Advertisment

ଟ୍ରକ୍‌ ତଳେ ଚାପି ହୋଇ ବସ୍‌ ଚୁରମାର; ୭ ମୃତ, ୪୦ ଗୁରୁତର

ବସ୍‌ଟି ଲକ୍ଷ୍ନୌ- ଗୋରଖପୁର ରାଜମାର୍ଗରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ଟ୍ରକ୍‌ ବସ୍‌ଟିକୁ ଜୋର୍‌ରେ ପିଟିଥିଲା।

author-image
Niharika Rout
Accident

Accident

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଚାଲିଯାଇଛି ୭ ଜୀବନ । ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଏତେ ଜୋର ଥିଲା ଯେ, ମାଲ୍‌ ବୋଝେଟ ଟ୍ରକ୍‌ଟି ବସ୍‌ ଉପରେ ଓଲଟି ପଡ଼ିଥିଲା। ଫଳରେ ବସ୍‌ରୁ ଯାତ୍ରୀଙ୍କୁ ବାହାର କରିବା ଖୁବ୍‌ କଷ୍ଟକର ହୋଇ ପଡ଼ିଥିଲା।

Advertisment

ଗତକାଲି ରାତିରେ ଅଯୋଧ୍ୟାରୁ ଆମ୍ବେଦକର ନଗର ଅଭିମୁଖେ ଏକ ବସ୍‌ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଯାଉଥିଲା। ବସ୍‌ଟି ଲକ୍ଷ୍ନୌ- ଗୋରଖପୁର ରାଜମାର୍ଗରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ଟ୍ରକ୍‌ ବସ୍‌ଟିକୁ ଜୋର୍‌ରେ ପିଟିଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଭାରସାମ୍ୟ ହରାଇ ଟ୍ରକ୍‌ଟି ବସ୍‌ ଉପରେ ହିଁ ଓଲଟି ପଡ଼ିଥିଲା। ଫଳରେ ତା’ ତଳେ ଯାତ୍ରୀମାନେ ଚାପି ହୋଇ ଯାଇଥିଲେ।

ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ, ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରକ୍‌ଟିକୁ କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ତା’ ତଳୁ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ୪୦ ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି।

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Uttar Pradesh Deadbody Road Accident