Advertisment

ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହେବ ସିଏଏ!

ପ୍ରଥମ ଦଫାରେ ୩ଟି ଦେଶର ଧାର୍ମିକ ନିର୍ଯାତନା ସହି ନ ପାରି ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।

author-image
Hemant Lenka
ଅଦ୍ୟତନ ହୋଇଛି
CAA

CAA

ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ମନେ ପଡ଼ିଛି। ୪ ବର୍ଷ ତଳେ ଏହା ଲୋକସଭା ଓ ରାଜ୍ୟ ସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା।

Advertisment

କିନ୍ତୁ ଏଯାଏ ଏହାର ନିୟମ ପ୍ରଣୟନ ହୋଇ ପାରୁ ନଥିଲା। କିନ୍ତୁ ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ସିଏଏରେ କ’ଣ ସବୁ ନିୟମ ରହିବ, ତା’ର ନିଷ୍ପତ୍ତି ନେଇ ସାରିଛନ୍ତି।

ସେହିପରି ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଏହା ଦେଶରେ ଲାଗୁ ହେବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏଥିରେ ଥିବା ନିୟମ ଓ ବ୍ୟବସ୍ଥା ସମ୍ପର୍କରେ ଏଯାଏ କିଛି ବି ଜଣାପଡ଼ି ନାହିଁ। ରିପୋର୍ଟରେ କେବଳ କୁହାଯାଇଛି ଯେ ଆସନ୍ତା ମାସରୁ ସିଏଏ ଲାଗୁ ହୋଇପାରେ। ପ୍ରଥମ ଦଫାରେ ୩ଟି ଦେଶରେ ଧାର୍ମିକ ନିର୍ଯାତନା ସହି ନ ପାରି ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ। 

Advertisment

କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ ହେବ ବୋଲି କୁହାଯାଇଥିଲା।

କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ। ଜବାବରେ ସରକାର କହିଥିଲେ ଏହି ତିନି ଦେଶରେ ସର୍ବାଧିକ ଲୋକ ମୁସଲମାନ ସମ୍ପ୍ରଦାୟର ରହିଛନ୍ତି। ଏଠାରେ ରହୁଥିବା ଅଳ୍ପସଂଖ୍ୟକ ହିଁ ନିର୍ଯାତିତ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ସିଏଏ ଆସିଛି। ତଥାପି ଏହାକୁ ବିରୋଧ କରି କରୋନା ଆସିବା ଯାଏ ଦିଲ୍ଲୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

PM Modi CAA