CBSE
Middle East War Updates: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଆସନ୍ତା ମାର୍ଚ୍ଚ ୫ ଓ ୬ ତାରିଖରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପିଲା ଦେବାକୁ ଥିବା ପରୀକ୍ଷା ଉପରେ ରୋକ ଲଗାଇ ଦେଇଛି ସିବିଏସ୍ଇ। ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ମାର୍ଚ୍ଚ ୫ ଓ ୬ରେ ହେବାକୁ ଥିବା ପରୀକ୍ଷା ପାଇଁ ଏପରି ନିୟମ ଲାଗୁ ହେବ।
ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ। ଏଥିରେ ଇରାନର ସୁପ୍ରିମ ଲିଡରଙ୍କ ମୃତ୍ୟୁ ଘଟିଛି। ଏହାପର ଠାରୁ ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଆକ୍ରମଣ କରୁଛି। ଏହାକୁ ନେଇ ମହାଯୁଦ୍ଧ ସ୍ଥିତି ଦେଖିବାକୁ ମିଳିଛି। ଯୁଦ୍ଧ ଭିତରେ ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିବିଏସଇ ପରୀକ୍ଷା ଉପରେ ରୋକ ଲଗାଇଛି।
ସିବିଏସଇର କହିବା କଥା ଯେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ସମୀକ୍ଷା କରିବା ପରେ ଶିକ୍ଷାର୍ଥୀ ଓ ପରୀକ୍ଷା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମାର୍ଚ୍ଚ ୫ ଓ ମାର୍ଚ୍ଚ ୬ରେ ହେବାକୁ ଥିବା ପରୀକ୍ଷା ଉପରେ ରୋକ ଲଗାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଥିବା ପିଲାମାନଙ୍କୁ ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ସମ୍ପର୍କରେ ଅବଗତ କରାଯିବ।
ବାହାରିନ, ଇରାନ, କୁଏତ, ଓମାନ, ସାଉଦି ଆରବ ଓ ୟୁଏଇର ଶିକ୍ଷାର୍ଥୀଙ୍କ ପରୀକ୍ଷା ତାରିଖ ଉପରେ ରୋକ ଲାଗିଥିବା ସିବିଏସ୍ଇ କହିଛି। ଏହାପୂର୍ବରୁ ସିବିଏସ୍ଇ ମାର୍ଚ୍ଚ ୨ରେ ହେବାକୁ ଥିବା ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏହାପରେ ସ୍ଥିତି ମାର୍ଚ୍ଚ ୩ରେ ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ହେଲେ ଏବେ ପୁଣି ୨ଟି ବିଷୟର ପରୀକ୍ଷାକୁ ସ୍ଥଗିତ କରାଯାଇଛି।
ଏବେ ମଧ୍ୟପ୍ରାଚ୍ୟ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିବା ବେଳେ ଆଗକୁ ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଇରାନ ଗୋଟିଏ ପରେ ଗୋଟିଏ ଗଲ୍ଫ ରାଷ୍ଟ୍ର ଉପରେ ଆକ୍ରମଣ କରୁଥିବାରୁ ସେମାନେ ମଧ୍ୟ ପ୍ରତିଶୋଧ ପାଇଁ ଚେଷ୍ଟା କରିପାରନ୍ତି। ଏପରି ହେଲେ ଇରାନ ପୁଣି ଏହାର ଜବାବ ଦେବ। ତେଣୁ ସ୍ଥିତି ଆହୁରି ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଇସ୍ରାଏଲ ଆଜି ଇରାନ ଉପରେ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି। ତେହରାନ ଠାରୁ ୮୦୦ କିମି ଦୂରରେ ଥିବା କେରମାନ ଏୟାର ବେସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ବ୍ୟାପକ କ୍ଷୟକ୍ଷତି କରିଛି।
ଏଥିରେ ୧୩ ଜଣ ଇରାନୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଥିସହ ଏକାଧିକ ଇରାନ ହେଲିକପ୍ଟର ମଧ୍ୟ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/cbse-2026-03-03-15-12-35.jpg)