Building Collapses
ଭୟଙ୍କର ଅଗ୍ନିକାଣ୍ଡ ପରେ ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବୁଧବାର ଉତ୍ତର ଦିଲ୍ଲୀର ରୋଶନାରା ରେଡ୍ରେ ଅଗ୍ନିକାଣ୍ଡ ପରେ ଏକ ବିଲ୍ଡିଂ ଭୁଶୁଡ଼ି ପଡିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲ୍ଡିଂର ନିଆଁ ଲିଭାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ପୁଲିସ ସୂଚନା ଦେଇଛି।
ସୂଚନା ମୁତାବକ, ଉତ୍ତର ଦିଲ୍ଲୀରେ ଥିବା ଜୟପୁର ଗୋଲ୍ଡେନ୍ ଟ୍ରାନ୍ସପୋର୍ଟର ଏହି ୩ ମହଲା ବିଲ୍ଡିଂରେ ଆଜି ସକାଳ ୧୧ଟାରେ କୌଣସି କାରଣ ବଶତଃ ନିଆଁ ଲାଗିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୮ଟି ଦମକଳ ଗାଡି ଘଟଣାସ୍ଥଳରେ ଉପସ୍ଥିତ ଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍ ଦେଖୁ ଦେଖୁ ବିଲ୍ଡିଂଟି ଭୁଶୁଡି ପଡିଥିଲା।
୫ ସେକେଣ୍ଡରୁ କମ୍ରେ ମଧ୍ୟ ଏହି ବିଲ୍ଡିଂଟି ଭୁଶୁଡି ପଡିବା ଯୋଗୁଁ ପୂରା ଅଞ୍ଚଳରେ ଧୂଆଁ ଆଉ ଧୂଳି ଭର୍ତ୍ତି ହୋଇଯାଇଥିଲା। ଫଳରେ ଚାରିଆଡେ କିଛି ଦେଖାଯାଇ ନଥିଲା। ପାଖରେ ଥିବା ଲୋକେ ଧୂଳି ଯୋଗୁ ଅଣନିଶ୍ୱାସୀ ହୋଇଯାଇଥିଲେ। ଏହି ପୂରା ଦୁର୍ଘଟଣା ଭିଡିଓ କ୍ୟାମେରାରେ କଏଦ୍ ହୋଇଛି।
ଅନ୍ୟପଟେ କେଉଁ କାରଣରୁ ଏହି ବିଲ୍ଡିଂରେ ନିଆଁ ଲାଗିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ। ଏହାର ଯାଞ୍ଚ ଜାରି ରହିଥିବା ଅଧିକାରୀମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1677674341.jpg)