Bengaluru stampede
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଆରସିବି, ଡିଏନ୍ଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ (କେଏସ୍ସିଏ) ବିରୋଧରେ ମାମଲା ରୁଜୁ କରିଛି।
କ୍ୟୁବୋନ ପାର୍କ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ନେଇ ଡିସିପି ଶେଖର ଏଚ୍ ଟେକ୍କନ୍ନାଭର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଛି। ଅପରାଧିକ ଅବହେଳା ଅଭିଯୋଗରେ ଏକାଧିକ ସଂସ୍ଥାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଆରସିବି, କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ ଓ ଡିଏନ୍ଏ ଏଣ୍ଟରଟେନମେଣ୍ଟ ନାଁରେ ମାମଲା ରୁଜୁ କରାଯାଇଛି। ତା’ ମଧ୍ୟରେ ରହିଛି ଧାରା ୧୦୫ (ଉଦ୍ଦେଶ୍ୟ ନଥାଇ ହତ୍ୟା), ଧାରା ୧୨୫ (୧୨) (ଜୀବନକୁ ବିପଦରେ ପକାଇବା ବା ଅନ୍ୟମାନଙ୍କର ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା) ଓ ଧାରା ୧୪୨ (ବେଆଇନ ଭିଡ଼ ଜମାଇବା)।
ଡିଏନ୍ଏ ଏଣ୍ଟରଟେନମେଣ୍ଟ ଆରସିବିର ବିଜୟୋତ୍ସବର ପରିଚାଳନା କରିଥିବା ବେଳେ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବୋଲି ସରକାରଙ୍କ ତରଫରୁ କୁହାଯାଇଛି।
ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଟିମ୍ ଅହମଦାବାଦରେ ଆଇପିଏଲ ଟ୍ରଫି ଜିତି ବୁଧବାର ବେଙ୍ଗାଲୁରୁ ଆସିଥିଲା। ସେହିଦିନ ଟିମ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ପାଇଁ କୌଣସି ଟିକେଟର ବ୍ୟବସ୍ଥା କରାଯାଇ ନଥିବାରୁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା। ସେହି ସମୟରେ ବର୍ଷା ହେବାରୁ ଅଧିକରୁ ଅଧିକ ଲୋକ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ଚେଷ୍ଟା କରିବାରୁ ଦଳଚକଟା ଘଟିଥିବା ଜଣାପଡ଼ିଛି। ଏଥିରେ ୧୧ ଜଣ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।
ଏହି ଘଟଣାକୁ ନେଇ କର୍ଣ୍ଣାଟକାରେ ରାଜନୀତି ଜୋର ଧରିଛି। କର୍ଣ୍ଣାଟକାର କଂଗ୍ରେସ ସରକାରକୁ ଟାର୍ଗେଟ କରିଛି ବିରୋଧୀ ବିଜେପି। ଇତିମଧ୍ୟରେ ବେଙ୍ଗାଲୁରୁ ପୁଲିସ ପକ୍ଷରୁ କୁହାଯାଇଛି ଯେ ବୁଧବାର ବଦଳରେ ଆସନ୍ତା ରବିବାର ବିଜୟୋତ୍ସବ ପାଳନ କରିବାକୁ ଆରସିବିକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିଦେଶୀ ଖେଳାଳିମାନେ ସେତେଦିନ ପର୍ଯ୍ୟନ୍ତ ରହିବେନି କହି ବୁଧବାର ବିଜୟୋତ୍ସବ ପାଳନ କରିବାକୁ ଜିଦ୍ ଧରିଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଜୟୋତ୍ସବ ପାଳନ ପାଇଁ ପୁଲିସ୍ ଆରସିବିକୁ ଅନୁମତି ଦେଇ ନଥିଲା।
ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଜି ଜଗଦୀଶଙ୍କୁ ଦାୟିତ୍ୱ ଦେଇଛନ୍ତି କର୍ଣ୍ଣାଟକା ସରକାର। ଆରସିବି, କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ ଓ ବେଙ୍ଗାଲୁରୁ ମେଟ୍ରୋ ଇତ୍ୟାଦିକୁ ନୋଟିସ୍ ଜାରି କରାଯିବ ବୋଲି ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1749129147.jpg)