Advertisment

Momo: ମୋମୋ କଲା ପାଗଳ! ଠେଲା ବ୍ୟବସାୟୀଙ୍କୁ ୮୫ ଲକ୍ଷର ଗହଣା ଦେଇଦେଲେ ୭ମ ଶ୍ରେଣୀ ଛାତ୍ର

ମାଗଣାରେ ମୋମୋ ଦେଇ ସ୍ଥାନୀୟ ଅଞ୍ଚଳରେ ମୋମୋ ବ୍ୟବସାୟ କରୁଥିବା ୩ ଜଣ ଯୁବକ ପିଲାଟିକୁ ନିଜ ଜାଲରେ ଫସାଇଥିଲେ।ସମୟକ୍ରମେ ସେମାନେ ମୋମୋ ବଦଳରେ ଘରେ ଥିବା ସୁନା ଅଳଙ୍କାରକୁ ଧୀରେଧୀରେ ଆଣିବାକୁ ଛାତ୍ରଙ୍କୁ ପ୍ରବର୍ତ୍ତାଇ ଥିଲେ।

author-image
Hemant Lenka
MoMo

ଏଆଇ ଫଟୋ

ମୋମୋ ପାଇଁ ଥିବା ପ୍ରେମ ନେଇଛି ଅପ୍ରତ୍ୟାଶିତ ମୋଡ। ମୋମୋ ଖାଇବାକୁ ପସନ୍ଦ କରୁଥିବା ଉତ୍ତର ପ୍ରଦେଶର ଜଣେ ୭ମ ଶ୍ରେଣୀ ଛାତ୍ର ଘଟାଇଛି ଚକିତ କରିବା ଭଳି କାଣ୍ତ। ନିଜର ପସନ୍ଦର ଖାଦ୍ୟ ପାଇଁ ସେ ପରିବାର ଲୋକଙ୍କ ସବୁ ସୁନା ଗହଣା ରାସ୍ତା କଡ଼ରେ ମୋମୋ ବିକ୍ରି କରୁଥିବା ୩ ଜଣ ଯୁବକଙ୍କ ହାତରେ ଟେକି ଦେଇଛି। ପିଲାଟିର ମୋମୋ ପ୍ରତି ଥିବା ଦୁର୍ବଳତା ଯୋଗୁ ପରିବାର ଲୋକ ହରାଇଛନ୍ତି ୮୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର।

Advertisment

ପ୍ରଥମେ ସବୁ କିଛି ନିରୀହ ଖାଦ୍ୟ ଅଭ୍ୟାସ ପରି ଲାଗୁଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଏହା ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ଜଣାପଡ଼ିଛି। ମାଗଣାରେ ମୋମୋ ଦେଇ ସ୍ଥାନୀୟ ଅଞ୍ଚଳରେ ମୋମୋ ବ୍ୟବସାୟ କରୁଥିବା ୩ ଜଣ ଯୁବକ ପିଲାଟିକୁ ନିଜ ଜାଲରେ ଫସାଇଥିଲେ। ସମୟକ୍ରମେ ସେମାନେ ମୋମୋ ବଦଳରେ ଘରେ ଥିବା ସୁନା ଅଳଙ୍କାରକୁ ଧୀରେଧୀରେ ଆଣିବାକୁ ଛାତ୍ରଙ୍କୁ ପ୍ରବର୍ତ୍ତାଇ ଥିଲେ। ପିଲାଟି ମୋମୋ ଲୋଭରେ ଘରର ସୁନା ଅଳଙ୍କାର ଆଣି ସେମାନଙ୍କୁ ଦେବାକୁ ପଛାଇ ନଥିଲା। 

ପୂରା ଘଟଣାଟି ଉତ୍ତର ପ୍ରଦେଶର ଦେଓରିଆ ସହରରେ ଘଟିଛି। ଅଭିଯୋଗକାରୀ ବିମଲେଶ ମିଶ୍ରା କହିଛନ୍ତି ଯେ ତାଙ୍କ ପୁଅ ମୋମୋ ଖାଇବାକୁ ବେଶ ପସନ୍ଦ କରେ। ତା’ର ଏହି ଅଭ୍ୟାସରୁ ବେଶ କୌଶଳକ୍ରମେ ଫାଇଦା ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳରେ ଗୋଟିଏ ମୋମୋ(Momo) ଷ୍ଟଲ କରିଥିବା ୩ ଜଣ ଯୁବକ।

Advertisment

ବିମଲେଶ ଅଭିଯୋଗ କରିଛନ୍ତି ଯେ ଷ୍ଟଲ ଖୋଲିଥିବା ୩ ଯୁବକ ତାଙ୍କ ପୁଅଙ୍କୁ ନିଜ ଜାଲରେ ଫସାଇଥିଲେ। ଘର ଯଦି ସେ ସୁନା ଅଳଙ୍କାର ଆଣିବ, ତା’ହେଲେ ସେମାନେ ତା’କୁ ମାଗଣାରେ ମୋମୋ ଦେବେ କହି ପ୍ରଲୋଭିତ କରିଥିଲେ। ମୋମୋ ଖାଇବା ଲୋଭରେ ପିଲାଟି ଧୀରେଧୀରେ ଘରେ ଥିବା ଗୋଟିଏ ପରେ ଗୋଟିଏ ସୁନା ଅଳଙ୍କାର ଆଣୁଥିଲା ଓ ୩ ଜଣ ଯୁବକଙ୍କୁ ଏହା ଦେଉଥିଲା। ଏହାବଦଳରେ ସେମାନେ ପିଲାଟିକୁ ମୋମୋ ମଧ୍ୟ ମାଗଣାରେ ଦେଉଥିଲେ। 

ବିମଲେଶଙ୍କ ଭଉଣୀ ନିକଟରେ ଘରକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସେ ଘରେ ପହଞ୍ଚି ନିଜର ସୁନା ଅଳଙ୍କାର ମାଗିଥିଲେ। ପରିବାର ଅଳଙ୍କାର ପାଇଁ ଆଲମିରା ଖୋଲିବା କ୍ଷଣୀ ପୂରା ଚକିତ ହୋଇଯାଇଥିଲେ। କାରଣ ଆଲମିରାରେ କୌଣସି ପ୍ରକାରର ସୁନା ଅଳଙ୍କାର ନଥିଲା।

ଏହାକୁ ନେଇ ପରିବାର ଲୋକ ଚିନ୍ତାରେ ଥିବା ବେଳେ ଘରର ସାନ ପୁଅକୁ ପ୍ରଶ୍ନ କରିଥିଲେ। ଏତିକି ବେଳେ ସେ ମାଗଣାରେ ମୋମୋ ଖାଇବା ପାଇଁ ସୁନା ଅଳଙ୍କାର ମୋମୋ ଷ୍ଟଲ କରିଥିବା ୩ ଜଣ ଯୁବକଙ୍କୁ ଦେଇଥିବା କହିଥିଲା। 

ଏହି ସୂଚନା ପରେ ବାରାଣସୀର ଗୋଟିଏ ମନ୍ଦିରର ପୂଜକ ଭାବେ କାମ କରୁଥିବା ବିମଲେଶ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ୩ ମୋମୋ ବ୍ୟବସାୟୀଙ୍କ ନାଁ ରହିଛି।

ସେମାନେ ପିଲାଟି ଠାରୁ ୮୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ବିମଲେଶଙ୍କ ଅଭିଯୋଗ ପରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Momo