Advertisment

ଗୁଇନ୍ଦାଗିରି ଘଟଣା: ସିସୋଦିଆଙ୍କ ବିରୋଧରେ ଚାଲିବ ସିବିଆଇ ତଦନ୍ତ

ବିରୋଧୀଙ୍କ ଉପରେ ସିସୋଦିଆ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଛି।

author-image
Hemant Lenka
Manish Sisodia

Manish Sisodia

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଚାଲିବ ସିବିଆଇ ତଦନ୍ତ। ବିରୋଧୀଙ୍କ ଉପରେ ସେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଛି।

Advertisment

ସିସୋଦିଆଙ୍କ ନାଁରେ ଏବେ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି। ଏପରି କି ତାଙ୍କୁ ସିବିଆଇ ହାଜର ହେବାକୁ ନୋଟିସ ମଧ୍ୟ କରିଛି। ଏହା ତଦନ୍ତ ଚାଲୁଥିବା ବେଳେ ସିସୋଦିଆ ଏବେ ଗୁଇନ୍ଦାଗିରି ମାମଲାରେ ଫସିଛନ୍ତି।

ଆଜି ସିବିଆଇ ତଦନ୍ତର ଅନୁମତି ପରେ ସିସୋଦିଆ କହିଛନ୍ତି, “ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ମିଛ କେସ୍‌ କରିବା ଗୋଟିଏ ଦୁର୍ବଳ ଓ ଭୟଭୀତ ବ୍ୟକ୍ତିର ଲକ୍ଷଣ। ଆମ ଆଦମୀ ପାର୍ଟି ଆଗକୁ ଯେତିକି ଯେତିକି ବଢ଼ିବ, ତା’ ଉପରେ ଆହୁରି ଅନେକ କେସ୍‌ ହେବ।”

Advertisment

ସିସୋଦିଆ ଦିଲ୍ଲୀ ସରକାରର ଭିଜିଲାନ୍ସ ବିଭାଗ ମୁଖ୍ୟ। ୨୦୧୫ରେ ଆପ୍‌ ସରକାର ଭିଜିଲାନ୍ସ ବିଭାଗ ଅଧୀନରେ ଗୋଟିଏ ଫିଡ୍‌ବ୍ୟାକ ୟୁନିଟ ଗଠନ କରିଥିଲେ। ତେବେ ଏହାକୁ ଆପ୍‌ ସରକାର ଓ ମନୀଷ ସିସୋଦିଆ ଗୁପ୍ତଚର ଭାବେ ବିରୋଧୀ, ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସିବିଆଇ ସିସୋଦିଆଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ଅନୁମତି ମାଗିଥିଲା। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇଛନ୍ତି।

ସିବିଆଇ ସୂତ୍ରରେ କୁହାଯାଇଛି ଯେ “ଏହି ଗୁପ୍ତଚର ୟୁନିଟର କୌଣସି ସାମ୍ବିଧାନିକ ବୈଧତା ନଥିଲା। ଏହା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଓ ପରାମର୍ଶଦାତାଙ୍କ ଦ୍ୱାରା ଚାଲୁଥିଲା। ୟୁନିଟର ସଦସ୍ୟମାନେ ସିଧାସଳଖ ତାଙ୍କୁ ରିପୋର୍ଟ କରୁଥିଲେ। ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ଏହି ୟୁନିଟ ନାଁରେ ବେଆଇନ ଭାବେ ଆର୍ଥିକ କାରବାର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।”

ସିବିଆଇ ଏହି ଘଟଣାରେ ରିପୋର୍ଟ ଦେବା ପରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ। ଏବେ ମନ୍ତ୍ରଣାଳୟ ପକ୍ଷରୁ ଉପ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି ଯେ ସିବିଆଇ ଘଟଣାର ତଦନ୍ତ କରିବ।

ବିଭିନ୍ନ ସରକାରୀ ବିଭାଗ ଓ ସ୍ୱଂୟଶାସିତ ଅନୁଷ୍ଠାନର ତଥ୍ୟ ଏକାଠି କରି ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଫିଡ୍‌ବ୍ୟାକ୍ ୟୁନିଟ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ୨୦୧୬ରେ ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ ଏହି ୟୁନିଟ ବିରୋଧରେ ଅଭିଯୋଗ କରିଥିଲେ। ତେଣୁ ସିବିଆଇ ପ୍ରାଥମିକ ତଦନ୍ତ କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଧାର୍ଯ୍ୟ କାମ ବ୍ୟତୀତ ଫିଡବ୍ୟାକ ୟୁନିଟ ଏକାଧିକ ରାଜନେତାଙ୍କ ରାଜନୀତିକ କାର୍ଯ୍ୟକଳାପ ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରୁଥିଲା। ଏହାକୁ ଆପ୍‌ର ରାଜନୀତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା ବୋଲି ସିବିଆଇ ଦାବି କରିଛି।

Delhi CBI Manish Sisodia