ସରକାରୀ କର୍ମଚାରୀ, ରାଜନେତା ଓ ବଡ଼ବଡ଼ ବ୍ୟବସାୟୀଙ୍କ ଘରୁ ଅଘୋଷିତ ଟଙ୍କା ମିଳିବାର ନିଜର ରହିଛି। ହେଲେ ଦେଶ ଇତିହାସରେ ପ୍ରଥମଥର ପାଇଁ ନ୍ୟାୟର ମନ୍ଦିର କୁହାଯାଉଥିବା ନ୍ୟାୟପାଳିକାର ଜଣେ ବିଚାରପତିଙ୍କ ଘରୁ ମିଳିଛି ଆଖି ଲାଗି ଯିବା ଭଳି ନଗଦ ଟଙ୍କା। ବିଚାରପତିଙ୍କ ଘରେ ନିଆଁ ଲାଗିବା ଯୋଗୁ ଏତେ ପରିମାଣର ନଗଦ ଟଙ୍କା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବାହିନୀ ହାତରେ ଲାଗିଛି।
ସବୁଆଡ଼ୁ ନିରାଶ ହେବା ପରେ ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ବିଚାରପତିଙ୍କ ଦ୍ୱାରସ୍ଥ ହୁଏ। କିନ୍ତୁ ଲୋକଙ୍କୁ ନ୍ୟାୟ ଦେବାକୁ ବିସିଥିବା ବିଚାରପତିଙ୍କ ଘରୁ ଅଘୋଷିତ ଟଙ୍କା ବିଡ଼ା ମିଳିବା ନ୍ୟାୟପାଳିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଲୋକେ କୁହନ୍ତି, ନେତା, ମନ୍ତ୍ରୀ, ପୁଲିସ ଓ ପ୍ରଶାସନିକ ଅଧିକାରୀ ଦୁର୍ନୀତି ଗ୍ରସ୍ତ ହୋଇ ପାରନ୍ତି। ହେଲେ ବିଚାରପତି ସବୁବେଳେ ନିରପେକ୍ଷ। ସେ ନ୍ୟାୟର ଦେବତା। କିନ୍ତୁ ଏହି ଧାରଣା ଜଷ୍ଟିସ ଯଶବନ୍ତ ବର୍ମାଙ୍କ କ୍ଷେତ୍ରରେ ସତେ ଯେମିତି ବଦଳି ଯାଇଛି।
ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରାଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁପ୍ରିମକୋର୍ଟ କଲେଜିୟମ ଟଙ୍କା ମିଳିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଜଷ୍ଟିସ ବର୍ମାଙ୍କୁ ପୂର୍ବ ପରି ଆହ୍ଲାବାଦକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହେବା ପୂର୍ବରୁ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ। ୨୦୨୧ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା।
ଖାଲି ସେତିକି ନୁହେଁ, ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱସନୀୟତା ବଜାୟୀ ରଖିବା ପାଇଁ କଲେଜିୟମ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି। ଏଥିସହ ତାଙ୍କୁ ନିଜ ତରଫରୁ ଇସ୍ତଫା ଦେବାକୁ ମଧ୍ୟ କୁହାଯାଇ ପାରେ। ନଚେତ ତାଙ୍କୁ ସଂସଦ ଦ୍ୱାରା ମହାଭିଯୋଗ ପ୍ରସ୍ତାବ ଆଣି ବିଚାରପତି ପଦରୁ ବହିଷ୍କାର ମଧ୍ୟ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ପ୍ରଥମେ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି।
ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରୁ ଗତ ସପ୍ତାହ ଅର୍ଥାତ ହୋଲି ଛୁଟି ବେଳେ ପୁଳାପୁଳା ଟଙ୍କା ମିଳିଥିଲା। ପ୍ରଥମେ ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗି ଯାଇଥିଲା। ଏଥିରେ ବ୍ୟସ୍ତ ହୋଇ ସହର ବାହାରକୁ ଛୁଟି କାଟିବାକୁ ଯାଇଥିବା ବିଚାରପତିଙ୍କ ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ୍ ମିଳିତ ଭାବେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହାପରେ ହୋଇଥିବା ଯାଞ୍ଚ ବେଳେ ମିଳିଥିବା ଜନିଷ ସମସ୍ତଙ୍କୁ ଚକିତ କରିଥିଲା।
ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାର ବିଭିନ୍ନ ରୁମରୁ ପୁଳାପୁଳା ଟଙ୍କା ମିଳିଥିଲା। ଏତେ ଟଙ୍କା ଜଣେ ବିଚାରପତିଙ୍କ ଘରକୁ କେମିତି ଆସିଲା, ତା’ହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଏତେ ଟଙ୍କା ଆସିବାର ଉତ୍ସ ସମ୍ପର୍କରେ ଜଷ୍ଟିସ ବର୍ମା କୌଣସି ସୂଚନା ମଧ୍ୟ ଦେଇ ନାହାନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ତୁରନ୍ତ କଲେଜିୟମ ବୈଠକ ଡାକିଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ନିଷ୍ପତ୍ତି ହୋଇଥିଲା। ଜଷ୍ଟିସ ବର୍ମା ଏଯାଏ ଟଙ୍କା ମିଳିବା ଘଟଣା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ସେହିପରି ସେ କୋର୍ଟ କାର୍ଯ୍ୟରେ ଯୋଗ ନଦେଇ ଛୁଟିରେ ଚାଲି ଯାଇଛନ୍ତି।
ସୂତ୍ର ଅନୁସାରେ, ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କଲେଜିୟର ସମସ୍ତ ୫ ସଦସ୍ୟ ଜଷ୍ଟିସ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ଯୋଗୁ ନ୍ୟାୟପାଳିକା ସମ୍ମାନରେ ଆଞ୍ଚ ଆସିଛି। ଲୋକଙ୍କ ନ୍ୟାୟ ପାଇବା ଉପରେ ପ୍ରଶ୍ନ ଉଠିଛି। ତେଣୁ କଲେଜିୟମ ବୈଠକରେ ଜଷ୍ଟିସ ବର୍ମାଙ୍କୁ ଇସ୍ତଫା ଦେବାକୁ କୁହାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଯଦି ସେ ଇସ୍ତଫା ଦେବାକୁ ମନା କରନ୍ତି, ତା’ହେଲେ କଲେଜିୟମର କିଛି ସଦସ୍ୟ ତାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହା ସଂସଦ ଦ୍ୱାରା ତାଙ୍କୁ ବରଖାସ୍ତ କରାଯିବାର ପ୍ରଥମ ସୋପାନ ହେବ।
ସମସ୍ତେ ହତୋତ୍ସାହିତ ହୋଇପଡ଼ିଛନ୍ତି: ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିକେ ଉପାଧ୍ୟାୟ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟରେ ଆଜି ବରିଷ୍ଠ ଆଇନଜୀବୀ ଅରୁଣ ଭରଦ୍ୱାଜ ଟଙ୍କା ମିଳିବା ଘଟଣା ଉପସ୍ଥାପନ କରିଥିଲେ। ଏହି ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ଉପାଧ୍ୟାୟ କହିଛନ୍ତି ଯେ ”ଆଜିର ଘଟଣା ଆମ ସମସ୍ତଙ୍କୁ ଯନ୍ତ୍ରଣା ଦେଇଛି। ପ୍ରଶାସନ ପକ୍ଷରୁ ଦୟା କରି ଏମିତି କିଛି ପଦକ୍ଷେପ ନିଆଯାଉ, ଯାହା ଦ୍ୱାରା ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟିବ ଓ ନ୍ୟାୟ ବ୍ୟବସ୍ଥା ଅକ୍ଷୁଣ୍ଣ ରହିବ। ଘଟଣାଟି ସମସ୍ତଙ୍କୁ ଦୋହଲାଇ ଦେଇଛି।”
କେମିତି ହାଇକୋର୍ଟ ବିଚାରପତି ବରଖାସ୍ତ ହେବେ?
୧୯୯୯ରେ ସୁପ୍ରିମକୋର୍ଟ ସାମ୍ବିଧାନିକ କୋର୍ଟର ବିଚାରପତିଙ୍କ ବିରୋଧରେ ଆସୁଥିବା ଦୁର୍ନୀତି, ବେଆଇନ କାର୍ଯ୍ୟ ଓ ନ୍ୟାୟିକ ଅନିୟମିତତା ଭଳି ଅଭିଯୋଗକୁ କେମିତି ବିଚାର କରାଯିବା, ତା’ର ଗାଇଡଲାଇନ ଜାରି କରିଥିଲେ। ଗାଇଡଲାଇନରେ କୁହାଯାଇଛି ଯେ ଜଜଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ପ୍ରଧାନ ବିଚାରପତି ପ୍ରଥମେ ଅଭିଯୁକ୍ତଙ୍କ ଠାରୁ ଜବାବ ତଲବ କରିବେ। ଯଦି ସେ ଜବାବରେ ସନ୍ତୁଷ୍ଟି ହୋଇ ପାରିଲେ ନାହିଁ କିମ୍ବା ଅଭିଯୋଗର ତଦନ୍ତ ହେବା ଆବଶ୍ୟକ ବୋଲି ଅନୁଭବ କରିବେ, ତା’ହେଲେ ସେ ଆଭ୍ୟନ୍ତରୀଣ କମିଟି ଗଠନ କରିପାରିବେ।
ଏହି କମିଟରେ ଜଣେ ସୁପ୍ରିମକୋର୍ଟ ବିଚାରପତି ଓ ଦୁଇଟି ହାଇକୋର୍ଟର ମୁଖ୍ୟ ବିଚାରପତି ରହିବେ। କମିଟି ରିପୋର୍ଟ ଦେବା ପରେ ଏହାକୁ ଭଲ ଭାବେ ପ୍ରଧାନ ବିଚାରପତି ସମୀକ୍ଷା କରିବେ। ଯଦି ତ୍ରୁଟି ସାଂଘାତିକ ବୋଲି ପ୍ରଧାନ ବିଚାରପତି ଅନୁଭବ କରିବେ, ତା’ହଲେ ଅଭିଯୁକ୍ତ ଜଜଙ୍କୁ ଇସ୍ତଫା ଦେବାକୁ କହିପାରିବେ।
ଯଦି ଅଭିଯୁକ୍ତ ଜଜ ପରାମର୍ଶ ଅନୁସାରେ ନିଜ ଆଡ଼ୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ପ୍ରଧାନ ବିଚାରପତି ସରକାରଙ୍କୁ ଚିଠି ଲେଖି ଅଭିଯୁକ୍ତ ଜଜଙ୍କୁ ସଂସଦ ଦ୍ୱାରା ସମ୍ବିଧାନର ଧାରା ୧୨୪(୪) ଅଧୀନରେ ବରଖାସ୍ତ କରିବାକୁ କହିପାରିବେ।
କାର୍ଯ୍ୟାନୁଷ୍ଠାନ ଆବଶ୍ୟକ: ବରିଷ୍ଠ ଆଇନଜୀବୀ କପିଲ ଶିବଲ
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣାରେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ଶିବଲ ସୁପ୍ରିମକୋର୍ଟଙ୍କୁ ବିଚାରପତି ନିଯୁକ୍ତି ପ୍ରକ୍ରିୟା କେମିତି ହେଉଛି, ତା’ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ନ୍ୟାୟପାଳିକାରେ ଦୁର୍ନୀତି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ନିଯୁକ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛତା ଓ ଯତ୍ନର ସହ କରାଯିବା ଦରକାର। ଦୁର୍ନୀତି ଗୋଟିଏ ବଡ଼ ପ୍ରସଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ କଥା କହୁଥିବା ବେଳେ ବାସ୍ତବରେ ଦୁର୍ନୀତି ବଢ଼ିଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।