/odisha-reporter/media/post_attachments/uploadimage/library/16_9/16_9_0/canada_1695304481.jpg)
canada
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପରେ ଭାରତ ଓ କାନାଡ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ବିବାଦ ମଧ୍ୟରେ ଆଜି ଭାରତ ସରକାର କାନାଡା ଉପରେ ଜୋରଦାର ବର୍ଷିଛନ୍ତି। କାନାଡା ସରକାର ଆତଙ୍କବାଦୀମାନଙ୍କୁ ସୁରକ୍ଷା ଯୋଗାଇ ଦେଛନ୍ତି ଭାରତ ପକ୍ଷରୁ କୁହାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟପାତ୍ର ଅରିନ୍ଦମ ବାଗଚି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଆତଙ୍କବାଦ, ଟେରର ଫଣ୍ଡିଂ ଓ ବିଦେଶରେ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ କରାଯାଉଛି ଓ ଏହାକୁ ଆମ ପଡ଼ୋଶୀ ପାକିସ୍ତାନ ସମର୍ଥନ କରୁଛି।
କିନ୍ତୁ ଆତଙ୍କବାଦୀଙ୍କୁ ସୁରକ୍ଷା ଓ ଅପରେସନ ପାଇଁ ସ୍ଥାନ ଯୋଗାଇ ଦେବାର କାମ କାନାଡା ସମେତ ବିଦେଶରେ ହେଉଛି। ଆତଙ୍କବାଦୀଙ୍କୁ କାନାଡା ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ ନାହିଁ ବୋଲି ଆମେ ଚାହୁଁଛୁ। ଆତଙ୍କବାଦ ଚାର୍ଜର ସମ୍ମୁଖୀନ ହୋଇଥିବା ଲୋକଙ୍କ ବିରୋଧରେ କାନାଡା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଏଠାକୁ ପଠାଇ ଦିଅନ୍ତୁ।
ବିଗତ କିଛି ବର୍ଷ ହେଲାଣି ଭାରତ ୨୦ରୁ ୨୫ ଜଣଙ୍କୁ ପ୍ରତ୍ୟର୍ପଣ କରିବାକୁ କହିଛି। କିନ୍ତୁ କାନାଡାର ପଦକ୍ଷେପ ଏ କ୍ଷେତ୍ରରେ ଆଦୌ ସନ୍ତୋଷଜନକ ନୁହେଁ। ଭାରତ ଆତଙ୍କ କାର୍ଯ୍ୟକଳାପ ସମ୍ପର୍କରେ କାନାଡା ଠାରୁ କୌଣସି ପ୍ରକାରର ସୂଚନା ପାଇନାହିଁ।
ଯେଉଁ ନିର୍ଦ୍ଦିଷ୍ଟ ହତ୍ୟାକାଣ୍ଡ କଥା କୁହାଯାଉଛି, ସେ ବିଷୟରେ କାନାଡା ଆମକୁ ସେତେବେଳେ ଜଣାଇ ନଥିଲା କିମ୍ବା ଏବେ ବି ଜଣାଇ ନାହିଁ। ଆମେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଚାହୁଁଛୁ। କିନ୍ତୁ ଏଯାଏ କାନାଡା ଠାରୁ କୌଣସି ପ୍ରକାରର ସୂଚନା ପାଇନାହୁଁ।
ଭାରତ ପକ୍ଷରୁ କାନାଡା ମାଟିରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସେଠାକାର ସରକାରଙ୍କୁ ଦିଆଯାଇଛି। କିନ୍ତୁ କାନାଡା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବାଗଚି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
