/odisha-reporter/media/post_attachments/uploadimage/library/16_9/16_9_0/BSF_1747208622.jpg)
BSF
ପାକିସ୍ତାନ ରେଞ୍ଜର୍ସ କବଜାରେ ଥିବା ବିଏସ୍ଏଫ କନଷ୍ଟେବଳ ପୂର୍ଣ୍ଣମ କୁମାର ଶ ୨୦ ଦିନ ପରେ ଆଜି ଭାରତ ଫେରିଛନ୍ତି। ପ୍ରୋଟୋକଲ ଅନୁଯାୟୀ ପାକିସ୍ତାନ ତରଫରୁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିବା ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି।
ବିଏସ୍ଏଫ୍ ତରଫରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ଆଜି ସକାଳ ସାଢ଼େ ୧୦ଟାରେ କନଷ୍ଟେବଳ ପୂର୍ଣ୍ଣମ କୁମାର ଶ’ଙ୍କୁ ପାକିସ୍ତାନରୁ ଫେରାଇ ଅଣାଯାଇଛି। ଅଟ୍ଟାରୀ-ୱାଘା ସୀମାରେ ପାକିସ୍ତାନ ତରଫରୁ ତାଙ୍କୁ ବିଏସଏଫକୁ ହସ୍ତାନ୍ତର କରାଯାଇଥିଲା। କନଷ୍ଟେବଳ ପୂର୍ଣ୍ଣମ କୁମାର ଶ ଗତ ଏପ୍ରିଲ ୨୩ ତାରିଖରେ ଫିରୋଜପୁର ସେକ୍ଟରରେ କାର୍ଯ୍ୟରତ ଥିବା ବେଳେ ଦିନ ପ୍ରାୟ ୧୧ଟା ୫୦ରେ ଅଜାଣତରେ ପାକିସ୍ତାନୀ ସୀମା ଭିତରକୁ ଚାଲିଯାଇଥିଲେ। ଫଳରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ କବଜାକୁ ନେଇ ଅଟକ ରଖିଥିଲା।
ବିଏସ୍ଏଫ ଯବାନ ପୂର୍ଣ୍ଣମ କୁମାର ଶ ପାକିସ୍ତାନରୁ ଫେରି ଆସିଥିବା ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି। ସେମାନେ ଭାରତ ସରକାର ଓ ବିଏସ୍ଏଫକୁ ଧନ୍ୟବାଦ ଦେଇଛନ୍ତି। ଗତ ୨୦ ଦିନ ହେଲାଣି ପୂର୍ଣ୍ଣମଙ୍କ ପରିବାର ଲୋକେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ। ରାତିରେ ସେମାନେ ଶୋଇପାରୁ ନଥିଲେ। ପୂର୍ଣ୍ଣମ କେମିତି ଅବସ୍ଥାରେ ଅଛନ୍ତି, ତାହା ଭାବି ସେମାନେ ଚିନ୍ତିତ ଥିଲେ।
ପାକିସ୍ତାନରୁ ମୁକ୍ତ ହୋଇ ଭାରତ ଫେରି ଆସିଥିଲେ ହେଁ ପଶ୍ଚିମବଙ୍ଗର ପୂର୍ଣ୍ଣମ କୁମାର ଶ ତାଙ୍କ ଘରକୁ ଯାଇ ନାହାନ୍ତି। ପରିବାର ଲୋକେ ତାଙ୍କୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି।
ପୂର୍ଣ୍ଣମ କୁମାର ଶ’ ସୁରକ୍ଷିତ ଭାବେ ଫେରି ଆସିବା ପରେ ତୃଣମୂଳ କଂଗ୍ରେସ ଏକ୍ସରେ ଏକ ପୋଷ୍ଟ କରି କହିଛି, ଅନେକ ଦିନର ଅନିଶ୍ଚିତତା ପରେ ଶେଷରେ ସେ ଘରକୁ ବାହୁଡ଼ିଛନ୍ତି। ମମତା ବାନାର୍ଜୀ ବ୍ୟକ୍ତିଗତ ଭାବେ ଏକାଧିକ ଥର ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ। ସେମାନଙ୍କୁ ପ୍ରତିଶ୍ରୁତି ଦେବା ସହିତ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ।
ବିଏସଏଫର ୧୮୨ ବାଟାଲିୟରେ ନିଯୁକ୍ତ ଅଛନ୍ତି ପୂର୍ଣ୍ଣମ କୁମାର ଶ। ଗତ ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଫିରୋଜପୁର ସେକ୍ଟରରେ ସୀମା ନିକଟରେ କାର୍ଯ୍ୟରତ ଥିବା ବେଳେ ସେ ଭୁଲରେ ପାକିସ୍ତାନ ଭିତରକୁ ଚାଲି ଯାଇଥିଲେ। ଫଳରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଅଟକ ରଖିଥିଲା। ଏପଟେ ପାକିସ୍ତାନ ପୂର୍ଣ୍ଣମଙ୍କୁ ମୁକ୍ତ କରିଥିବା ବେଳେ ସେପଟେ ରାଜସ୍ତାନରେ ଭୁଲ ବଶତଃ ଭାରତ ସୀମାକୁ ପଶି ଆସିଥିବା ପାକିସ୍ତାନୀ ରେଞ୍ଜର୍ସର ଜଣେ ଯବାନଙ୍କୁ ବିଏସଏଫ ପକ୍ଷରୁ ମୁକ୍ତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
