/odisha-reporter/media/post_attachments/uploadimage/library/16_9/16_9_0/IMAGE_1695906336.jpg)
cyber attack
କାନାଡାର ଆର୍ମଡ ଫୋର୍ସ ୱେବସାଇଟ ବୁଧବାର ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଣ୍ତିଆନ ସାଇବର ଫୋର୍ସ ନାମକ ଗୋଟିଏ ଗ୍ରୁପ୍ ୱେବସାଇଟକୁ ହ୍ୟାକ କରିଥିଲେ। ଗ୍ରୁପ ପକ୍ଷରୁ ସୋଶାଲ ମିଡିଆ ସାଇଟ ଏକ୍ସରେ ସାଇବର ଆଟାକ ନେଇ ଦାବି ମଧ୍ୟ କରାଯାଇଥିଲା।
ରିପୋର୍ଟ ଅନୁସାରେ, ୱେବସାଇଟ ବୁଧବାର ପ୍ରାୟ ମଧ୍ୟାହ୍ନ ସମୟରେ ଅଚଳ ହୋଇ ଯାଇଥିଲା। ଏଥିରେ ନାନା ପ୍ରକାରର ସମସ୍ୟା ଦେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପୁଣି ଠିକ କରାଯାଇଥିଲା ବୋଲି ନ୍ୟାଶନାଲ ଡିଫେନ୍ସ ବିଭାଗର ମିଡିଆ ରିଲେସନ ମୁଖ୍ୟ ଡାନିଏଲ ଲେ ବୌଥିଲିର କହିଛନ୍ତି।
କାନାଡାର ଆର୍ମଡ ଫୋର୍ସକୁ ହ୍ୟାକ କରିଥିବା ଇଣ୍ଡିଆନ ସାଇବର ଫୋର୍ସ ସୋଶାଲ ମିଡିଆରେ କହିଥିଲା ଯେ କାନାଡିଆନ ଏୟାରଫୋର୍ସ ୱେବସାଇଟକୁ ହ୍ୟାକ କରାଯାଇଛି। ଏହାପରେ ଏହି ଆକାଉଣ୍ଟରେ ହ୍ୟାକ କରାଯାଇଥିବା ବେଳର ସ୍କ୍ରିନ ଶଟ୍ ମଧ୍ୟ ପୋଷ୍ଟ କରାଯାଇଥିଲା।
ହ୍ୟାକ ବେଳେ କିଛି ଡେକଷ୍ଟପ ବ୍ୟବହାରକାରୀ କାନାଡିଆନ ସେନା ୱେବସାଇଟକୁ ଖୋଲିବାକୁ ସକ୍ଷମ ହେଉଥିଲେ। ମୋବାଇଲରେ ଏହା କାମ କରୁ ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହ୍ୟାକ ହୋଇଥିବା ସାଇଟଗୁଡ଼ିକ ନ୍ୟାଶନାଲ ଡିଫେନ୍ସର ପବ୍ଲିକ ୱେବସାଇଟ ଓ ଇଣ୍ଟରନାଲ ନେଟୱର୍କରୁ ଅଲଗା ହୋଇଯାଇଥିଲା। ତେବେ ଏହାର ପ୍ରଭାବ କାନାଡା ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପଡ଼ିନାହିଁ।
ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କାନାଡା ସରକାର ଏବେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ହ୍ୟାକ କରିବା ପୂର୍ବରୁ ସେପ୍ଟେମ୍ବର ୨୧ରେ ଇଣ୍ଡିଆନ ସାଇବର ଫୋର୍ସ ପକ୍ଷରୁ କାନାଡାକୁ ସାଇବର ଆଟାକ ପାଇଁ ଧମକ ଦେଇଥିଲା।
ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ଯୁଦ୍ଧ ଚାଲିଥିବା ବେଳେ ଏପରି ସାଇବର ଆଟାକର ମୂଲ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପଛରେ ଭାରତର ହାତ ଥିବା କାନାଡା କହିବା ପରେ ବିବାଦ ଦେଖାଯାଇଛି। ଭାରତ ଏହାକୁ ଖଣ୍ଡନ କରିଥିଲେ ହେଁ କାନାଡା ଏଯାଏ ଏହାକୁ ସ୍ୱୀକାର କରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
