Advertisment

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଅଲଗା ସ୍ଥାନ କଥା କହି ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ

ସବୁଠାରୁ ବଡ଼ ପ୍ରଶ୍ନ ହେଲା ମଣିପୁର ସ୍ଥିତିକୁ ଆମେ କେମିତି ମୁକାବିଲା କରିବା। ଏହାର ଉତ୍ତର ରଖନ୍ତୁ। ଭାରତର ସବୁ ଝିଅମାନଙ୍କ ସୁରକ୍ଷା ଚାହୁଁଛନ୍ତି ନା କାହାକୁ ବି ସୁରକ୍ଷା ଦେବାକୁ ଚାହୁଁ ନଥିବା କହିବାକୁ ଚେଷ୍ଟା କରୁଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
SC

SC

Advertisment

ଏଠି ସେଇଆ ଘଟଛୁ, ସେଠି ସେମିତି ହେଉଛି ବୋଲି କହି ଆମେ କେବେ ହେଲେ ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ। ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଶୁଣାଣି ଚାଲିଥିବା ବେଳେ ଜଣେ ଓକିଲ ବେଙ୍ଗଲ, ରାଜସ୍ଥାନ ଓ ଛତିଶଗଡ଼ରେ ଘଟୁଥିବା ମହିଳା ବିରୋଧୀ ହିଂସା କଥା ଉଠାଇଥିଲେ।

Advertisment

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଆମେ ଏମିତି ଏକ ଘଟଣାର ଶୁଣାଣି କରୁଛେ, ଯାହା ପ୍ରକୃତରେ କଳ୍ପନାତୀତ ବା ବୀଭତ୍ସ। ବର୍ତ୍ତମାନ ସାଂପ୍ରଦାୟିକ ଓ କଠୋରପନ୍ଥୀ ସ୍ତରରେ ହିଂସା ରହିଛି। ସବୁ ପ୍ରାନ୍ତରେ ମହିଳା ବିରୋଧୀ ଅପରାଧ ଘଟୁଛି ବୋଲି କହିଲେ କିଛି ବି ଲାଭ ନାହିଁ। ଏହାର ଗୋଟିଏ ଉତ୍ତର ହେଲା ଆପଣ କେବେ ହେଲେ ମଣିପୁର ଭଳି ଦେଶର ଗୋଟିଏ ପ୍ରାନ୍ତରେ ଯାହା ଘଟୁଛି, ତାକୁ ଅନ୍ୟ ସ୍ଥାନର ଘଟଣା ସହ ତୁଳନା କରି ଖସି ଯାଇ ପାରିବେ ନାହିଁ।

ସବୁଠାରୁ ବଡ଼ ପ୍ରଶ୍ନ ହେଲା ମଣିପୁର ସ୍ଥିତିକୁ ଆମେ କେମିତି ମୁକାବିଲା କରିବା। ଏହାର ଉତ୍ତର ରଖନ୍ତୁ। ଭାରତର ସବୁ ଝିଅମାନଙ୍କ ସୁରକ୍ଷା ଚାହୁଁଛନ୍ତି ନା କାହାକୁ ବି ସୁରକ୍ଷା ଦେବାକୁ ଚାହୁଁ ନଥିବା କହିବାକୁ ଚେଷ୍ଟା କରୁଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

Advertisment

ତଦନ୍ତ ଉପରେ ପୀଡ଼ିତାଙ୍କ ବିଶ୍ୱାସ ରହିବା କଥା ଜଣେ ମହିଳା ଆଇନଜୀବୀ କହିଥିଲେ। ଏହା ଶୁଣି ସରକାର କହିଥିଲେ ଯେ ଯଦି ସୁପ୍ରିମକୋର୍ଟ ଏହାର ମନିଟର କରନ୍ତି, ତା’ହେଲେ କିଛି ବି ଅସୁବିଧା ନାହିଁ।

ପୀଡ଼ିତାଙ୍କ ଓକିଲ କପିଲ ଶିବଲ କହିଛନ୍ତି, “ଏପରି ଭୟଙ୍କର ଘଟଣା କେତେ ମହିଳାଙ୍କ ସହ ଘଟିଛି, ତା’ର ସୂଚନା ଦେବାକୁ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଏହା ହିଁ ପ୍ରକୃତ ଅବସ୍ଥାକୁ ଦର୍ଶାଉଛି। ତେଣୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ।”

କୋର୍ଟ ସରକାରଙ୍କୁ ପଚାରିଥିଲେ ଯେ ପ୍ରାୟ ୬ ହଜାର ଏଫଆଇଆର୍‌ରୁ କେତୋଟି ମହିଳା ବିରୋଧୀ ଅପରାଧ ପାଇଁ ରୁଜୁ କରାଯାଇଛି? ଏହାର ଜବାବରେ ସରକାର ତଥ୍ୟ ନଥିବା କହିଛନ୍ତି। କପିଲ ଶିବଲ ପୁଣି କହିଥିଲେ, “ଘଟଣା ମେ’ ୪ରେ ଘଟିଥିଲା। ମେ’ ୧୮ରେ ଏଫଆଇଆର ରୁଜୁ କରାଗଲା। ତଦନ୍ତ କରିବାକୁ ଥିବା ପୁଲିସ୍‌ ଷ୍ଟେସନକୁ ଏହା ଜୁନରେ ପଠାଗଲା।

ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଥିଲା। ଏହାପରେ କୋର୍ଟ ନିଜ ଆଡ଼ୁ ଏହାକୁ ବିଚାରକୁ ନେବାରୁ ଘଟଣା ଆଗକୁ ବଢ଼ିଥିଲା। ତେଣୁ ଏମିତି ତଦନ୍ତ ହେବା ଦରକାର ଯେ ଯାହା ଉପରେ ପୀଡ଼ିତାଙ୍କ ଭରସା ରହିବ।”

ସୁପ୍ରିମକୋର୍ଟ କେନ୍ଦ୍ରକୁ ସମାଲୋଚନା କରି ୧୪ ଦିନ ହେଲା କ’ଣ କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ଚଳାଇବା ଘଟଣାର ଶୁଣାଣି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଲୋଡ଼ିଛନ୍ତି। 

ଏହାର ଶୁଣାଣି ବେଳେ କପିଲ ଶିବଲ ଘଟଣାର ସିବିଆଇ ତଦନ୍ତ ବିରୋଧରେ ମତ ରଖିଥିଲେ। ଦୁଇ ପୀଡ଼ିତା ମଧ୍ୟ ଘଟଣାକୁ ଆସାମ ସ୍ଥାନାନ୍ତର କରାଯିବା ଚର୍ଚ୍ଚାକୁ ବିରୋଧ କରିଥିଲେ। ଶିବଲ କହିଛନ୍ତି, “ହିଂସା ସୃଷ୍ଟି କରିଥିବା ଲୋକଙ୍କ ସହ ପୁଲିସ୍‌ ହାତ ମିଳାଇଛି। ପୀଡ଼ିତା ଓ ସେମାନଙ୍କ ପରିବାର ଲୋକଙ୍କୁ ପୁଲିସ୍‌ ହିଁ ଭିଡ଼ ପାଖକୁ ନେଇଥିଲା। ଲୋକଙ୍କ ସୁରକ୍ଷା କରି ପାରୁ ନଥିବା ରାଜ୍ୟ ଉପରେ କି ପ୍ରକାରର ଭରସା କରିବୁ? ଯଦି ପକ୍ଷପାତିତା ରହିଛି, ତା’ହେଲେ ନିରପେକ୍ଷ ଏଜେନ୍ସିର ଆବଶ୍ୟକ ରହିଛି।” 

ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ କେନ୍ଦ୍ର ସରକାର କେବେ ହେଲେ ମାମଲାକୁ ଆସାମ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। କୋର୍ଟ ଯେଉଁଠିକୁ ଚାହିଁବେ, ସେଠାକୁ ଏହା ସ୍ଥାନାନ୍ତର କରିପାରିବେ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କହିଥିଲେ, “ପୀଡ଼ିତା ଭୟଭୀତ ଓ ଆତଙ୍କିତ। ସିବିଆଇ ଟିମକୁ ସେମାନେ ସତ କହିପାରିବେ ବୋଲି ଆମେ ନିଶ୍ଚିତ ନୁହେଁ। ସତ କହିବା ପାଇଁ ସେମାନଙ୍କ ମନରେ ସାହସ ଓ ଭରସା ସୃଷ୍ଟି କରିବାକୁ ହେବ। ତେଣୁ ସାମାଜିକ ଅନୁଷ୍ଠାନର ମହିଳା ସଦସ୍ୟମାନଙ୍କୁ ନେଇ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ଦରକାର। ଏହାଦ୍ୱାରା ପୀଡ଼ିତାମାନେ ସାମ୍ନାକୁ ଆସି ସତ କହିବାକୁ ସକ୍ଷମ ହେବେ।”

ଆଟର୍ଣ୍ଣି ଜେନେରାଲ ଆର ଭେଟଙ୍କରମଣି କହିଛନ୍ତି, “ଏଠାରେ ଅନେକ ପ୍ରକାରର ସମସ୍ୟା ରହିଛି। ଉଭୟ ରାଜନୀତିକ ଓ ଅଣ ରାଜନୀତିକ ଏବଂ ପ୍ରସ୍ତାବିତ ସିବିଆଇ ତଦନ୍ତକୁ ନେଇ ମଧ୍ୟ ସମସ୍ୟା ଅଛି।”

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଭିଡିଓରେ ଥିବା ମହିଳାଙ୍କ ସହ ଯାହା ଘଟିଲା, ତା’ହା କେବଳ ଗୋଟିଏ ଘଟଣା ନୁହେଁ। ତେଣୁ ମଣିପୁରରେ ମହିଳା ବିରୋଧୀ ହିଂସାକୁ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ।

Supreme Court Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe