Advertisment

ମେଡିକାଲରେ ଖବର ସଂଗ୍ରହ କରୁଥିଲେ ସାମ୍ବାଦିକ, ପିଟିଲେ ୨ ଡାକ୍ତର

ଯିଏ ବି ଦୋଷୀ ଥିବା ଜଣାପଡ଼ିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ଖବର ସଂଗ୍ରହ କରିବାକୁ ହସ୍ପିଟାଲ ଯାଇଥିବା ଜଣେ ସାମ୍ବାଦିକଙ୍କୁ ନିର୍ଧୂମ ଛେଚିଲେ ୨ ଡାକ୍ତର। ଏହାକୁ ନେଇ ୨ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଏପରିକି ୨ ଡାକ୍ତରଙ୍କ ବିରୋଧରେ ସାମ୍ବାଦିକ ଜଣକ ମାରପିଟ ତଥା ଲୁଟ୍‌ପାଟ୍‌ ମାମଲା ରୁଜୁ କରିଛନ୍ତି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଏଥିରେ ଯିଏ ବି ଦୋଷୀ ଥିବା ଜଣାପଡ଼ିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଗତ ରବିବାର ରାତିରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ରାମ ମୋହନ ଲୋହିଆ ହସ୍ପିଟାଲରେ ଏହି ଘଟଣା ଘଟିଛି।

Advertisment

ଡାକ୍ତରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଜଣଙ୍କ ହେଲେ ସ୍ପର୍ଶ ଗୁପ୍ତା । ତାଙ୍କ କହିବାନୁଯାୟୀ, ରବିବାର ରାତିରେ ଖବର ସଂଗ୍ରହ ପାଇଁ ସେ ରାମ ମୋହନ ଲୋହିଆ ହସ୍ପିଟାଲ ଯାଇଥିଲେ। ସେଠାରେ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଚିକିତ୍ସା ସୁବିଧା ମିଳୁ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଉକ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ନିବେଦନ କରିଥିଲେ।

ଏପରିକି ନିଜ ମୋବାଇଲରେ ସ୍ପର୍ଶ ଗୁପ୍ତା ସମସ୍ତ ଘଟଣାକୁ ରେକର୍ଡିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଡାକ୍ତର ଅଭିଷେକ ଗୁପ୍ତା ଓ ଡାକ୍ତର ଗୌରବ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଡାକ୍ତରଦ୍ୱୟ ସ୍ପର୍ଶଙ୍କୁ ମାରପିଟ କରିଥିଲେ। ଏହି ଡାକ୍ତର ଦ୍ୱୟ ତାଙ୍କୁ ଏକ ରୁମ୍‌କୁ ନେଇ ସେଠାରେ ପ୍ରବଳ ପିଟିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ ବୋଲି ସ୍ପର୍ଶ ନିଜ ଏଫ୍‌ଆଇଆରରେ ଦର୍ଶାଇଛନ୍ତି।

Advertisment

ଏହି ଘଟଣା ସମ୍ପର୍କରେ ଡିସିପି ସୈୟଦ ଅଲ୍ଲୀ କହିଛନ୍ତି, ପୀଡ଼ିତଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଯିଏ ବି ଦୋଷୀ ଥିବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Crime