୁ-କଶ୍ମୀର ନେବାକୁ ଚାହୁଁଥିଲେ।

ସେଠାରେ କିଛି ବଡ଼ ଅଘଟଣ ଘଟାଇବାକୁ ଉମର ଯୋଜନା କରିଥିଲା। କିନ୍ତୁ ଏହି ଯୋଜନା ଫେଲ ମାରିବାରୁ ଉମର ନୁହ-ମେୱାତ ରିଜନରୁ ଆଇଇଡି ତିଆରି ପାଇଁ ୟୁରିଆ କିଣିଥିଲା।  ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଥିବା ନିଜ ରୁମରେ ମଧ୍ୟ ଉମର ଉନ ନବି ବିସ୍ଫୋରକ ଓ କେମିକାଲ ପ୍ରତିକ୍ରିୟାର ପରୀକ୍ଷା କରିଥିଲା। ତା’ ସୁଟକେସରୁ ପୁଲିସ୍‌ କିଛି ସେଭଳି ଜିନିଷ ଠାବ କରିଛି। 

Delhi Blast Blast In Delhi