Advertisment

ବାହାଘର ଦିନ ଫେରାର ହୋଇଯାଉଥିଲା ବର, ବସ୍‌ରୁ ଆଣି ମନ୍ଦିରରେ ବସାଇଲେ କନିଆଁ

କନ୍ୟାର ଜିଦ୍ ଆଗରେ ହାର ମାନିଲା ବର।

author-image
Ordigital Desk
ଅଦ୍ୟତନ ହୋଇଛି
Marriage

Marriage

ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କରେ ଥିଲେ। ଦୁଇ ପରିବାର ବାହାଘର ପାଇଁ ରାଜି ହେବା ପରେ ତାରିଖ ଠିକ ହୋଇଥିଲା। ମନ୍ଦିରରେ ବାହାଘର କରିବାକୁ ଦୁଇ ପରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ବାହାଘର ଦିନ ମନ୍ଦିରରେ କନିଆଁ ଅପେକ୍ଷା କରିଥିବା ବେଳେ ବରର ଦେଖା ନଥିଲା। ବର ଫେରାର ହୋଇଯାଉଥିବା ସନ୍ଦେହ କରି କନିଆଁ ୨୦ କିଲୋମିଟର ଯାଇ ବସ୍‌ରୁ ବରକୁ ଆଣି ମନ୍ଦିରରେ ପହଞ୍ଚିଥିଲେ ଓ ବାହା ହୋଇଥିଲେ। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀରେ।

Advertisment

କନିଆଁ ର ଘର ବରେଲୀରେ ହୋଇଥିବା ବେଳେ ବରର ଘର ଭାମୋରା ଥାନା ଅଞ୍ଚଳରେ। ଗତ ରବିବାର ବାହାଘର ପାଇଁ କନିଆଁ ଘର ଲୋକେ ଠିକ ସମୟରେ ଆସି ଏକ ମନ୍ଦିରରେ ପହଞ୍ଚି ଯାଇଥିଲେ। କିନ୍ତୁ ବର ଘରର ଲୋକେ ଆସିଲେ ନାହିଁ। ଡେରି ହେଉଥିବା ଦେଖି କନିଆଁ ଫୋନ କଲେ ବର ପାଖକୁ। ବରର କଥାବାର୍ତ୍ତାରେ ଅସଙ୍ଗତି ଦେଖି କନିଆଁର ସନ୍ଦେହ ହୋଇଥିଲା। କନିଆଁ ନିଶ୍ଚିତ ହୋଇଯାଇଥିଲେ ଯେ ବର ଫେରାର ହେବାକୁ ବସିଛନ୍ତି। ସେ ବାହା ହେବାକୁ ଆସିବେ ନାହିଁ।

ଏହା ପରେ କନିଆଁ କାଳବିଳମ୍ବ ନକରି ବାହାରି ପଡ଼ିଲେ ବର ଘର ଅଭିମୁଖେ। ଆଉ ସେଠାରେ ପହଞ୍ଚିବା ପରେ ତାଙ୍କ ସନ୍ଦେହ ସତ ହୋଇଥିଲା। ଫେରାର ହୋଇଯାଉଥିଲେ ବର। ବର ଭାମୋର ବସ୍‌ଷ୍ଟାଣ୍ଡରୁ ବସ୍ ଧରି ଫେରାର ହୋଇଯାଉଥିଲେ। କନିଆଁ ତାଙ୍କୁ ବସ୍‌ରୁ ଧରିଥିଲେ। ସେ ବରଙ୍କୁ ତାଙ୍କ ସହିତ ଯିବାକୁ କହିଥିଲେ। ଏହା ପରେ କିଛି ସମୟ ଧରି ସେଠାରେ ଫ୍ୟାମିଲି ଡ୍ରାମା ଚାଲିଥିଲା। ତା’ପରେ କନିଆଁ ସହିତ ଯିବାକୁ ରାଜି ହୋଇଥିଲେ ବର। ବରଙ୍କ ଘର ଲୋକେ ବି ବାହାଘର ପାଇଁ ଯାଇଥିଲେ କନିଆଁ ସହିତ।

Advertisment

ବରକୁ ଧରି କନିଆଁ ମନ୍ଦିରରେ ପହଞ୍ଚିବା ପରେ ହୋଇଥିଲା ବାହାଘର। ଉଭୟ କନ୍ୟା ଓ ବର ଘରର ଲୋକେ ଉପସ୍ଥିତ ରହି ଆଶୀର୍ବାଦ ଦେଇଥିଲେ।

Uttar Pradesh