Advertisment

ଉପ ନିର୍ବାଚନର ଫଳାଫଳ ବିଜେପି ପାଇଁ ଚିନ୍ତାର କାରଣ

ମେଘାଳୟରେ ଦଳ ଏକାକୀ ଲଢ଼ିବା ସହ ପ୍ରଧାନମନ୍ତ୍ରୀ ମଧ୍ୟ ଘନଘନ ପ୍ରଚାର କରିଥିଲେ। ବଡ଼ବଡ଼ ସମାବେଶ ଠାରୁ ଆରମ୍ଭ କରି ରାଲି କରାଯାଇଥିଲା। କିନ୍ତୁ ବିଜେପି ରାଜ୍ୟରେ ମାତ୍ର ୨ଟି ଆସନରେ ସୀମିତ ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ବିଜେପି କର୍ମୀ ଓ ନେତାମାନେ ଉତ୍ତର ପୂର୍ବ ବିଧାନସଭା ନିର୍ବାଚନର ଫଳାଫଳ ଦେଖି ବେଶ ଉତ୍ସାହିତ। ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ଦଳ ଯେକୌଣସି ଉପାୟରେ ହେଉ ପଛରେ କ୍ଷମତା ନିଜ ହାତରେ ରଖିବାକୁ ସକ୍ଷମ ହୋଇଛନ୍ତି। ତ୍ରିପୁରାରେ ଦଳର ପ୍ରଦର୍ଶନ ଭଲ ରହିଥିବା ବେଳେ ନାଗାଲାଣ୍ଡ ଓ ମେଘାଳୟରେ ଜୁନିୟର ପାର୍ଟନର ସାଜି ବିଜେପି ସରକାର ଗଠନ କରିବାକୁ ଯାଉଛି। ଉତ୍ତରପୂର୍ବ ରାଜ୍ୟରେ ବିଜେପିର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କୁ ଉତ୍ସାହିତ କରିଛି। ସେମାନେ ବିଜୟ ଉତ୍ସବ ମଧ୍ୟ ପାଳିଛନ୍ତି।

Advertisment

କିନ୍ତୁ ଏହି ବିଜୟ ଉତ୍ସବ ଓ ଉତ୍ସାହ ମଧ୍ୟରେ ବିଜେପି ଆଗରେ ଥିବା ଚ୍ୟାଲେଞ୍ଜଗୁଡ଼ିକୁ କେବେ ହେଲେ ଅଣଦେଖା କରାଯାଇ ପାରିବ ନାହିଁ। ତ୍ରିପୁରାରେ ଦଳ ପୁଣି ସରକାର ଗଠନ କରୁଥିଲେ ମଧ୍ୟ ବିଜେପିର ଆସନ ସଂଖ୍ୟା ଓ ଭୋଟ ଶେୟାର ହ୍ରାସ ପାଇଛି। ଦଳକୁ ନୂଆ କରି ଗଠନ ହୋଇଥିବା ତିପ୍ରା ମୋଥା ଠାରୁ କଡ଼ା ଚ୍ୟାଲେଞ୍ଜ ମିଳିଛି। ଏହି ଦଳ ଆଦିବାସୀଙ୍କ ସ୍ୱର ବନିବାକୁ ସକ୍ଷମ ହୋଇଛି।

ମେଘାଳୟରେ ଦଳ ଏକାକୀ ଲଢ଼ିବା ସହ ପ୍ରଧାନମନ୍ତ୍ରୀ ମୋଦି ଘନଘନ ପ୍ରଚାର କରିଥିଲେ। ବଡ଼ବଡ଼ ସମାବେଶ ଠାରୁ ଆରମ୍ଭ କରି ରାଲି କରାଯାଇଥିଲା। କିନ୍ତୁ ବିଜେପି ରାଜ୍ୟରେ ମାତ୍ର ୨ଟି ଆସନରେ ସୀମିତ ରହିଛି। ୨୦୧୮ରେ ମଧ୍ୟ ଦଳ ସମାନ ସ୍ଥିତିରେ ରହିଥିଲା। ନାଗାଲାଣ୍ଡର ୬୦ ଆସନ ବିଶିଷ୍ଟ ବିଧାନସଭାରୁ ବିଜେପି ୧୨ଟିରେ ଜିତିଛି। ତେଣୁ ଦଳ ଯେତେ ବିଜୟ ଡିଙ୍ଗୁରା ପିଟିଲେ ମଧ୍ୟ ଆଶା ଅନୁଯାୟୀ ରେଜଲ୍ଟ ପାଇ ନଥିବା କୁହାଯାଇ ପାରେ।

Advertisment

ଏହି ୩ ରାଜ୍ୟକୁ ଛାଡ଼ି ଦେଲେ ନିକଟରେ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ଦଳକୁ ଶକ୍ତ ଝଟକା ଲାଗିଛି। ମହାରାଷ୍ଟ୍ରରେ କ୍ଷମତାସୀନ ଏନଡିଏ ଓ ବିରୋଧୀ ଏମଭିଏ ମଧ୍ୟରେ ଲଢ଼େଇ ହେଉଥିବା କୁହାଯାଉଥିଲା। କିନ୍ତୁ ପ୍ରକୃତରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ଉପ ନିର୍ବାଚନରେ ବିଜେପି ତା’ର ଗଡ଼ ଭାବେ ପରିଚିତ କସବା ଆସନକୁ ବଞ୍ଚାଇ ପାରିନି। ଏଠାରେ ବିଜେପି ୨୮ ବର୍ଷ ହେଲା କ୍ଷମତାରେ ରହିଥିଲା। କିନ୍ତୁ ଏଥର କଂଗ୍ରେସ ବାଜି ମାରି ନେଇଛି।

ଏହି ପରାଜୟ କେବଳ ବିଜେପି ନୁହେଁ, ଦଳ ସହ ହାତ ମିଳାଇଥିବା ସିନ୍ଦେ ଗୋଷ୍ଠୀର ଶିବସେନା ପାଇଁ ମଧ୍ୟ ଶକ୍ତ ଝଟକା। କାରଣ ସିନ୍ଦେ ଇତି ମଧ୍ୟରେ ଶିବସେନାର ନାଁ ଓ ଦଳୀୟ ଚିହ୍ନ ଲଢ଼େଇରେ ଜିତି ସାରିଛନ୍ତି। ହେଲେ ଦଳୀୟ କ୍ୟାଡର ପାଇଁ ଚାଲିଥିବା ଲଢ଼େଇ ଏବେ ବି ଜାରି ରହିଛି। ଏପରି ସ୍ଥିତିରେ ଉପ ନିର୍ବାଚନରେ ଏମଭିଏ ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଜିତିବା ଶିବସେନା କ୍ୟାଡରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ସେମାନେ କାହା ସହ ରହିବେ, ତାକୁ ନେଇ ମାନସମନ୍ଥନ କରୁଛନ୍ତି। 

ପଶ୍ଚିମବଙ୍ଗର ସାଗରଦିଘା ଆସନରେ ବିଜେପି ତୃତୀୟ ସ୍ଥାନକୁ ଖସି ଯାଇଛି। କଂଗ୍ରେସ ଓ ଟିଏମସି ଏଠାରେ ଆଗରେ ଅଛନ୍ତି। କଂଗ୍ରେସ ଓ ବାମ ଦଳ ମିଳିତ ଭାବେ ଏଠାରେ ନିର୍ବାଚନ ଲଢ଼ୁଥିଲେ। ଏହି ଉପ ନିର୍ବାଚନରେ କଂଗ୍ରେସର ବାୟରନ ବିଶ୍ୱାସ ବାଜିମାତ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

ହେଲେ ବିଶ୍ୱାସ ଉପ ନିର୍ବାଚନରେ ଜିତି କଂଗ୍ରେସରୁ ଏକମାତ୍ର ବିଧାୟକ ଭାବେ ବିଧାନସଭାରେ ପ୍ରବେଶ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସି ଏଠାରେ ୫୦%ରୁ ଅଧିକ ଭୋଟ ପାଇଥିଲା। ହେଲେ ଉପ ନିର୍ବାଚନ ବେଳକୁ ସ୍ଥିତି ଓଲଟି ଯାଇଛି। ବିଜେପି ମଧ୍ୟ ଆହୁରି ତଳକୁ ଖସିଛି।

ଉପ ନିର୍ବାଚନରେ ବିଜେପିର ଏପରି ପ୍ରଦର୍ଶନ ଦଳର ୨୦୨୪ ରଣନୀତିକୁ ସାମାନ୍ୟ ଧକ୍କା ଦେଇଛି। ଉଭୟ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବେଶ ଗୁରୁତ୍ୱପୂର୍ଣ୍ଣ।

ଏହି ଦୁଇ ରାଜ୍ୟ ନୁହେଁ, ଚଳିତ ବର୍ଷ କର୍ଣ୍ଣାଟକାରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ଏଠାରେ ବିଜେପି ପାଇଁ ରାସ୍ତା ଆଦୌ ସହଜ ହେବନି ବୋଲି କୁହାଯାଉଛି।

Bjp Narendra Modi Election