Advertisment

ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍

ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।

author-image
Debadatta Aryashrestha
Delhi Air Pollution (File Photo)

Delhi Air Pollution (File Photo)

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ରବିବାର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଏହି ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର AQI 'ସିଭିୟର ପ୍ଲସ୍' ସ୍ତରକୁ ଖସି ଆସିଛି। ଏହି କାରଣରୁ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଦିଲ୍ଲୀ ଏନସିଆରରେ ସୋମବାର ସକାଳ ୮ଟାରୁ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP)ର ଚତୁର୍ଥ ଚରଣ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଗତ କିଛିଦିନ ମଧ୍ୟରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ବୁଧବାର, ଏହି ଋତୁରେ ପ୍ରଥମ ଥର ପାଇଁ 'ସିଭିୟର' ବର୍ଗରେ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା। ଆଜି (ରବିବାର) ସନ୍ଧ୍ୟା ୭ଟା ସୁଦ୍ଧା ଦିଲ୍ଲୀର ସମସ୍ତ ମନିଟରିଂ ସେଣ୍ଟରରେ AQI ୪୦୦ରୁ ଅଧିକ ରେକର୍ଡ କରାଯାଇଛି। ସବୁଠାରୁ ପ୍ରଦୂଷିତ ସ୍ଥାନଗୁଡ଼ିକ ମଧ୍ୟରେ ବୱାନା (୪୯୦), ଅଶୋକ ବିହାର (୪୮୭) ଏବଂ ୱାଜିରପୁର (୪୮୩) ରହିଛି। ଏହା ସହିତ ବାୟୁ ଗୁଣବତ୍ତା 'ସିଭିୟର ପ୍ଲସ୍' ବର୍ଗକୁ ଖସିଛି।

Advertisment

ରାଜଧାନୀରେ ଭୟଙ୍କର ଭାବେ ବଢ଼ୁଥିବା ବାୟୁ ପ୍ରଦୂଷଣ ଦୃଷ୍ଟିରୁ ସୋମବାରଠାରୁ ସମସ୍ତ ବିଦ୍ୟାଳୟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ କରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସିଏମ୍ ଆତିଶି ନିଜ ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲରେ ଲେଖିଛନ୍ତି, 'GRAP-4 ଲାଗୁ ହେଉଥିବାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଫିଜିକାଲ କ୍ଲାସ୍ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନଲାଇନ୍ କ୍ଲାସ୍ କରିବେ।'

ସୋମବାର ଠାରୁ ଦିଲ୍ଲୀରେ ଏହିସବୁ ପ୍ରତିବନ୍ଧକ :-
ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ:
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଟ୍ରକଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଅନ୍ୟ ସମସ୍ତ ଟ୍ରକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ।
ହାଲୁକା ବାଣିଜ୍ୟିକ ଯାନ ଉପରେ ପ୍ରତିବନ୍ଧକ: ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଡିଜେଲ ଚାଳିତ (BS-4 କିମ୍ବା ତାଠାରୁ କମ) ହାଲୁକା ବାଣିଜ୍ୟିକ ଯାନଗୁଡିକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ।
ମଧ୍ୟମ ଏବଂ ଭାରୀ ମାଲବାହୀ ଯାନ ଉପରେ ନିଷେଧାଦେଶ: ଦିଲ୍ଲୀରେ BS-4 କିମ୍ବା ଏହାଠାରୁ କମ ବର୍ଗର ଡିଜେଲ ଚାଳିତ ମଧ୍ୟମ ଏବଂ ଭାରୀ ମାଲବାହୀ ଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ।
ନିର୍ମାଣ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ: ରାଜପଥ, ସଡକ, ଫ୍ଲାଏ ଓଭର ଏବଂ ଓଭରବ୍ରିଜ୍ ଭଳି ସମସ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବ।
ବିଦ୍ୟାଳୟରେ ଅଫଲାଇନ୍ କ୍ଲାସ୍ ବନ୍ଦ: ଶୁକ୍ରବାର ଦିନ GRAP-3 ଲାଗୁ ହେବା ପରେ ହିଁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ଏବଂ ଅନଲାଇନରେ କ୍ଲାସ୍ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ GRAP-4 ଲାଗୁ ହେଉଥିବାରୁ ଏହି ପ୍ରତିବନ୍ଧକଗୁଡିକ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ କ୍ଲାସ ଅନଲାଇନ୍ ହେବ।

Delhi Air Pollution Air Pollution Delhi AQI GRAP-4 In Delhi