ଗତ ଶୁକ୍ରବାର ମିଆଁମାର ଓ ଥାଇଲ୍ୟାଣ୍ଡରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍ପେଲରେ ୭.୭ ରହିଥିଲା। ଏଥିଯୋଗୁ ଅନେକ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁଇ ପଡ଼ୋଶୀ ଦେଶରେ ହୋଇଥିବା ବିଧ୍ୱଂସୀ ଭୂକମ୍ପ ଆମ ଦେଶ ଭାରତ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଏଭଳି ଏକ ଭୂକମ୍ପ ଭାରତରେ ହେଲେ ତା’ର ମୁକାବିଲା କରିବା ପାଇଁ ଆମେ କେତେ ପ୍ରସ୍ତୁତ, ତାହା ଚିନ୍ତା କରିବା ନିହାତି ଜରୁରୀ।
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ। କିନ୍ତୁ ଆମ ଦେଶ ଏଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ନାହିଁ ବୋଲି ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଲେଖାଲେଖି କରୁଥିବା ବିଶେଷଜ୍ଞ ଡକ୍ଟର ଇଲିଆ ଜାଫର ଏକ ଇଂରାଜୀ ୱେବସାଇଟ୍ରେ ଲେଖିଥିବା ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି।
ସେ ଲେଖିଛନ୍ତି, ପୃଥିବୀର ସବୁଠୁ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ମଧ୍ୟରୁ ଭାରତ ଗୋଟିଏ। ଭାରତୀୟ ଓ ୟୁରୋଏସିଆନ୍ ପ୍ଲେଟ୍ ମଧ୍ୟରେ ଧକ୍କା ହେଉଛି ଓ ଏଥିଯୋଗୁ ହିମାଳୟ ପର୍ବତମାଳା ତଳେ ପ୍ରଚୁର ଚାପ ସୃଷ୍ଟି ହେଉଛି। ହିମାଳୟରେ ଏକ ବଡ଼ ଧରଣର ଭୂକମ୍ପ ହେବ। ଏହା ଦିନେ ନା ଦିନେ ନିଶ୍ଚିତ ହେବ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ରୁ ଅଧିକ ରହିବ। ଆଉ ଏହା ବିପର୍ଯ୍ୟୟ ଆଣିଦେବ। ଉତ୍ତର-ପୂର୍ବ ଭାରତରେ ଭାରତୀୟ ପ୍ଲେଟ୍ ସୁନ୍ଦା ଓ ବର୍ମା ପ୍ଲେଟ୍ ତଳେ ଧସି ଚାଲିଛି। ତେଣୁ ବଡ଼ ଭୂକମ୍ପ ଓ ବିନାଶକାରୀ ସୁନାମୀ ହେବାର ଆଶଙ୍କା ରହିଛି। ଭାରତର ପ୍ରାୟ ୫୯% ଅଞ୍ଚଳରେ ଭୂକମ୍ପ ବିପଦ ରହିଛି। ହିମାଚଳ ପ୍ରଦେଶ, ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଧିକ ବିପଦ ରହିଛି। ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିପଦପୂର୍ଣ୍ଣ ଜୋନ୍ରେ ରହିଛନ୍ତି। ଭୂକମ୍ପ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷିତ କୋଠା ନିର୍ମାଣ କରାଯାଉନାହିଁ। ତେଣୁ ଯେତେବେଳେ ଭୂକମ୍ପ ହେବ କୋଠା ଭୁଶୁଡ଼ିବ ଓ ହତାହତଙ୍କ ସଂଖ୍ୟା ଅଧିକ ହେବ।

ଅତୀତରେ ଭାରତରେ ଏକାଧିକ ବିଧ୍ୱଂସୀ ଭୂକମ୍ପ ହୋଇଛି। ତା’ ମଧ୍ୟରେ ରହିଛି ୧୯୦୫ର କାଙ୍ଗ୍ରା ଭୂକମ୍ପ, ୧୯୩୪ର ବିହାର ଭୂକମ୍ପ, ୧୯୫୦ର ଆସାମ ଭୂକମ୍ପ ଓ ୨୦୦୧ର ଗୁଜରାଟର ଭୂଜରେ ହୋଇଥିବା ଭୂକମ୍ପ। ଏସବୁ ଭୂକମ୍ପ ଭାରତକୁ ବରବାଦ କରି ଦେଇଥିଲା। ଭୂକମ୍ପ ଉଭୟ ଜୀବନ ଓ ଆର୍ଥିକ ସ୍ଥିତିକୁ ନଷ୍ଟ କରି ଦିଏ। ଗତ ୨୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୭୯.୫ ବିଲିୟନ ଡଲାରର କ୍ଷତି ସହିତ ସହିଛି। କେବଳ ଗୁଜରାଟର ଭୂଜରେ ହୋଇଥିବା ଭୂକମ୍ପରେ ଦେଶର ୧୦ ବିଲିୟନ ଡଲାର କ୍ଷତି ହୋଇଥିଲା। ନେପାଳରେ ୨୦୧୫ରେ ହୋଇଥିବା ବିଧ୍ୱଂସୀ ଭୂକମ୍ପର ପ୍ରଭାବ ଉତ୍ତର ଭାରତରେ ପଡ଼ିଥିଲା। ଏଥିଯୋଗୁ ୭ ବିଲିୟନ ଡଲାରର କ୍ଷୟକ୍ଷତି ହୋଇଥିଲା। କେବଳ ସୁଦୃଢ଼ କୋଠା ଉଭୟ ଜୀବନ ଓ ଅର୍ଥ ବଞ୍ଚାଇପାରିବ। କିନ୍ତୁ ପୂର୍ବରୁ ଭୂକମ୍ପ ଜନିତ ବ୍ୟାପକ କ୍ଷତି ସହିଥିଲେ ହେଁ ଭାରତ ଏଯାବତ ସାରା ଦେଶରେ ଏହାର ମୁକାବିଲା ପାଇଁ ଯଥେଷ୍ଟ ପଦକ୍ଷେପ ନେଇ ନାହିଁ। ଆମେ ଜାଣିଛନ୍ତି ବିପଦ ରହିଛି। ଆମେ ବିପର୍ଯ୍ୟୟ ଦେଖିଛନ୍ତି। ତଥାପି ଆମେ ଅପେକ୍ଷା କରିଛନ୍ତି। ଦ୍ରୁତ ଗତିରେ ସହରଗୁଡ଼ିକର କଳେବର ବୃଦ୍ଧି ପାଉଥିବା ବେଳେ ଖରାପ ନିର୍ମାଣ ବିପଦ ଆଶଙ୍କା ବଢ଼ାଇ ଦେଉଛି। ଭୂକମ୍ପ ଆଶଙ୍କା ଥିବା ଅଞ୍ଚଳଗୁଡ଼ିରେ ଯେଉଁ କୋଠାଗୁଡ଼ିକ ନିର୍ମାଣ ହୋଇଛି, ସେଗୁଡ଼ିକରୁ ଅଧିକାଂଶ ସୁରକ୍ଷିତ ନୁହନ୍ତି। ଏକ ବଡ଼ ଭୂକମ୍ପ ହେଲେ ଡାକ୍ତରଖାନା, ବିଦ୍ୟୁତ୍ ପ୍ରକଳ୍ପ ଓ ସ୍କୁଲଗୁଡ଼ିକ ଭୁଶୁଡ଼ି ପଡ଼ିବ।
ନୂତନ ଭାବେ ନିର୍ମାଣ ହେଉଥିବା ସମସ୍ତ କୋଠା ସୁରକ୍ଷା ନିୟମାବଳୀକୁ ଅନୁକରଣ କରିବା ଉଚିତ୍। ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍) ଗାଇଡଲାଇନ ପ୍ରସ୍ତୁତ କରିଛି। କିନ୍ତୁ ଠିକ୍ ଭାବେ କାର୍ଯ୍ୟକାରୀ କରାନଗଲେ, ସେଗୁଡ଼ିକ ରହିଲେ କେତେ ନରହିଲେ କେତେ। ଯେଉଁ ବିଲଡରମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ ଜରିମାନା ପକାଇବା ଉଚିତ। କୋଠାଗୁଡ଼ିକୁ ନିୟମିତ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଉଚ୍ଚ ଅଟ୍ଟାଳିକା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିଗୁଡ଼ିକର ନିୟମିତ ଅଡିଟ୍ ହେବା ଉଚିତ। କିନ୍ତୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସେତିକି ସଂଖ୍ୟାରେ ଦକ୍ଷ ପ୍ରଫେସନାଲ ନାହାନ୍ତି। କିଛି ସହର ଅଗ୍ରଗତି କରୁଛନ୍ତି। ଉଦାହରଣ ସ୍ୱରୂପ ନୋଏଡା। ସେଠାରେ ଏ ପ୍ରକାର ଅଡିଟ୍ କରିବା ପାଇଁ ଆଇଆଇଟି-କାନପୁର, ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଏମ୍ଏନ୍ଆଇଟି ଆହ୍ଲାବାଦ, ପିଲାନୀ ସ୍ଥିତ ବିଟ୍ସ, ଆଲିଗଡ଼ ମୁସଲିମ ୟୁନିଭର୍ସିଟି, ଜୟପୁର ଏମ୍ଏନ୍ଆଇଟି ଓ ରୁରକୀ ସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିତ୍ୟୁଟ୍ ସହ ଭାଗିଦାରୀ କରାଯାଇଛି। ଆମକୁ ଅଧିକରୁ ଅଧିକ ତାଲିମପ୍ରାପ୍ତ ବିଶେଷଜ୍ଞ ଦରକାର। କୋଠାଗୁଡ଼ିକର ଅଡିଟ୍ କରିବା ପାଇଁ ବିଶ୍ୱବିଦ୍ୟାଳୟ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏବଂ ଏନ୍ଜିଓଗୁଡ଼ିକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ୍।
ସହରଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବାରୁ ସମସ୍ୟା ବଢ଼ି ବଢ଼ି ଚାଲିଛି। ସେଠାରେ ନିର୍ମାଣ ହେଉଥିବା କୋଠାଗୁଡ଼ିକର ଯାଞ୍ଚ କରାଯାଉନାହିଁ। ପୁଣି ରିୟଲ ଇଷ୍ଟେଟରେ ଦୁର୍ନୀତି ଯୋଗୁ କୋଠାଗୁଡ଼ିକ ଅସୁରକ୍ଷିତ ହୋଇପଡ଼ୁଛି। ସେହିପରି ବ୍ରିଜ୍, ଡାକ୍ତରଖାନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ଭିତ୍ତିଭୂମିଗୁଡ଼ିକୁ ମଧ୍ୟ ଭୂକମ୍ପକୁ ସମ୍ଭାଳି ପାରିବା ଭଳି ନିର୍ମାଣ କରାଯାଉ ନାହିଁ। ଯଦି ଦିଲ୍ଲୀ, ମୁମ୍ବାଇ ଅବା ଅନ୍ୟ କୌଣସି ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ବଡ଼ ଭୂକମ୍ପଟିଏ ହୁଏ, ତା’ହେଲେ ଅବିଶ୍ୱସନୀୟ ବିପର୍ଯ୍ୟୟ ହୋଇପାରେ। ଅଧିକାଂଶ ଭାରତୀୟ ଜାଣନ୍ତି ନାହିଁ ଭୂକମ୍ପ ବେଳେ କ’ଣ କରିବାକୁ ହୁଏ। ସେଥିପାଇଁ ସ୍କୁଲ, ଅଫିସ, ଆପାର୍ଟମଣ୍ଟ ଓ ପବ୍ଲିକ୍ ପ୍ଲେସ୍ ଗୁଡ଼ିକରେ ଲୋକଙ୍କୁ ଭୂକମ୍ପରୁ ବଞ୍ଚିବାର କୌଶଳ ଶିଖାଯିବାର ଆବଶ୍ୟକତା ରହିଛି। ଡାକ୍ତରଖାନା, ବିଦ୍ୟାଳୟ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କୋଠାଗୁଡ଼ିକ ଭୂକମ୍ପକୁ ସମ୍ଭାଳି ପାରିବା ଭଳି ନିର୍ମାଣ କରାଯିବା ଆବଶ୍ୟକ। ସେହିପରି ସହରଗୁଡ଼ିକରେ ପର୍ଯ୍ୟାପ୍ତ ଖୋଲା ସ୍ଥାନ ରହିବା ଉଚିତ୍, ଯେମିତି ଭୂକମ୍ପ ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ସେଠାରେ ଜମା ହୋଇପାରିବେ। କିନ୍ତୁ ଆଜିକାଲି ସହରଗୁଡ଼ିକରେ ସେମିତି ସ୍ଥାନ ଦେଖିବାକୁ ମିଳୁ ନାହିଁ। ୨୦୧୫ ନେପାଳ ଭୂକମ୍ପ ଏକ ବଡ଼ ଶିକ୍ଷା ଦେଇଥିଲା। ସେଠାରେ ଡାକ୍ତରଖାନାଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। ଆହତଙ୍କ ଚିକିତ୍ସା କରିବା କଷ୍ଟକର ବ୍ୟାପାର ହୋଇଥିଲା। ତେଣୁ ଏମର୍ଜେନ୍ସୀ ସେବା ଯୋଗାଉଥିବା କୋଠାଗୁଡ଼ିକ ଯେକୌଣସି ପରିସ୍ଥିତିରେ ସୁରକ୍ଷିତ ରହିବା ଆବଶ୍ୟକ।
ଭାରତରେ ଏକ ବିଧ୍ୱଂସୀ ଭୂକମ୍ପ ହେବ। ଆମେ ଜାଣନ୍ତି ନାହିଁ ତାହା କେବେ ହେବ। ଆମ ଦେଶ ସେଥିପାଇଁ ପ୍ରସ୍ତୁତ ମଧ୍ୟ ହୋଇନାହିଁ। ଏଭଳି ଭୂକମ୍ପର ସାମ୍ନା କରିବା ପାଇଁ ସରକାରଙ୍କ ବିଭିନ୍ନ ଏଜେନ୍ସୀ, ସ୍ଥପିତ, ବିଲ୍ଡର, ସିଟି ପ୍ଲାନର, ଇଞ୍ଜିନିୟର ଏବଂ ସଚେତନ ନାଗରିକମାନେ ନିଜ କାନ୍ଧକୁ ଦାୟିତ୍ୱ ନେବା ଉଚିତ। କିଛି ପଦକ୍ଷେପ ନନେଲେ ସେହି ଅନୁସାରେ କ୍ଷତି ବଢ଼ିବ। ଆମେ କ’ଣ ଚେତିବା ପାଇଁ ଆଉ ଏକ ବିପର୍ଯ୍ୟୟକୁ ଅପେକ୍ଷା କରିପାରିବା? ସମୟ ନାହିଁ। ଖରାପ ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ମିଆଁମାର-ଥାଇଲ୍ୟାଣ୍ଡ ଭୂକମ୍ପ ଆମକୁ ସତର୍କ କରି ଦେଇଛି। ଏବେ ଭାରତ ତା’ର ଜ୍ଞାନକୁ ଉପଯୋଗ କରି ପଦକ୍ଷେପ ନେବା ଆବଶ୍ୟକ।