Advertisment

ଦେଶ ପାଇଁ ଭାଇ ଲଢ଼ିଥିଲେ ଯୁଦ୍ଧ, ଏବେ ପରିବାରକୁ ମଗାଯାଉଛି ନାଗରିକତାର ପ୍ରମାଣ

ହକିମୁଦ୍ଦିନ ଶେଖଙ୍କ ଭାଇଙ୍କୁ ମଗା ଯାଉଛି ଭାରତୀୟତାର ପ୍ରମାଣ। ସେ ଭାରତର ନାଗରିକ କି ନୁହେଁ, ତା’ର ପ୍ରମାଣ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଛି।

Hakimmudin

Hakimmudin

Advertisment

ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଜନ୍ମ ଗ୍ରହଣ କରିଥିବା ହକିମୁଦ୍ଦିନ ଶେଖ ଦେଶ ପାଇଁ କାର୍ଗିଲରେ ଲଢ଼େଇ କରିଥିଲେ। ଦେଶ ପାଇଁ ଜୀବନ ଦେବାକୁ ପଛ ଘୁଞ୍ଚା ଦେଇ ନଥିଲେ। ତାଙ୍କ ପାଇଁ ଦେଶ ଥିଲା ସର୍ବୋପରି। କିନ୍ତୁ ହକିମୁଦ୍ଦିନ ଶେଖଙ୍କ ଭାଇଙ୍କୁ ମଗା ଯାଉଛି ଭାରତୀୟତାର ପ୍ରମାଣ। ସେ ଭାରତର ନାଗରିକ କି ନୁହେଁ, ତା’ର ପ୍ରମାଣ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଛି।

Advertisment

ଶନିବାର ମଧ୍ୟରାତ୍ରରେ ତଥାକଥିତ ହିନ୍ଦୁ ସଂଗଠନର ୮୦ ଜଣ ଲୋକ ସାଦା ପୋଷାକରେ ଥିବା ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସହ ପୁଣେରେ ରହୁଥିବା ହକିମୁଦ୍ଦିନଙ୍କ ଭାଇ ଈର୍ଶାଦ ଶେଖଙ୍କ ଘରେ ବଳପୂର୍ବକ ଧସେଇ ପଶିଥିଲେ। ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବାଂଲାଦେଶର ନାଗରିକ କହି ଅପମାନିତ ଏବଂ ଆତଙ୍କିତ କରିଛନ୍ତି।

ସେମାନେ ଈର୍ଶାଦ ଶେଖଙ୍କ ପରିବାର ଭାରତୀୟ ଥିଲେ କି ନାହିଁ, ତା’ର କାଗଜ ଦେଖାଇବାକୁ କହିଥିଲେ। ଏହି ଗ୍ରୁପ ସହ ଜଡ଼ିତ ତଥାକଥିତ ପୁଲିସ୍‌ କର୍ମଚାରୀ ମଧ୍ୟ ଈର୍ଶାଦ ଶେଖ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ।

Advertisment

ଶେଖ କହିଛନ୍ତି, ପରିବାର ଲୋକଙ୍କ ଆଧାର କାର୍ଡକୁ ଘରେ ଧସେଇ ପଶିଥିବା ଲୋକମାନେ ତନତନ କରି ଯାଞ୍ଚ କରିଥିଲେ। ଏ ସମ୍ପର୍କରେ ଶେଖଙ୍କୁ ଅଭିଯୋଗ କରିବାକୁ ବାରଣ କରାଯାଇଥିଲା। ପୁଲିସ୍‌ ମଧ୍ୟ ଶେଖ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇଥିଲା। ତଥାପି ଈର୍ଶାଦ ଶେଖ ଶନିବାର ରାତିରେ ସାମ୍ନା କରିଥିବା ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏ ପୁଲିସ୍‌ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି।

ଈର୍ଶାଦ ଶେଖ କହିଛନ୍ତି, “ମୋ ବଡ଼ ଭାଇ ଉତ୍ତର ପ୍ରଦେଶରେ ରୁହନ୍ତି। ଅନ୍ୟ ଦୁଇ ଭାଇ ଓ ମୁଁ ପୁଣେର ଚନ୍ଦନ ନଗର ନିକଟରେ ଦୀର୍ଘ ଦଶନ୍ଧି ହେଲା ପରିବାର ନେଇ ରହି ଆସୁଛୁ। ଶନିବାର ମଧ୍ୟରାତ୍ରରେ ପ୍ରାୟ ୮୦ରୁ ୧୦ ଜଣ ଲୋକ କବାଟ ବାଡ଼େଇଥିଲେ। ଆମେ ଯେତେବେଳେ କବାଟ ଖୋଲିଲୁ ସେତେବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଭିତରକୁ ଧସେଇ ପଶିଥିଲେ। ସେମାନେ ଆମକୁ ଆଧାର କାର୍ଡ ମାଗିଥିଲା। ଆମେ ସେମାନଙ୍କୁ ସବୁ ଦସ୍ତାବିଜ ଦେଖାଇଥିଲୁ। କିନ୍ତୁ ସେମାନେ ଏହାକୁ ନକଲି ବୋଲି କହିଥିଲେ। ଘରେ ଥିବା ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ଆଧାର କାର୍ଡ ଦେବାକୁ କହିଥିଲେ।”

ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ଈର୍ଶାଦ ଶେଖଙ୍କ ଘର ବାହାରେ କେମିତି ଅନେକ ଲୋକ ଭିଡ଼ ଜମାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୁହଁକୁ ଘୋଡ଼ାଇ ରଖିଥିଲେ। ଘଟଣା ଦିନ ଈର୍ଶାଦ ଶେଖଙ୍କ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଏହି ଅଞ୍ଚଳରେ ତାଙ୍କ ପରିବାର ୬୦ ବର୍ଷ ହେଲା ରହି ଆସୁଛନ୍ତି ଓ ତାଙ୍କ ବଡ଼ ଭାଇଙ୍କ ସମେତ ୨ ଦାଦା ଭାରତୀୟ ସେନାରେ କାମ କରୁଥିଲେ। ତଥାପି ସେମାନେ କିଛି ନ ବୁଝି ଈର୍ଶାଦ ଶେଖଙ୍କୁ ଭାରତୀୟର ପ୍ରମାଣ ଦେଖାଇବାକୁ ବାଧ୍ୟ କରିଥିଲେ।

ହକିମୁଦ୍ଦିନ ଶେଖ ୨୦୦୦ ମସିହାରେ ଜଣେ ହାବିଲଦାର ଭାବେ ଅବସର ନେଇଥିଲେ। ସେ ଇଞ୍ଜିନିୟର୍ସ କ୍ରପରେ ହାବିଦାଲ ଭାବେ ଭାରତର ସେବା କରୁଥିଲେ। ଈର୍ଶାଦ ଶେଖଙ୍କ କହିବା କଥା ଯେ ତାଙ୍କର ଦାଦା ମଧ୍ୟ ୧୯୭୧ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଦେଶ ପାଇଁ ଲଢ଼େଇ କରି ଆହତ ହୋଇଥିଲେ। ତାଙ୍କର ଆଉ ଜଣେ ଦାଦା ମଧ୍ୟ ୧୯୬୫ ଯୁଦ୍ଧରେ ଲଢ଼େଇ କରିଥିଲେ ବୋଲି ଈର୍ଶାଦ ଶେଖ କହିଛନ୍ତି।

ସେ କହିଛନ୍ତି, “ସେମାନେ କିଛି ବି ଶୁଣିବା ମୁଡରେ ନଥିଲେ। ସେମାନେ ଆମକୁ ଗାଳି କରିଥିଲେ ଓ ଆମେ ବାଂଲାଦେଶୀ ବୋଲି କହିଥିଲେ। ମୁଁ ସେମାନଙ୍କୁ ସବୁ ପ୍ରକାରର ତଦନ୍ତ କରିବାକୁ କହିଥିଲି। ସେମାନେ ଚାହିଁଲେ ତଦନ୍ତ କରିପାରିବେ। କିନ୍ତୁ ମଧ୍ୟରାତ୍ରରେ କାହା ଘର ଭିତରେ ବଳପୂର୍ବକ ପ୍ରବେଶ କରି ଛୋଟ ପିଲାଙ୍କୁ ନାଗରିକତାର କାଗଜ ମାଗିବା ଆଦୌ ଉଚିତ ନୁହେଁ ବୋଲି କହିଥିଲି।”

ଈର୍ଶାଦ ଶେଖ ଦାବି କରିଛନ୍ତି ଯେ ଧସେଇ ପଶିଥିବା ଲୋକମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ ଓ ନିଜକୁ ପୁଲିସ୍‌ କହୁଥିବା ଦୁଇ ଜଣ ବ୍ୟକ୍ତି ପରିବାର ଲୋକଙ୍କୁ ଥାନାକୁ ଯିବାକୁ ବାଧ୍ୟ କରିଥିଲେ।

ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ଡରି ଶେଖ ସେମାନଙ୍କ କଥାରେ ରାଜି ହୋଇଥିଲେ ଓ ପରିବାର ଲୋକ ସ୍ଥାନୀୟ ପୁଲିସ୍‌ ଷ୍ଟେସନକୁ ଯାଇଥିଲେ। ସେଠାରେ ସମସ୍ତଙ୍କ ଆଧାର କାର୍ଡକୁ ଜବତ କରି ନିଆଯାଇଥିଲା ଓ ସେମାନଙ୍କୁ ଦୁଇ ଘଣ୍ଟା ଧରି ଥାନାରେ ବସାଇ ରଖାଯାଇଥିଲା।

ଈର୍ଶାଦ ଶେଖ କହିଛନ୍ତି, “ଦୁଇ ଘଣ୍ଟା ବସାଇ ରଖିବା ପରେ ମହିଳା ପୁଲିସ୍‌ ଅଧିକାରୀ ଜଣଙ୍କ ଆମକୁ ଛାଡ଼ିଥିଲେ। କିନ୍ତୁ ପର ଦିନ ପୁଣି ଥାନାକୁ ଆସି ହାଜିରା ଦେବାକୁ କହିଥିଲେ। ଯଦି ଆମେ ଥାନାକୁ ନ ଆସିବୁ, ତା’ହେଲେ ଆମକୁ ବାଂଲାଦେଶୀ ନାଗରିକ ଘୋଷଣା କରାଯିବାର ଚେତାବନୀ ଦେଇଥିଲେ।”

ଶେଖ କହିଛନ୍ତି, ପରଦିନ ସେ ଥାନାକୁ ଆସିଥିଲେ। ତାଙ୍କୁ ତୁରନ୍ତ ଆଧାରଗୁଡ଼ିକ ହସ୍ତାନ୍ତର କରି ଦିଆଯାଇଥିଲା। ଏଥିସହ ପ୍ରସଙ୍ଗକୁ ନ ବଢ଼ାଇବା ସହ କୌଣସି ଅଭିଯୋଗ ନ କରିବାକୁ କୁହାଯାଇଥିଲା। ଦସ୍ତାବିଜ ଗୁଡ଼ିକ ଠିକ ଥିବା ଜଣାପଡ଼ିବାରୁ ସେମାନେ ନୀରବ ରହିବାକୁ କହିଥିଲେ ବୋଲି ଜଣାପଡ଼ିଛି।

Kargil Vijay Diwas Kargil War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe