ସାଇଡ ମରାରୁ ଆରମ୍ଭ ହେଲା ଉତ୍ତେଜନା। କ୍ରମଶଃ ଏହା ନେଲା ଉଗ୍ର ରୂପ ନେଲା ଓ ଅକାଳରେ ଚାଲିଗଲା ମା’ ଝିଅଙ୍କ ଜୀବନ । ଏପରି ଏକ ଭୟଙ୍କର ଘଟଣା ମହାରାଷ୍ଟ୍ରର ଲାତୁରରେ ଘଟିଛି।
ଲାତୁର ଜାତୀୟ ରାଜପଥ ଉପରେ ସାଦିକ ଶେଖ ନାମକ ଜଣେ ବ୍ୟକ୍ତି ବାଇକ୍ରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ଯାଉଥିଲେ। ହଠାତ୍ ନିଶାଗ୍ରସ୍ତ ଅବସ୍ଥାରେ ଜଣେ କାର୍ ଚାଳକ ତାଙ୍କୁ ସାଇଡ ମାରି ଓଭରଟେକ୍ କରିଥିଲା। ସାଦିକ କାର୍ ନିକଟକୁ ଯାଇ ଧୀରେ ଚଳାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ କାର୍ ଚାଳକ ଜଣକ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ।
ସାଦିକ ନିଜ ପରିବାର ସହ ବାଇକ୍ରେ ଯାଉଥିବା ବେଳେ କାର୍ ଚାଳକ କିଛି ସମୟ ସେଠାରେ ଛିଡ଼ା ହୋଇଯାଇଥିଲେ। ଏହାପରେ ସେ ଦ୍ରୁତ ଗତିରେ କାର୍ ଚଳାଇ ବାଇକ୍କୁ ଧକ୍କା ଦେଇଥିଲେ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସାଦିକଙ୍କ ପତ୍ନୀ ଓ ୬ ବର୍ଷୀୟା ଝିଅର ମୃତ୍ୟୁ ହୋଇଛି। ଏଥିସହ ସାଦିକ ଓ ତାଙ୍କ ପୁଅ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ବାପପୁଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ୍ ୫ ଜଣଙ୍କୁ ବାନ୍ଧି ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।