Advertisment

ବଢ଼ି ପାଣିରୁ ପ୍ରୀତମକୁ ଉଦ୍ଧାର କଲା ଏନ୍‌ଡିଆରଏଫ୍, ଷଣ୍ଢର ଦାମ୍‌ କୋଟିଏ ଟଙ୍କା

ଆଜି ନୋଇଡ଼ା ଅଞ୍ଚଳରୁ ଏହି ୩ ଷଣ୍ଢକୁ ଏନ୍‌ଏଡିଆରଏଫ୍ ଉଦ୍ଧାର କରିଥିବା ବେଳେ ଯାହା ଭିତରେ ରହିଛି ପ୍ରୀତମ। ଏନ୍‌ଡିଆରଏଫ୍‌ର ୮ମ ବାଟାଲିୟନ ଏହାର ଫଟୋ ଟ୍ୱିଟ କରିବା ପରେ ଚର୍ଚ୍ଚା ଜୋର ଧରିଛି।

author-image
Niranjan Mishra
 'Pritam',

'Pritam',

ବଢ଼ି ପାଣିରୁ ଉଦ୍ଧାର ହେଲା ଷଣ୍ଢ। ଯାହାର ଦାମ୍ କୋଟିଏ ଟଙ୍କା। ପ୍ରବଳ ବର୍ଷା ପରେ ଏବେ ଯମୁନା ନଦୀର ବଢ଼ି ଯୋଗୁ ରାଜଧାନୀ ଦିଲ୍ଲୀ ତଳି ଅଞ୍ଚଳରେ ପଶି ଯାଇଛି। ଫଳରେ ବହୁ ଲୋକ ପାଣି ଭିତରେ ଫସି ରହିଛି। ଏହି ବଢ଼ି ପାଣିରେ ଫସିଥିବା ଗୋଟିଏ ଷଣ୍ଢକୁ ଏନ୍‌ଡିଆରଏଫ୍‌(ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ) ଆଜି ଉଦ୍ଧାର କରିଛି। ବେଶ ଜଣାଶୁଣା ଏହି ଷଣ୍ଢର ନାଁ ପ୍ରୀତମ।

Advertisment

ଆଜି ନୋଇଡ଼ା ଅଞ୍ଚଳରୁ ଏହି ୩ ଷଣ୍ଢକୁ ଏନ୍‌ଏଡିଆରଏଫ୍ ଉଦ୍ଧାର କରିଥିବା ବେଳେ ଯାହା ଭିତରେ ରହିଛି ପ୍ରୀତମ। ଏନ୍‌ଡିଆରଏଫ୍‌ର ୮ମ ବାଟାଲିୟନ ଏହାର ଫଟୋ ଟ୍ୱିଟ କରିବା ପରେ ଚର୍ଚ୍ଚା ଜୋର ଧରିଛି।

ଦିଲ୍ଲୀ ତଳିଆ ଅଞ୍ଚଳରେ ବଢ଼ି ପାଣି ପଶିବା ନେଇ ସତର୍କ ସୂଚନା ଜାରି ପରେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସଚେତନ କରାଯାଇଥିଲା। ଯାହାପରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଗ୍ରେଟ୍ ନୋଇଡ଼ାରେ ସର୍ଚ୍ଚ ଅପରେସନ ବେଳେ ଏନ୍‌ଡିଆରଏଫ୍ ଏହି ଉଦ୍ଧାର କାର୍ଯ୍ୟ କରିଛି।

Advertisment

ବଢ଼ି ପାଣି ଜମୁଥିବା ନୋଇଡାର ତଳିଆ ଅଞ୍ଚଳରୁ ଗୁରୁବାର ଠାରୁ ଆଜି ଯାଏଁ ପ୍ରାୟ ୫୯୭୪ ଗୃହପାଳିତ ପ୍ରାଣୀ ଯଥା ଗୋରୁ, ଠେକୁଆ, ଗଞ୍ଜା, ଘୁଷୁରୀ। ସେହିପରି ଏହି ବନ୍ୟାରେ ୫୫୦ ହେକ୍ଟର ଜମି ବୁଢ଼ି ଯାଇଛି। ୮ ଗାଁର ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମୁନାର ଜଳସ୍ତର ବିପଦସଙ୍କେତର ୨ ମିଟର ଉପରେ(୨୦୭.୬୮ମିଟର) ପ୍ରବାହିତ ହେଉଛି।

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

କେବେ ଭୋଗିନଥିବା ବନ୍ୟା ଦୁର୍ଦ୍ଦଶାରେ ୩ ଦିନ ହେଲାଣି ଛଟପଟ ହେଉଛନ୍ତି ଦିଲ୍ଲୀ ବାସିନ୍ଦା। ଉଛୁଳା ଯମୁନା ଧୀରେ ଧୀରେ ଶାନ୍ତ ପଡ଼ୁଥିଲେ ବି, କ୍ୟାପିଟାଲ୍ ସିଟିର ଉବୁଟୁବୁ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନି। ସେଣ୍ଟ୍ରାଲ୍ ଦିଲ୍ଲୀ, ଆଇଟିଓ, ରାଜଘାଟ, ହନୁମାନ ମନ୍ଦିର, ଯମୁନା ବଜାର, ଗୀତା କଲୋନି, ସିଭିଲ୍ ଲାଇନ୍, ରିଙ୍ଗରୋଡ୍ ଏପରିକି ସୁପ୍ରିମକୋର୍ଟ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିଛି।

ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀ ଆଇଟିଓ ବ୍ୟାରେଜ ପାଖରେ ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ
ଚଳାଇଛନ୍ତି ଆର୍ମି ଓ ନେଭି। ଯମୁନା ନଦୀରେ ଥିବା ଏହି ବ୍ୟାରେଜରେ ବହୁବର୍ଷ ଧରି ଅଚଳ ପଡ଼ିଥିବା ୫ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ଗତକାଲିଠୁ
ଚେଷ୍ଟା ଚାଲିଛି। ଗତକାଲି ଗୋଟିଏ ଗେଟ୍ ଖୋଲିବାରେ ସଫଳତା ମିଳିଥିଲା। ନୌସେନା ବୁଡ଼ାଳି ଦଳ ପଙ୍କୋଦ୍ଧାରରେ ଲାଗିଛନ୍ତି। ୫ଟି ଯାକ ଗେଟ୍ ଖୋଲିଗଲେ, ଦିଲ୍ଲୀର ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଆଶା ରଖାଯାଇଛି।

କେବଳ ଅଚଳ ବ୍ୟାରେଜକୁ କାର୍ଯ୍ୟକ୍ଷମ କରିବା ନୁହେଁ, ଏନ୍‌ଡିଆରଏଫ୍ ସହ ମିଶି ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଲାଗିଛି ସ୍ଥଳସେନା। ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନିଆଯାଉଛି। ଯବାନମାନେ ୱଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରିବାରେ ଲାଗିଛନ୍ତି । ଦିଲ୍ଲୀରେ ୩ଟି ଜଳବିଶୋଧନ କାରଖାନା ଜଳାର୍ଣ୍ଣବ ହେବା ଫଳରେ, ପାନୀୟ ଜଳସଂକଟ ଉତ୍କଟ ହୋଇଥିଲା। ରେସ୍କ୍ୟୁ ଅପରେସନରେ ୧୬ଟି NDRF ଟିମ୍ ନିୟୋଜିତ ହୋଇଛନ୍ତି। ଉଦ୍ଧାର ଜୀବଜନ୍ତୁଙ୍କ ମଧ୍ୟରେ ସାମିଲ ଅଛି ଭାରତର ନମ୍ବର ୱାନ୍ ଷଣ୍ଢ ପ୍ରୀତମ୍ ।ଯାହାର ଦାମ୍ ୧ କୋଟି ଟଙ୍କା ବୋଲି ସୂଚନା ଦେଇଛି NDRF।

ତେଣେ ଗତକାଲି ମୁକୁନ୍ଦପୁର ଅଞ୍ଚଳରେ ୩ ଜଣ ନାବାଳକ ବନ୍ୟାପାଣିରେ ମଉଜ କରିବାକୁ ଯାଇ ଭାସିଯାଇଥିଲେ । ଏହାକୁ ଦିଲ୍ଲୀ ବନ୍ୟାର ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ଏସବୁ ଭିତରେ ଦିଲ୍ଲୀ ବନ୍ୟାକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

Flood Situation Delhi Floods