କୋଲକାତା ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛ ଧରା ପରୀକ୍ଷା

ସନ୍ଦୀପ ଘୋଷଙ୍କ ବ୍ୟତୀତ ସିବିଆଇ ସ୍କାନରରେ ଥିବା ଆଉ ୪ ଜଣ ଡାକ୍ତରଙ୍କର ମଧ୍ୟ ପଲିଗ୍ରାଫ ବା ମିଛ ଧରା ପରୀକ୍ଷା ହେବ।

ଡାକ୍ତର ସନ୍ଦୀପ ଘୋଷ (ଫାଇଲ ଫଟୋ)

  • Published: Thursday, 22 August 2024
  • , Updated: 22 August 2024, 09:15 PM IST

ବିବାଦରେ ଥିବା କୋଲକାତାର ଆରଜି ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିଛି। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା କରିବ। ଏନେଇ କୋଲକାତାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି।

ସନ୍ଦୀପ ଘୋଷଙ୍କ ବ୍ୟତୀତ ସିବିଆଇ ସ୍କାନରରେ ଥିବା ଆଉ ୪ ଜଣ ଡାକ୍ତରଙ୍କର ମଧ୍ୟ ପଲିଗ୍ରାଫ ବା ମିଛ ଧରା ପରୀକ୍ଷା ହେବ। ଏମାନେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ସହକର୍ମୀ।

ଘଟଣା ଦିନ ପୀଡ଼ିତାଙ୍କ ସହ ଏହି ୪ ଡାକ୍ତର ଥିଲେ ଓ ଏକାଠି ସମସ୍ତେ ଡିନର ମଧ୍ୟ କରିଥିଲେ। ତେଣୁ ସିବିଆଇ ସେମାନଙ୍କୁ ସନ୍ଦୀପ ଘୋଷଙ୍କ ଭଳି ଘନଘନ ଜେରା କରିଛି। ଏଥିସହ ସମସ୍ତଙ୍କର ମିଛ ଧରା ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ପାଇଛି।

ସିବିଆଇ ସୂତ୍ରରୁ ଜଣାପଡ଼ିଛି ଯେ ତଦନ୍ତକାରୀ ଅଧିକାରୀ ୫ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜେରା ସମୟରେ ଏମାନେ ଦେଇଥିବା ତଥ୍ୟରେ କେତେ ସତ୍ୟତା ରହିଛି, ତା’କୁ ନିଶ୍ଚିତ କରିବା ପାଇଁ ସିବିଆଇ ଏପରି ଟେଷ୍ଟ କରିବାକୁ ଯାଉଛି।

ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ଆରଜି କର ମେଡିକାଲ କଲେଜ ଓ ହସ୍ପିଟଲର ସେମିନାର ରୁମରୁ ମିଳିଥିଲା। ଏହାକୁ ନେଇ ପୂରା ଦେଶରେ ବିକ୍ଷୋଭ ଦେବାକୁ ମିଳିବାରୁ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ କଲିକତା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ କରାଯାଇଥିଲେ। ହେଲେ ସେ ବିବାଦ ଘେରକୁ ଆସିବାରୁ ବୁଧବାର ତାଙ୍କୁ ନିଲମ୍ବିତ କରାଯାଇଛି।

Related story