Advertisment

ରିଲାଏନ୍ସ ବୀମା ଦୁର୍ନୀତି: ସତ୍ୟପାଲ ମଲିକଙ୍କ ବୟାନ ରେକର୍ଡ କଲା ସିବିଆଇ

ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ଶ୍ରୀ ମଲିକ ୨୦୧୮ରେ ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା କମ୍ପାନୀର ବୀମା ଡିଲ୍‌କୁ ବାତିଲ କରିଥିଲେ।

author-image
Hemant Lenka
Satyapal Malik

Satyapal Malik

ରିଲାଏନ୍ସ ଜେନେରାଲ ବୀମା ଦୁର୍ନୀତି ଅଭିଯୋଗ ଘଟଣାରେ ଆଜି ସିବିଆଇ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବୟାନ ରେକର୍ଡ କରିଛି। ଏହି ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଶ୍ରୀ ମଲିକଙ୍କୁ ଜଣେ ସାକ୍ଷୀ ଭାବେ ବିବେଚନା କରି ଆଜି ହାଜର ହେବାକୁ ସମନ କରିଥିଲା। ଏହାପରେ ଦୀର୍ଘ ୫ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରାଯାଇଛି।

Advertisment

ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ଶ୍ରୀ ମଲିକ ୨୦୧୮ରେ ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା କମ୍ପାନୀର ବୀମା ଡିଲ୍‌କୁ ବାତିଲ କରିଥିଲେ। ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଉଥିବା ବେଳେ ଶ୍ରୀ ମଲିକ ଏଥିରେ ଦୁର୍ନୀତିର ଗନ୍ଧ ବାରିଥିଲେ। ଏଥିପାଇଁ ସେ ଡିଲ୍‌କୁ ବାତିଲ କରିଥିବା ଖୋଲାଖୋଲି ଭାବେ କହିଥିଲେ।

ଏପ୍ରିଲ ୨୨ରେ ସତ୍ୟପାଲ ମଲିକ ସମନ ପାଇବା ପରେ କହିଥିଲେ ଯେ ସିବିଆଇ ଦୁର୍ନୀତି ଅଭିଯୋଗରେ କିଛି ତଥ୍ୟ ଚାହୁଁଛି। କମ୍ପାନୀ ଓ ଅନ୍ୟମାନଙ୍କ ଭୂମିକା ସମ୍ପର୍କରେ ଆଜି ଶ୍ରୀ ମଲିକ ବିସ୍ତୃତ ତଥ୍ୟ ଦେଇଛନ୍ତି।

Advertisment

ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ସତ୍ୟପାଲ ମଲିକ ରିଲାଏନ୍ସ କମ୍ପାନୀର ଗୋଟିଏ ବୀମା ଡିଲ୍‌କୁ ବାତିଲ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ କରାଯିବାର ଥିଲା। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ଓ ସେବା ଭଲ ନଥିବା ଅଭିଯୋଗ କରି ଶ୍ରୀ ମଲିକ ଡିଲ୍‌ ବାତିଲ କରି ଦେଇଥିଲେ।

ଏହାପରେ ଏଫଆଇଆର ରୁଜୁ କରାଯାଇଥିଲା। ଏଥିରେ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ସହ Trinity Reinsurance Brokersକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସତ୍ୟପାଲ ମଲିକ ହିଁ ପ୍ରଥମେ ଏହି ବୀମା ଯୋଜନାରେ ଦୁର୍ନୀତି ଥିବା ଅଭିଯୋଗ କରିବା ପରେ ସିବିଆଇ ଆକ୍ସନ ମୋଡକୁ ଆସିଥିଲା।

ଏହି ଯୋଜନା ୨୦୧୮ ସେପ୍ଟେମ୍ବର ୧୮ରେ କାର୍ଯ୍ୟକାରୀ କରାଯାଇଥିଲା। ୩.୫ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେବାର ମାସକ ମଧ୍ୟରେ ଏହାକୁ ବାତିଲ କରାଯାଇଥିଲା।

ସେତେବେଳେ ସତ୍ୟପାଲ ମଲିକ କହିଥିଲେ ଯେ ବୀମା ଯୋଜନାରେ ଅନେକ ପ୍ରକାରର ଦୁର୍ନୀତି ହୋଇଥିବାରୁ କର୍ମଚାରୀମାନେ ଏହାକୁ ବାତିଲ କରିବାକୁ ଚାହୁଁଛନ୍ତି। ସେ ନିଜେ ମଧ୍ୟ ଫାଇଲକୁ ଯାଞ୍ଚ କରିବା ପରେ ଦୁର୍ନୀତିର ଗନ୍ଧ ବାରିଥିଲେ। ଏଥିପାଇଁ ସେ ଯୋଜନାକୁ ବାତିଲ କରିଥିବା କହିଥିଲେ।

ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସିବିଆଇ ସତ୍ୟପାଲ ମଲିକଙ୍କୁ ପଚରାଉଚରା କରିଥିଲା। ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ୨ଟି ଫାଇଲ କ୍ଲିୟର କରିଥିଲେ, ତାଙ୍କୁ ୩୦୦ କୋଟି ଟଙ୍କାର ଲାଞ୍ଚ ମିଳିଥାଆନ୍ତା ବୋଲି ମଧ୍ୟ ଶ୍ରୀ ମଲିକ କହିଥିଲେ।

CBI Reliance Satya Pal Malik