Advertisment

ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ନେଇ ଝଗଡ଼ା: ସଫେଇ କର୍ମଚାରୀଙ୍କୁ ଧମକାଇ ଗୁଳି ଫୁଟାଇଲେ ବ୍ୟବସାୟୀ

ମହେଶ ଓ ତାଙ୍କ ପୁଅ ଆସିବା ପରେ ସଫେଇ କର୍ମଚାରୀଙ୍କ ସହିତ ସେମାନଙ୍କର ଜୋରଦାର ପାଟିତୁଣ୍ଡ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଏକାଠି ଦେବାକୁ ନେଇ ଝଗଡ଼ା ହେବା ପରେ ଜଣେ ବ୍ୟବସାୟୀ ସଫେଇ କର୍ମଚାରୀଙ୍କୁ ଧମକଚମକ ଦେବା ସହିତ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ସଫେଇ କର୍ମଚାରୀଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।

Advertisment

ଅଭିଯୁକ୍ତଙ୍କ ନାଁ ମହେଶ ପଟେଲ। ସେ ଜଣେ ପେଟ୍ରୋଲ ପମ୍ପ ମାଲିକ। ଗତ ଶନିବାର ସଫେଇ କର୍ମଚାରୀମାନେ ଗାଡ଼ି ନେଇ ବର୍ଜ୍ୟବସ୍ତୁ ନେବାକୁ ମହେଶଙ୍କ ଘରକୁ ଆସିଥିଲେ। ମହେଶଙ୍କ ପତ୍ନୀ ସେମାନଙ୍କୁ ବର୍ଜ୍ୟବସ୍ତୁ ଦେଇଥିଲେ। ତେବେ ସେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତକୁ ଏକାଠି ମିଶାଇ ଆଣିଥିବାରୁ ସଫେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କ ବଢ଼ି ଚାଲିଲା ଓ ଏଥିରେ ଆସି ସାମିଲ ହୋଇଥିଲେ ମହେଶ ଏବଂ ତାଙ୍କ ପୁଅ।

ମହେଶ ଓ ତାଙ୍କ ପୁଅ ଆସିବା ପରେ ସଫେଇ କର୍ମଚାରୀଙ୍କ ସହିତ ସେମାନଙ୍କର ଜୋରଦାର ପାଟିତୁଣ୍ଡ ହୋଇଥିଲା। ତା’ଭିତରେ ମହେଶ ଘର ଭିତରକୁ ଯାଇ ଏକ ବନ୍ଧୁକ ଧରି ଆସିଥିଲେ। ସେ ତାଙ୍କ ଘର ଫାଟକ ପାଖରୁ ସଫେଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ।କେବଳ ସେତିକି ନୁହେଁ, ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ। ମହେଶ ଗୁଳି ଫୁଟାଇବା ପରେ ସଫେଇ କର୍ମଚାରୀମାନେ ଗାଡ଼ି ନେଇ ସେଠାରୁ ପଳାଇଥିଲେ। ତେବେ କଥା ଏତିକିରେ ଶେଷ ହୋଇ ନଥିଲା। ସଫେଇ ଗାଡ଼ିର ଡ୍ରାଇଭର ଯାଇ ଥାନାରେ ଏତଲା ଦେଇଥିଲେ। ମହେଶ ସେମାନଙ୍କୁ ଗୁଳି କରି ଦେବାକୁ ଧମକ ଦେଇଥିବା ବେଳେ ତାଙ୍କ ପୁଅ ମାରି ପୋତି ଦେବୁ ବୋଲି କହିଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

Advertisment

ମହେଶ ରାଜ୍ୟର ପୂର୍ବତନ ବିଧାୟକ ତଥା ବିଜେପି ନେତା ମନୋଜ ପଟେଲଙ୍କ ସଂପର୍କୀୟ ହୋଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହୋଇଛି। ତେବେ ପୂରା ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୁଲିସ୍ କହିଛି ଯେ ସେଦିନ କ’ଣ ଘଟିଥିଲା, ସେ ନେଇ ଯାଞ୍ଚ ଚାଲିଛି।