Advertisment

ଗୁଜରାଟ ସ୍ଥିତି ବେହାଲ : ଭାସିଲା ଗାଡ଼ି, ଏୟାରପୋର୍ଟରେ ପଶିଲା ପାଣି

ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ଜୁନାଗଡ଼ ପାଇଁ ରେର୍ଡ ଆଲର୍ଟ ଜାରି କରିଥିବା ବେଳେ ସହରରେ ୨୪ ଘଣ୍ଟାରେ ରେକର୍ଡ ୨୪୧ ମିମି ବର୍ଷା ହୋଇଇଛି।

author-image
Hemant Lenka
Gujarat

Gujarat

ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟ ସ୍ଥିତି ବେହାଲ ହୋଇଛି। ବର୍ଷା ଯୋଗୁ ଅଚାନକ ବନ୍ୟା ଗୁଜରାଟର ଅସଲ ଚିତ୍ରକୁ ପଦାରେ ପକାଇଛି। ବନ୍ୟା କେବଳ ଗ୍ରାମାଞ୍ଚଳକୁ ପ୍ରଭାବିତ କରିନି, ବରଂ ସହରାଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

Advertisment

ରାଜ୍ୟର ଅନ୍ୟତମ ବଡ଼ ସହର ଅହମଦାବାଦ ଏୟାରପୋର୍ଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଏୟାରପୋର୍ଟର ଭିତର ଅଂଶ ଠାରୁ ଆରମ୍ଭ କରି ବାହାରେ ବର୍ଷା ପାଣି ସୁଅ ମାରୁଛି। ସହରର ଗଳିକନ୍ଦିରେ ବର୍ଷା ପାଣି ଘୁଘୁ କରି ମାଡ଼ି ଚାଲିଥିବା ବେଳେ ଏଥିରେ ଅନେକ କାର୍‌ ଓ ବାଇକ ଭାସି ଯାଇଛି। କିଛି ସ୍ଥାନରେ ଗୃହପାଳିତ ପଶୁମାନେ ପାଣିର ସୁଅରେ ଭାସି ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ଜୁନାଗଡ଼ ପାଇଁ ରେର୍ଡ ଆଲର୍ଟ ଜାରି କରିଥିବା ବେଳେ ସହରରେ ୨୪ ଘଣ୍ଟାରେ ରେକର୍ଡ ୨୪୧ ମିମି ବର୍ଷା ହୋଇଇଛି।

Advertisment

ରବିବାର ସକାଳ ୬ଟା ସୁଦ୍ଧା ୨୪୧ ମିମି ବର୍ଷା ହୋଇଥିଲା। ଏବେ ବି ସେଠାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବର୍ଷା ପାଣି ସୁଅ ମାରିବାରୁ ସହରରେ ଏକାଧିକ କାର୍‌ ଭାସି ଯାଇଛି।

ଗୋଟିଏ କାର ଉପରେ ଆଉ ଗୋଟିଏ କାର୍‌ ଚଢ଼ି ଯାଇଛି। ଅନେକ ସ୍ଥାନରେ କାର୍‌ ଉପରେ କାର ମାଡ଼ି ଯିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ବର୍ଷା ପାଣିର ସୁଅରେ ଅନେକ ଗାଈ ଓ ମଇଁଷି ମଧ୍ୟ ଭାସି ଯାଇଛନ୍ତି।

ଦୁଇଟି ଜାତୀୟ ରାଜପଥ, ୧୦ଟି ରାଜ୍ୟ ରାଜପଥ ଓ ୩୦୦ଟି ଗ୍ରାମୀଣ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ସହରାଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ଆଜି ସକାଳୁ କିଛି ସ୍ଥାନରେ ବର୍ଷା ସାମାନ୍ୟ ଛାଡ଼ିବାରୁ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେ ବି ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜୁନାଗଡ଼ରୁ ଏଯାଏ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ପ୍ରଶାସନ କହିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରେ ଅଚାନକ ବନ୍ୟା ଯୋଗୁ କାର୍‌ ଓ ଅନ୍ୟାନ୍ୟ ଗାଡ଼ି ଭାସି ଯାଇଥିଲା। ଗୋଟିଏ ଗାଡ଼ି ଉପରେ ଆଉ ଗୋଟିଏ ଗାଡ଼ି ମାଡ଼ି ଯାଇଛି। ସେଗୁଡ଼ିକୁ ଅଲଗା କରିବା ତଥା ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କ୍ରେନର ବ୍ୟବହାର କରାଯାଉଛି। ଆବାସିକ ଅଞ୍ଚଳରେ ଜମି ରହିଥିବା ପାଣିକୁ କାଢ଼ିବା ପାଇଁ ମଟୋର ପମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ଶନିବାର ରାତିରୁ ଅହମଦାବାଦ ଏୟାରପୋର୍ଟରେ ଲଗାଣ ବର୍ଷା ଯୋଗୁ ପାଣି ଜମି ରହିଛି। ଏୟାରପୋର୍ଟ ଭିତରେ ଓ ବାହାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ସୁଅ ମାରୁଛି। ଏଠାରୁ ଯାଉଥିବା ଓ ଏଠାକୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏୟାରପୋର୍ଟକୁ ଆସୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ମଧ୍ୟ ଏୟାରପୋର୍ଟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ବିଚଳିତ କରିବା ବେଳର ଭିଡିଓ ମଧ୍ୟ ଶେୟାର କରୁଛନ୍ତି।

Heavy Rain Flood Situation Gujarat