Advertisment

ପରିବାର ସଦସ୍ୟଙ୍କ ସହ କାହିଁକି ଜୀବନ ହାରିଲେ ପ୍ରଶାସନିକ ଅଧିକାରୀ?

ପ୍ରଶାସନିକ ଅଧିକାରୀ ମନୀଷ ବିଜୟ ୪ ଦିନ ଛୁଟି ନେଇଥିଲେ। ଛୁଟି ଶେଷ ହେବା ପରେ ସେ ଅଫିସକୁ ଯାଇ ନଥିଲେ କିମ୍ବା କୌଣସି ଫୋନ କଲର ଜବାବ ଦେଇ ନଥିଲେ।

IPS

IPS

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। କେନ୍ଦ୍ରୀୟ ଏକସାଇଜ୍‌ ଓ ଜିଏସ୍‌ଟିର ଅତିରିକ୍ତ କମିଶନର, ତାଙ୍କ ମା’ ଓ ଭଉଣୀଙ୍କ ମୃତଦେହ ସେମାନଙ୍କର କେରଳ ସ୍ଥିତ ଘର ଭିତରୁ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି। ଏମାନେ ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। କିନ୍ତୁ ସେମାନେ କାହିଁକି ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନି। ସେହିପରି ଏପରି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ଖୋଳତାଡ଼ ମଧ୍ୟ ପୁଲିସ୍‌ ଆରମ୍ଭ କରିଛି।

Advertisment

ପ୍ରକୃତରେ ପ୍ରଶାସନିକ ଅଧିକାରୀ ମନୀଷ ବିଜୟ ୪ ଦିନ ଛୁଟି ନେଇଥିଲେ। ଛୁଟି ଶେଷ ହେବା ପରେ ସେ ଅଫିସକୁ ଯାଇ ନଥିଲେ କିମ୍ବା କୌଣସି ଫୋନ କଲର ଜବାବ ଦେଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ବିଜୟଙ୍କ କିଛି ସହକର୍ମୀ ତାଙ୍କ ଘରେ ପହଞ୍ଚିଥିଲେ। ସେମାନେ ବିଜୟଙ୍କ ସରକାରୀ ବାସଭବନରେ ପହଞ୍ଚିବା କ୍ଷଣି ଭୟଙ୍କର ଦୁର୍ଗନ୍ଧକୁ ଅନୁଭବ କରିଥିଲେ। ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଉପସ୍ଥିତିରେ କବାଟ ଭାଙ୍ଗି ଘର ଭିତରୁ ଯାଇଥିଲା। ଏହି ସମୟରେ ଦେଖିବାକୁ ମିଳିଥିଲା ଯେ ଘରର ଦୁଇଟି ଭିନ୍ନଭିନ୍ନ ରୁମରେ ବିଜୟ ଓ ତାଙ୍କ ଭଉଣୀ ଶାଲିନୀ ଝୁଲନ୍ତା ଅବସ୍ଥାରେ ରହିଛନ୍ତି। ସେମାନଙ୍କ ମା’ ଶଙ୍କୁନ୍ତଳାଙ୍କ ମୃତଦେହ ଆଉ ଗୋଟିଏ ରୁମର ବେଡରେ ପଡ଼ି ରହିଥିଲା। ଶଙ୍କୁନ୍ତଳାଙ୍କ ଉପରେ ଧଳା ଚଦର ଘୋଡ଼ା ଯାଇଥିବା ବେଳେ କିଛି ଫୁଲ ମଧ୍ୟ ତାଙ୍କ ମୃତଦେହ ଉପରେ ରହିଥିଲା। ଏଥିରୁ ଜଣାପଡ଼ୁଛି ଯେ ବିଜୟଙ୍କ ମା’ ଶଙ୍କୁନ୍ତଳା ପ୍ରଥମେ ପ୍ରାଣ ହରାଇଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି। ଏହାପରେ ବିଜୟ ଓ ତାଙ୍କ ଭଉଣୀ ଭିନ୍ନଭିନ୍ନ ରୁମକୁ ଯାଇ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି।

Advertisment

କୋଚି ପୁଲିସ୍‌ କମିଶନର ପୁଟ୍ଟା ବିମଳାଦିତ୍ୟ କହିଛନ୍ତି, ମୃତଦେହଗୁଡ଼ିକ କିଛି ଦିନ ହେଲା ଘର ଭିତରେ ରହିଥିଲା। ସେଗୁଡ଼ିକ ପଚିବା ଆରମ୍ଭ କରିଥିବା ବେଳେ ପ୍ରବଳ ଦୁର୍ଗନ୍ଧ ମଧ୍ୟ ହେଉଛି। ଏବେ କେବଳ ଫରେନ୍ସିକ ଯାଞ୍ଚ ପରେ ସେମାନେ କେବେ ପ୍ରାଣ ହରାଇଛନ୍ତି, ସେକଥା ଜଣାପଡ଼ିବ।

ପୁଲିସ ପ୍ରଶାସନିକ ଅଧିକାରୀ ବିଜୟଙ୍କ ଘରୁ ଗୋଟିଏ ଡାଏରୀ ଠାବ କରିଛି। ଏଥିରେ ଲେଖାଯାଇଛି ଯେ ସେମାନଙ୍କର ଜଣେ ବଡ଼ ଭଉଣୀ ବିଦେଶରେ ରହୁଛନ୍ତି। ଦୟା କରି ତାଙ୍କୁ ମୃତ୍ୟୁ ସମ୍ପର୍କରେ ଅବଗତ କରାଇବେ। ପୁଲିସ୍‌ ଏହାକୁ ଜବତ କରି ଘରର ବଡ଼ ଝିଅଙ୍କ ସହ ଯୋଗାଯୋଗ କରିଛି।

ବିଜୟ ଓ ତାଙ୍କ ପରିବାର ହେଉଛନ୍ତି ଝାରଖଣ୍ଡର ମୂଳବାସିନ୍ଦା। ବିଜୟ କେରଳରେ କେନ୍ଦ୍ରୀୟ ଅବକାରୀ ଓ ଜିଏସଟିର ଅତିରିକ୍ତ କମିଶନର ଭାବେ କାମ କରନ୍ତି। ତେଣୁ ସେ ଏର୍ଣ୍ଣାକୁଲମରେ ଥିବା କାକ୍କାନାଡ କଷ୍ଟମ୍ସ କ୍ୱାର୍ଟର୍ସରେ ରହୁଥିଲେ। ପୂର୍ବରୁ ସେ କୋଝିକୋଡ ଏୟାରପୋର୍ଟରେ କଷ୍ଟମ୍ସ ପ୍ରିଭେନଟିଭ ଭାବେ କାମ କରୁଥିଲେ। ଦେଢ଼ ‍ବର୍ଷ ତଳେ ତାଙ୍କୁ କୋଚିକୁ ବଦଳି କରାଯାଇଥିଲା। କିଛି ମାସ ତଳେ ତାଙ୍କର ମା’ ଓ ଭଉଣୀ ମଧ୍ୟ ବିଜୟଙ୍କ ସହ କାକ୍କାନାଡ କଷ୍ଟମ୍ସ କ୍ୱାର୍ଟର୍ସରେ ରହିବା ଆରମ୍ଭ କରିଥିଲେ।

ପୁଲିସର କହିବା କଥା ଯେ ଶାଲିନୀ ଝାରଖଣ୍ଡରେ ଗୋଟିଏ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଏଥିପାଇଁ ବିଜୟ ଅଫିସରୁ ୪ ଦିନ ଛୁଟି ଆଣିଥିଲେ। ଶାଲିନୀ ୨୦୦୭ ଝାରଖଣ୍ଡ ପବ୍ଲିକ ସର୍ଭିସ କମିଶନ (ଜେପିଏସ୍‌ସି) ପରୀକ୍ଷାରେ ୧ନଂ ସ୍ଥାନ ଦଖଲ କରିଥିଲେ। ଏହି ସଫଳତା ପରେ ତାଙ୍କୁ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ତାଙ୍କ ରାଙ୍କକୁ ପରବର୍ତ୍ତୀ ଅବସ୍ଥାରେ ଚ୍ୟାଲେଞ୍ଜ କରାଯାଇଥିଲା। ଶୁଣାଣି ବେଳେ ରାଙ୍କକୁ ବାତିଲ କରାଯାଇଥିଲା ଓ ଶାଲିନୀ ଚାକିରି ହରାଇଥିଲେ। ୨୦୨୪ରେ ସିବିଆଇ ମାମଲାର ତଦନ୍ତ କରି ଚାର୍ଜଶିଟ ଦାଖଲ କରିଛି। ମାମଲା ଏବେ କୋର୍ଟରେ ପଡ଼ି ରହିଛି। ସମ୍ଭବତଃ ଏହି ମାନସିକ ଚାପ ଯୋଗୁ ପୂରା ପରିବାର ଜୀବନ ହାରିଥିବା ସନ୍ଦେହ କରାଯାଉଛି।

ବିଦେଶରେ ଥିବା ଭଉଣୀ ଆସିବା ପରେ ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ କରାଯିବ। ପୁଲିସ୍‌ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Kerala Jharkhand Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe