/odisha-reporter/media/post_attachments/uploadimage/library/16_9/16_9_0/Police_1704366976.jpg)
Police
ପୂର୍ବତନ କ୍ରିକେଟର ତଥା ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲର ହିରୋ ଯୋଗିନ୍ଦର ଶର୍ମାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ହରିୟାଣା ପୁଲିସ୍ ଗୋଟିଏ ମାମଲା ରୁଜୁ କରିଛି। ଯୋଗିନ୍ଦରଙ୍କ ବ୍ୟତୀତ ଆଉ ୫ ଜଣଙ୍କ ନାଁରେ ବି ମାମଲା କରାଯାଇଛି।
ହିସାରରେ ରହୁଥିବା ଜଣେ ବ୍ୟକ୍ତି ଜାନୁଆରୀ ୧ ତାରିଖରେ ଆତ୍ମହତ୍ୟା କରିଥିଲେ। ଜମି ଓ ଘର ବିବାଦ କାରଣରୁ ବ୍ୟକ୍ତି ଜଣଙ୍କ ଘର ଭିତରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିଲେ। ବୁଧବାର ଦାବ୍ରା ଗାଁରେ ରହୁଥିବା ୨୭ ବର୍ଷୀୟ ପବନ ହିସାରଙ୍କ ଶବବ୍ୟବଚ୍ଛେଦ ମଧ୍ୟ କରାଯାଇଥିଲା।
କିନ୍ତୁ ତାଙ୍କ ପରିବାର ଲୋକ ମୃତଦେହ ନେବାକୁ ମନା କରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ସମସ୍ତଙ୍କ ନାଁରେ ଏସସି/ଏସ୍ଟି ଦଫାରେ ମାମଲା କରିବାକୁ ଦାବି କରିଛନ୍ତି।
ପବନଙ୍କ ମା’ ସୁନୀତା ଏନେଇ ଅଭିଯୋଗ କରିବା ପରେ ପୁଲିସ ଆଇପିସିର ଧାରା ୩୦୬ ଅନୁଯାୟୀ ମଙ୍ଗଳବାର ରାତିରେ ମାମଲା କରିଥିଲା। ହିସାରର ପୂର୍ବତନ ଡିଏସ୍ପି ଯୋଗିନ୍ଦର ଶର୍ମା, ଅଜୟବୀର, ଈଶ୍ୱର, ପ୍ରେମ ଖତି, ଅର୍ଜୁନ ଓ ରାଜେନ୍ଦ୍ର ସିହାଗଙ୍କ ନାଁରେ ପୁଲିସ୍ ମାମଲା କରିଛି। ରାଜେନ୍ଦ୍ର ହେଉଛନ୍ତି ଜଣେ ହକି କୋଚ।
ସୁନୀତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେମାନେ ଯେଉଁ ଘରେ ରହୁଛନ୍ତି, ଉକ୍ତ ଘରକୁ ନେଇ ଚାଲିଥିବା ବିବାଦ ଏବେ କୋର୍ଟରେ ବିଚରାଧିନ ରହିଛି। ଏହାକୁ ନେଇ ପବନ ବେଶ ଚାପରେ ରହୁଥିଲେ। ସେ ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଥିବା ବେଳେ ଗତ ସପ୍ତାହରେ ଅଭିଯୁକ୍ତ ଅଜୟବୀର ଓ ତାଙ୍କ ପୁଅ ଅର୍ଜୁନ ତାଙ୍କ ପାଖକୁ ଆସି ଧମକଚମକ ଦେଇଥିଲେ। ତାଙ୍କୁ ଘର ଖାଲି କରିବାକୁ କହିଥିଲେ। ଏହାକୁ ନେଇ ପବନ ଆହୁରି ଚାପ ଅନୁଭବ କରିଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ସୁନୀତା କହିଛନ୍ତି।
ବିଗତ କିଛି ବର୍ଷ ହେଲାଣି ଅଭିଯୁକ୍ତମାନେ ପବନ ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରୁଥିଲେ। ସୁନୀତା ୨୦୨୦ ଅକ୍ଟୋବର ୬ରେ ଯୋଗିନ୍ଦରଙ୍କୁ ଛାଡ଼ୀ ଆଉ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଏଫଆଇଆର ଦେଇଥିଲେ। ସେହି ସମୟରେ ଯୋଗିନ୍ଦର ଡିଏସପି ଥିଲେ। ସେ ଏହାର ତଦନ୍ତ କରିଥିଲେ ଓ ପୀଡ଼ିତଙ୍କ ଜାତି ବାବଦରେ ସେ ଭଲ ଭାବେ ଜାଣିଥିଲା। ତଥାପି ଅଭିଯୋଗ ଅନୁସାରେ ସେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।
୨୦୨୦ ମସିହା ନଭେମ୍ବର ୬ରେ ସମସ୍ତ ଅଭିଯୁକ୍ତ ମିଳିତ ଭାବେ ସୁନୀତାଙ୍କ ଘରକୁ ଆସିଥିଲେ। ସେମାନେ ତାଙ୍କ ଝିଅ କବିତାକୁ ଧମକାଇଥିଲେ। ଏଥିରେ ଭୟଭୀତ ହୋଇ କବିତା ମୂଷା ମରା ଔଷଧ ନଭେମ୍ବର ୯ରେ ଖାଇ ଦେଇଥିଲେ। ଚିକିତ୍ସା ପରେ ସେ ୧୨ ତାରିଖରେ ଘରକୁ ଫେରିଥିଲେ।
ଅଭିଯୋଗ ସତ୍ତ୍ୱେ ମଧ୍ୟ ପୁଲିସ୍ କୌଣସି ପ୍ରକାରର ମାମଲା କରି ନଥିଲା। ବରଂ ମାମଲା ରଫାଦଫା କରି ପୀଡ଼ିତଙ୍କ ପରିବାର ଲୋକଙ୍କୁ ଘର ଛାଡ଼ିବାକୁ କହିଥିଲା। ଏହା ପଛରେ ଯୋଗିନ୍ଦର ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସବୁ ଆଡ଼ୁ ନିରାଶ ହେବା ପରେ ପବନ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେଣୁ ଯୋଗିନ୍ଦର ଅନ୍ୟମାନଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
