Advertisment

ଆତ୍ମହତ୍ୟା ନା ହତ୍ୟା? ଘର ଭିତରୁ ମିଳିଲା ବ୍ୟବସାୟୀ, ମା’, ପତ୍ନୀ ଓ ପୁଅ

ଚେତନ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ତାଙ୍କ ଉପରେ ଋଣ ଭାରର ଚାପ ବଢ଼ି ଚାଲିଥିଲା।

author-image
Hemant Lenka
Cetan

Cetan

ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ଦକ୍ଷିଣ ମହୀଶୂରରେ ଥିବା ଆପାର୍ଟମେଣ୍ଟରୁ ସୋମବାର ସକାଳୁ ୪ ଜଣଙ୍କ ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତକମାନେ ହେଲେ ବ୍ୟବସାୟୀ ତଥା ମେକାନିକାଲ ଇଞ୍ଜିନିୟର ଚେତନ, ତାଙ୍କ ୪୩ ବର୍ଷୀୟ ପତ୍ନୀ ରୂପାଲୀ, ୧୫ ବର୍ଷୀୟ ପୁଅ କୁଶଲ ଓ ଚେତନଙ୍କ ମା’ ୬୫ ବର୍ଷୀୟ ପ୍ରିୟମ୍ବଦା। ସକାଳୁ ସକାଳୁ ଦୁଇଟି ଫ୍ଲାଟରୁ ୪ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

Advertisment

ପୁଲିସ୍‌ର କହିବା କଥା ଯେ ଚେତନଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସେହିପରି ତାଙ୍କ ପତ୍ନୀ ଓ ପୁଅର ମୃତଦେହକୁ ସଂକଳ୍ପ ସେରେନା ଆପାର୍ଟମେଣ୍ଟର ଫ୍ଲାଟରୁ ଉଦ୍ଧାର କରାଯାଇଛି। ସମାନ ଆପାର୍ଟମେଣ୍ଟର ଆଉ ଗୋଟିଏ ଫ୍ଲାଟରୁ ଚେତନଙ୍କ ମା’ ପ୍ରିୟମ୍ବଦାଙ୍କ ମୃତଦେହ ଠାବ ହୋଇଛି। ପୁଲିସ୍‌ କମିଶନର ସୀମା ଲାଟକର ଓ ଡିସିପି ଜାହ୍ନବୀ ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। କମିଶନର ଓ ଡିସିପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଚେତନ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ତାଙ୍କ ଉପରେ ଋଣ ଭାରର ଚାପ ବଢ଼ି ଚାଲିଥିଲା। କୁହାଯାଉଛି ଯେ ରବିବାର ସନ୍ଧ୍ୟାରେ ପୂରା ଘଟଣା ଘଟିଛି। ଚେତନଙ୍କ ଜଣେ ସମ୍ପର୍କୀୟ ସୋମବାର ସକାଳୁ ପୁଲିସ୍‌କୁ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଛି। ସମ୍ପର୍କୀୟଙ୍କ ଫୋନକୁ ଚେତନ ଗୋଟିଏ ଭଏସ ମେସେଜ ପଠାଇଥିଲେ। ଏଥିରେ ସେ ଜୀବନ ହାରିବାକୁ ଯାଉଥିବା କହୁଛନ୍ତି। ତେବେ ସେ ପରିବାରର ସମସ୍ତଙ୍କୁ ହତ୍ୟା କରିବା ପରେ ଜୀବନ ହାରିଛନ୍ତି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଋଣ ଚାପ ଯୋଗୁ ସେ ଜୀବନ ହାରିଛନ୍ତି ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି, ତା’ର ମଧ୍ୟ ତଦନ୍ତ କରାଯାଉଛି।

Advertisment

ବ୍ୟସାୟୀ ଚେତନ କିଏ?

ଚେତନଙ୍କ ଘର ହାସନର ଗୋରୁର ଅଞ୍ଚଳରେ। ସେ ୨୦୧୯ରେ ମହୀଶୂରକୁ ଆସିବା ପୂର୍ବରୁ ଦୁବାଇରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ମହୀଶୂରକୁ ଆସିବା ପରେ ସେ ଗ୍ରାଜ୍ୟୁଏଟମାନେ କେମିତି ଦୁବାଇର ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇବେ, ସେନେଇ ପରାମର୍ଶ ଦେବାକୁ ଗୋଟିଏ ଅଫିସ ଖୋଲିଥିଲେ। ରବିବାର ଚେତନ ପୂରା ପରିବାର ସହ ଗୋରୁର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିରରୁ ଫେରି ରୂପାଲୀଙ୍କ ବାପ ଘରେ ପରିବାର ଲୋକ ରାତ୍ର ଭୋଜନ କରି ନିଜ ଆପାର୍ଟମେଣ୍ଟକୁ ଫେରିଥିଲେ।

ସୂତ୍ର ଅନୁସାରେ ଘରକୁ ଫେରିବା ପରେ ଋଣ ଚାପରେ ଥିବା ଚେତନ ତାଙ୍କ ପତ୍ନୀ, ମା’ ଓ ପୁଅଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ସେ ନିଜେ ମଧ୍ୟ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। କିନ୍ତୁ ଏଯାଏ ବିଷର ଚିହ୍ନବର୍ଣ୍ଣ ଘର ଭିତରୁ ମିଳି ନାହିଁ। ଆଉ କିଛି ସୂତ୍ରରେ କୁହାଯାଇଛି ଯେ ଚେତନଙ୍କୁ ଛାଡ଼ି ପରିବାରର ବାକି ୩ ଜଣଙ୍କୁ ତଣ୍ଟି ଚିପି କିମ୍ବା ଅଣନିଃଶ୍ୱାସୀ କରି ହତ୍ୟା କରାଯାଇଛି।

ଏସବୁ ଆଶଙ୍କା ଓ ଚର୍ଚ୍ଚା ଭିତରେ ପୁଲିସ୍‌ ଶବ ବ୍ୟବଚ୍ଛେଦ ରିପୋର୍ଟଗୁଡ଼ିକୁ ଅପେକ୍ଷା କରିଛି। ଏହି ରିପୋର୍ଟ ପରେ ପୁଲିସ୍‌ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ସକ୍ଷମ ହେବ। ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ ଘଟଣା ପୂର୍ବରୁ ଚେତନ ଆମେରିକାରେ ରହୁଥିବା ତାଙ୍କ ଶାଳକଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ଚାପରେ ରହିଥିବା କଥା ତାଙ୍କୁ କହିଥିଲେ। ଶାଳକ ଜଣଙ୍କ ମହୀଶୂରରେ ରହୁଥିବା ଚେତନଙ୍କ ପରିବାର ଲୋକଙ୍କୁ ତାଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

ପଡ଼ୋଶୀମାନେ କହିଛନ୍ତି ଯେ ଚେତନଙ୍କ ପରିବାର ଉକ୍ତ ଆପାର୍ଟମେଣ୍ଟରେ ୧୦ ବର୍ଷରୁ ଅଧିକ ସମୟ ହେଲା ରହୁଥିଲେ। ସେମାନେ ସ୍ୱାଭାବିକ ଢଙ୍ଗରେ ଜୀବନ କାଟିବା ସହ ଚାପରେ ଥିବା ଭଳି ଆଦୌ ଲାଗୁ ନଥିଲେ। ତେଣୁ ହଠାତ୍‌ ପୂରା ପରିବାର ବର୍ଗଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

Karnataka Death Mystery