Advertisment

ଋଣ ଜାଲିଆତି: ଅମ୍ବାନିଙ୍କ ଘରେ ପଶିଲା ସିବିଆଇ

ଅନୀଲ ଅମ୍ବାନି ଏକାଧିକ ବ୍ୟାଙ୍କ ଋଣ ଜାଲିଆତି ଯୋଗୁ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସ୍କାନରରେ ରହିଛନ୍ତି। କୁହାଯାଉଛି ଯେ ଅନୀଲ ଅମ୍ବାନିଙ୍କ ବ୍ୟବସାୟିକ ସଂସ୍ଥାଗୁଡ଼ିକ ମୋଟ ୧୭ ହଜାର କୋଟି ଟଙ୍କାର ଜାଲିଆତିରେ ସାମିଲ ଅଛନ୍ତି।

author-image
Hemant Lenka
anil ambani

anil ambani

ଶିଳ୍ପପତି ଅନୀଲ ଅମ୍ବାନିଙ୍କ ଘରେ ପଶିଲା ସିବିଆଇ। ଆଜି ସକାଳୁ ସିବିଆଇର ଗୋଟିଏ ଟିମ ମୁମ୍ବାଇ ସ୍ଥିତ ଅନୀଲ ଅମ୍ବାନିଙ୍କ ଘରେ ପଶି ରେଡ କରିଛି। ୩୦୭୩ କୋଟିର ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ସିବିଆଇ ପକ୍ଷରୁ ଏପରି ରେଡ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୭ଟାରେ ସିବିଆଇ ଟିମ ଅନୀଲ ଅମ୍ବାନିଙ୍କ କୁଫ ପାରେଡେର ସିୱିଣ୍ଡ ଘରେ ପହଞ୍ଚିଥିଲା। ୭ରୁ ୮ ଜଣ ଅଧିକାରୀ ଘର ଭିତରେ ପଶି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ରେଡ ଚାଲିଥିବା ବେଳେ ଅମ୍ବାନି ଓ ତାଙ୍କ ପରିବାରର ସଦସ୍ୟମାନେ ଘରେ ଉପସ୍ଥିତ ରହିଛନ୍ତି। ସେମାନଙ୍କୁ ମଧ୍ୟ ସିବିଆଇର ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ ପକ୍ଷରୁ ଅମ୍ବାନି ଆଣ୍ଡ କୋ ବିରୋଧରେ ଋଣ ଜାଲିଆତି ଅଭିଯୋଗ କରାଯାଇଛି। ଏହାପରେ ସିବିଆଇ ପକ୍ଷରୁ ଅନୀଲ ଅମ୍ବାନି, ତାଙ୍କ ଅଧୀନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀରେ ଏଫଆଇଆର ରୁଜୁ କରାଯାଇଥିଲା। ଏହାପରେ ସିବିଆଇ ପକ୍ଷରୁ ଏପରି ରେଡ ହୋଇଛି।ଏହାପୂର୍ବରୁ ଅମ୍ବାନିଙ୍କ କମ୍ପାନୀ ସହ ଜଡ଼ିତ ଥିବା କିଛି ଲୋକଙ୍କ ଘରେ ମଧ୍ୟ ସିବିଆଇ ରେଡ କରିଥିଲା।

Advertisment

ସିବିଆଇ ତା’ର ଅଭିଯୋଗରେ ଦର୍ଶାଇଛି ଯେ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ ଲିଃ(ଆରସିଓଏମ) ପକ୍ଷରୁ ମୋଟ ୩୭୦୭ କୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି। ଏଥିସହ ବ୍ୟାଙ୍କ ପକ୍ଷରୁ ଅନୀଲ ଅମ୍ବାନିଙ୍କ ସମେତ ତାଙ୍କ କମ୍ପାନୀ ଅଧୀନରେ ଥିବା ଆକାଉଣ୍ଟ ଓ ପ୍ରମୋଟର୍ସମାନଙ୍କୁ ଠକ ଭାବେ ଚିହ୍ନଟ କରିଥିଲା।

୨୦୨୦ ନଭେମ୍ବର ୧୦ରେ ଏସବିଆଇ ଏପରି ପଦକ୍ଷେପ ନେଇଥିଲା। ଏହାପରେ ୨୦୨୧ ମସିହା ଜାନୁଆରୀ ୫ରେ ସିବିଆଇ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରାଯାଇଥିଲା। ତେବେ ଦିଲ୍ଲୀ ହାଇକୋର୍ଟ ୨୦୨୧ ଜାନୁଆରୀ ୬ରେ ପୂରା ମାମଲାରେ ସ୍ଥିତାବସ୍ଥା ବଜାୟୀ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅଭିଯୋଗପତ୍ର ଫେରି ଆସିଥିଲା।

ସେହିପରି ୨୦୨୩ ମସିହା ମାର୍ଚ୍ଚ ୨୭ରେ ସୁପ୍ରିମକୋର୍ଟ କାହାକୁ ଠକ ଭାବେ ବିବେଚନା କରିବା ପୂର୍ବରୁ ତାଙ୍କ ପକ୍ଷ ଶୁଣିବା ଜରୁରୀ ବୋଲି କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏସବିଆଇ ୨୦୨୩ ମସିହା ସେପ୍ଟେମ୍ବର ୨ରେ ନିଜର ଠକ ମାନ୍ୟତାକୁ ପ୍ରତ୍ୟାହାର କରିଥିଲା। ୨୦୨୪ ଜୁଲାଇ ୧୫ରେ ଆରବିଆଇ ଜାରି କରିଥିବା ଗାଇଡଲାଇନ ଅନୁସାରେ ଏସବିଆଇ କାମ କରି ପୁଣି ଥରେ ଆକାଉଣ୍ଟକୁ ଠକ ବିବେଚନା କରିଥିଲା।

୨୦୨୫ ମସିହା ଜୁନ ୨୪ରେ ସିବିଆଇ କହିଥିଲା ଯେ ଆରବିଆଇର ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଇଛି ଓ ସିବିଆଇ ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରାଯାଇଛି। ଏହି ଅଭିଯୋଗ ମିଳିବା ପରେ ସିବିଆଇ ଏଫଆଇଆର ରୁଜୁ କରିଥିଲା।

ଏହି ମାମଲା ବ୍ୟତୀତ ଅନୀଲ ଅମ୍ବାନି ଏକାଧିକ ବ୍ୟାଙ୍କ ଋଣ ଜାଲିଆତି ଯୋଗୁ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସ୍କାନରରେ ରହିଛନ୍ତି। କୁହାଯାଉଛି ଯେ ଅନୀଲ ଅମ୍ବାନିଙ୍କ ବ୍ୟବସାୟିକ ସଂସ୍ଥାଗୁଡ଼ିକ ମୋଟ ୧୭ ହଜାର କୋଟି ଟଙ୍କାର ଜାଲିଆତିରେ ସାମିଲ ଅଛନ୍ତି।

CBI Reliance Anil Ambani