Advertisment

ନିର୍ମଳା ସୀତାରମଣଙ୍କ ପସନ୍ଦ ହାତବୁଣା ଇଲ୍‌କଲ୍‌ ଶାଢ଼ୀ

ଏହି ସୁନ୍ଦର ହସ୍ତତନ୍ତ ଲାଲ୍ ଇଲ୍‌କଲ ସିଲ୍‌କ ଶାଢ଼ୀଟି କର୍ଣ୍ଣାଟକର ଧରୱାଡରୁ ଆସିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Niramala Sitharaman

Niramala Sitharaman

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ରୀୟ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌କୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ନିର୍ମଳା ସୀତାରମଣ ପିନ୍ଧିଥିବା ଶାଢ଼ୀକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ଜୋର ଧରିଛି। ପୁଣି ଥରେ ହାତବୁଣା ଶାଢ଼ୀରେ ନଜର ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

ପ୍ରତିବର୍ଷ ବଜେଟ ଡେ’ରେ ସେ ପିନ୍ଧୁଥିବା ଶାଢ଼ୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ୨୦୧୯ରେ ଭାରତର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ସେ ପ୍ରତ୍ୟେକ ଥର ବଜେଟ୍ ଦିନରେ ବିଭିନ୍ନ ରାଜ୍ୟର ହାତବୁଣା ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟରେ ସେ ଲାଲ ରଙ୍ଗର ହାତବୁଣା ଶାଢ଼ୀ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ବର୍ଷ ସେ ଦକ୍ଷିଣ ଭାରତର ପ୍ରସିଦ୍ଧ ହାତବୁଣା ଇଲକଲ୍‌ ସିଲ୍‌କ ଶାଢ଼ୀ ପିନ୍ଧିଛନ୍ତି। 

ନାଭାଲାଗୁଣ୍ଡା ଏମ୍ବ୍ରୋଡୋରୀ ସହିତ ଏହି ସୁନ୍ଦର ହସ୍ତତନ୍ତ ଲାଲ୍ ଇଲ୍‌କଲ ସିଲ୍‌କ ଶାଢ଼ୀଟି କର୍ଣ୍ଣାଟକର ଧରୱାଡରୁ ଆସିଛି। ଏହି ଶାଢ଼ୀକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପହାର ସ୍ୱରୂପ ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ଜଣାପଡିଛି। ପ୍ରହ୍ଲାଦ ଯୋଶୀ ଅର୍ଥମନ୍ତ୍ରୀଙ୍କ ପାଖକୁ ୭ଟି ଶାଢ଼ୀ ପଠାଇଥିଲେ ସେଥିରୁ ସେ ଦୁଇଟି ବାଛିଥିଲେ। ଗୋଟିଏ ଏହି ଲାଲ ରଙ୍ଗର ଓ ଆଉ ଗୋଟିଏ ନୀଳ ରଙ୍ଗର।  

Advertisment

ଗତବର୍ଷ ମଧ୍ୟ ସୀତାରମଣଙ୍କ ଶାଢ଼ୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ୨୦୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ଦିନ ନିର୍ମଳା ଓଡ଼ିଶାର ପ୍ରସିଦ୍ଧ ହାତବୁଣା ବୋମକେଇ ପାଟ ଶାଢ଼ୀ ପିନ୍ଧିଥିବା ନଜର ଆସିଥିଲେ।

Nirmala Sitharamanପ୍ରତି ବଜେଟ୍ ଡେ'ରେ ଭିନ୍ନ ଭିନ୍ନ ହ୍ୟାଣ୍ଡଲୁମ୍‌ ଶାଢ଼ୀରେ ନିର୍ମଳା ସୀତାରମଣ

୨୦୨୧ ବଜେଟ୍‌ ଡେ'ରେ ମଧ୍ୟ ନିର୍ମଳା ସୀତା ରମଣ ଲାଲ ଓ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏହା ମଧ୍ୟ ହାତବୁଣା ସିଲ୍‌କ ଶାଢ଼ୀ ଥିଲା। ଦକ୍ଷିଣ ଭାରତର ପୋଚମପଲ୍ଲୀ ଶାଢ଼ୀରେ ଇକାତ୍‌ ପ୍ରିଣ୍ଟ ହୋଇଥିଲା। ଯାହା ଦେଖିବାକୁ ବେଶ୍‌ ସୁନ୍ଦର ଥିଲା।

୨୦୨୦ରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ହଳିଦିଆ ରଙ୍ଗରେ ନୀଳ ରଙ୍ଗର ବୋର୍ଡର ଥିଲା। ଏହା ମଧ୍ୟ ହାତବୁଣା ଶାଢ଼ୀ ଥିଲା।

ସେହିପରି ୨୦୧୯ରେ ଅର୍ଥମନ୍ତ୍ରୀ ହେବା ପରେ ପ୍ରଥମ ଥର ବଜେଟ୍‌ ଉପସ୍ଥପାନ କରିଥିଲେ ନିର୍ମଳା ସୀତାରମଣ। ନିଜର ପ୍ରଥମ ବଜେଟ ଉପସ୍ଥାପନ ବେଳେ ନିର୍ମଳା ଗୋଲାପି ରଙ୍ଗର ମଙ୍ଗଳଗିରି ଶାଢ଼ୀରେ ନଜର ଆସିଥିଲେ। ଏହି ଶାଢ଼ୀରେ ଗୋଲ୍ଡେନ୍‌ ରଙ୍ଗର ବର୍ଡର ଥିଲା।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହାତବୁଣା ଶାଢ଼ୀ ପ୍ରତି ବେଶ୍‌ ଆଗ୍ରହ ରହିଛି। ସେ ହାତବୁଣା ସିଲ୍‌କା ଶାଢ଼ୀ ପିନ୍ଧିବାକୁ ଭଲପାଆନ୍ତି। ତାଙ୍କ ପାଖରେ ହାତବୁଣା ଶାଢ଼ୀର ଅନେକ ଗୁଡିଏ କଲେକ୍‌ସନ୍‌ ରହିଥିବା କୁହାଯାଉଛି। ସାଧାରଣତଃ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ନିର୍ମଳା ଅଧିକାଂଶ ହାତବୁଣା ଶାଢ଼ୀ ପିନ୍ଧିଥିବା ନଜର ଆସିଥା'ନ୍ତି।

Union Budget 2023 Budget2023