Advertisment

‘ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ପାଟି ଫିଟାଇଲେ ସୁନାମୀ ଆସିବ’

‘କାହା ଦୟାରେ ନୁହେଁ, ନିଜ ସାମର୍ଥ୍ୟରେ କୁସ୍ତି ସଂଘ ଅଧ୍ୟକ୍ଷ ହୋଇଛି। ମହିଳା କୁସ୍ତି ଯୋଦ୍ଧାଙ୍କ ସମ୍ମାନ ସହ ଖେଳିବାକୁ ରାଜନୈତିକ ଷଡଯନ୍ତ୍ର ହେଉଛି।’

Brij-Bhushan-Sharan-Singh

Brij-Bhushan-Sharan-Singh

Advertisment

ଯୌନ ନିର୍ଯାତନା ପରି ସାଂଘାତିକ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କୁସ୍ତି ସଂଘ ଅଧ୍ୟକ୍ଷ ଓ କୁସ୍ତି ଯୋଦ୍ଧା। କେହି ନିଜ ଜିଦ୍‌ରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବିରେ ପ୍ରାୟ ୨ଶହ କୁସ୍ତି ଯୋଦ୍ଧା ଗତକାଲିଠୁ ଧାରଣାରେ ବସିଛନ୍ତି। ମାତ୍ର ଇସ୍ତଫା ଦେବାକୁ ସଫା ସଫା ମନା କରି ଯେକୌଣସି ଯାଞ୍ଚ ଲାଗି ପ୍ରସ୍ତୁତ ଥିବା କହିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ଫଳରେ ଏହି ବିବାଦ ଆଗକୁ କେଉଁ ରୂପ ନେବ ତାହା ଉପରେ ସମସ୍ତଙ୍କ ନଜର।

Advertisment

ନିଜ ପକ୍ଷ ରଖିବାକୁ ଆଜି ଅପରାହ୍ନ ୪ଟାରେ ବ୍ରିଜଭୂଷଣ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ସେଥିରେ ସବୁ ସଫା ସଫା କହିବେ ଓ ସବୁ ଗୁମର ଉପରୁ ପରଦା ହଟାଇବେ ବୋଲି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୁଁ ପାଟି ଫିଟାଇଲେ ସୁନାମୀ ଆସିବ । କାହା ଦୟାରେ ନୁହେଁ, ନିଜ ସାମର୍ଥ୍ୟରେ ଅଧ୍ୟକ୍ଷ ହୋଇଛି। ମହିଳା କୁସ୍ତି ଯୋଦ୍ଧାଙ୍କ ସମ୍ମାନ ସହ ଖେଳିବାକୁ ରାଜନୈତିକ ଷଡଯନ୍ତ୍ର ହେଉଛି।

ଏଥିସହ ସେ କହିଛନ୍ତି, ଖେଳ ସମୟରେ ଟିମ୍‌ର ରହଣୀ ବ୍ୟବସ୍ଥା ଆମେ କରି ନ ଥାଉ । ତାହା ଆୟୋଜକଙ୍କ ଦାୟିତ୍ୱ । ପ୍ରତ୍ୟେକ ଦେଶର ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରହିଥାନ୍ତି। ଯେଉଁ ଖେଳାଳି ମୋ’ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ନ ଥିଲେ।

Advertisment

ଅପରପକ୍ଷେ ଆଜି ବି ଜନ୍ତର ମନ୍ତରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ କ୍ରୀଡ଼ା ମନ୍ତ୍ରୀଙ୍କ ସହ ବସିଥିବା ପ୍ରାୟ ୪ ଘଣ୍ଟିଆ ବୈଠକ ସଫଳ ହୋଇ ନ ଥିବା ବେଳେ ଆଜି ପୁଣି ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧା। ରେସଲର ବବିତା, ଭିନେଶ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ପ୍ରମୁଖ ଗତକାଲି କ୍ରୀଡାମନ୍ତ୍ରୀଙ୍କୁ ଭେଟି କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଯିଏ ବି ଦୋଷୀ ହେଉନା କାହିଁକି, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ। ଏଥିସହ ଧାରଣା ପ୍ରତ୍ୟାହାର କରି କ୍ୟାମ୍ପକୁ ଚାଲିଯିବାକୁ ବି କହିଥିଲେ। ମାତ୍ର କୁସ୍ତି ଯୋଦ୍ଧାମାନେ ନିଜ ଜିଦ୍‌ରେ ଅଟଳ । ଏହି ବିବାଦର କୌଣସି ସମାଧାନ ହୋଇ ନ ଥିବାରୁ ଆଜି ଦ୍ୱିତୀୟ ଦିନରେ ବି ସେମାନେ ନିଜ ଧାରଣା ଜାରି ରଖିଛନ୍ତି। କ୍ରୀଡ଼ା ମନ୍ତ୍ରାଳୟ ଯାଞ୍ଚ ସମିତି ଗଠନ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ରିଜଭୂଷଣ ଆସନ୍ତା ୨୨ ତାରିଖରେ କୁସ୍ତି ସଂଘ ବୈଠକ ଡାକିଛନ୍ତି।

ବ୍ରିଜଭୂଷଣ ଇସ୍ତଫା ଦିଅନ୍ତୁ ବୋଲି କ୍ରୀଡ଼ା ମନ୍ତ୍ରୀଳୟ ଚାହୁଁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବା ବେଳେ ସେ କିନ୍ତୁ ନିଜ ଜିଦ୍‌ରେ ଅଟଳ। ଯେକୌଣସି ଯାଞ୍ଚ ପାଇଁ ମୁଁ ପ୍ରସ୍ତୁତ ଅଛି, କାରଣ ମୁଁ ନିର୍ଦ୍ଦୋଷ ବୋଲି କହିଛନ୍ତି କୁସ୍ତି ସଂଘ ସଭାପତି। ଏଥିସହ ମୋତେ ଫସା ଯାଉଥିବା ସେ ଅଭିଯୋଗ କରିଛନ୍ତି।

ଅଲିମ୍ପିଆନ୍ ଭିନେଶ କହିଛନ୍ତି, ବହୁ ମହିଳା ରେସଲର ଯୌନ ଶୋଷଣର ଶିକାର ହୋଇଛନ୍ତି। ଆମେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ପାଇନାହୁଁ । ଏ ଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ସଂଗଠନର ମୁଖ୍ୟ ହଟାଯିବା ସହ ସେ ଜେଲ୍‌ ନ ଯିବା ପର୍ଯ୍ୟନ୍ତ ଆମେ ଏହି ମାମଲା ଛାଡିବୁ ନାହିଁ। ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆମେ ଥାନାକୁ ଯିବୁ ବୋଲି ବି ସେ ଧମକ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe