Advertisment

ରାଜରାସ୍ତାରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ୍‌ କଲେ IAS-IPS ଅଫିସର, ଏବେ ହେଲେ ନିଲମ୍ବିତ

ରବିବାର ରାତିରେ ପୂରା ଘଟଣା ଘଟିଥିଲା। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି। ଭିଡିଓ ଅନୁସାରେ ଦୁଇ ପକ୍ଷରୁ ଲୋକ ପରସ୍ପରକୁ ଠେଲାପେଲା କରୁଥିବା ବେଳେ ଟେକା ପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି।

author-image
Hemant Lenka
Rajasthan

Rajasthan

ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।

Advertisment

ରବିବାର ରାତିରେ ପୂରା ଘଟଣା ଘଟିଥିଲା। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି। ଭିଡିଓ ଅନୁସାରେ ଦୁଇ ପକ୍ଷରୁ ଲୋକ ପରସ୍ପରକୁ ଠେଲାପେଲା କରୁଥିବା ବେଳେ ଟେକା ପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ଆଜେମର ବିକାଶ ପ୍ରାଧିକରଣ କମିଶର ଭାବେ କାର୍ଯ୍ୟ କରୁଥିବା ଆଇଏଏସ, ଆଇପିଏସ ଅଫିସର ସୁଶୀଲ କୁମାର ବିଷ୍ଣୋଇ, ଜଣେ କନଷ୍ଟେବଲ ଓ ଆଉ ୨ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ଥାନ ପୁଲିସ ଘଟଣା ବିସ୍ତୃତ ତଦନ୍ତ ମଧ୍ୟ ଆରମ୍ଭ କରିଛି। ୫ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ପୁଲିସ୍‌ ଲାଇନ୍ସକୁ ବଦଳି କରାଯାଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସମସ୍ତ ସରକାରୀ ବାବୁମାନେ ଆଇପିଏସ ଅଫିସରଙ୍କ ନୂଆ ପୋଷ୍ଟିଂର ସେଲିବ୍ରେସନ ପାର୍ଟିକୁ ଯାଇଥିଲେ। ସେଠାରୁ ସମସ୍ତେ ଫେରିବା ବେଳେ ୱାଶରୁମ ବ୍ୟବହାର କରିବାକୁ ଗୋଟିଏ ରେଷ୍ଟୁରାଣ୍ଟ ପାଖରେ ଅଟକି ଥିଲେ। ରାତି ଅଧିକ ହୋଇଥିବାରୁ ରେଷ୍ଟୁରାଣ୍ଟ ବନ୍ଦ ହୋଇ ଯାଇଥିଲା।

କିନ୍ତୁ ସରକାରୀବାବୁମାନେ ନିଜ ପଦର ବ୍ୟବହାର କରି ରେଷ୍ଟୁରାଣ୍ଟ ଖୋଲିବାକୁ ଚାପ ପ୍ରୟୋଗ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା। ଗୋଟିଏ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଆଇପିଏସ ଅଫିସର ଜଣଙ୍କ ପ୍ରଥମେ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ବାହାରେ ବୁଲୁଥିବାରୁ ଚାପୁଡ଼ା ମାରିଥିଲେ। ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ଆଇପିଏସ୍‌ ଅଧିକାରୀ ଜଣଙ୍କ ସେଠାରୁ ଚାଲି ଯାଇଥିଲେ।

ଏହାର କିଛି ସମୟ ପରେ ଆଇପିଏସ ଅଧିକାରୀ ଜଣଙ୍କ ତାଙ୍କର କିଛି କର୍ମଚାରୀଙ୍କୁ ନେଇ ପୁଣି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହାପରେ ସେଠାରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିଯୋଗକ୍ରମରେ ପୁଲିସ୍‌ ୫ ଜଣଙ୍କ ନାଁରେ ମାମଲା କରିଛି। ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କୁ ପୁଲିସ ଲାଇନ୍ସକୁ ବଦଳି କରାଯାଇଛି।

ରାଜସ୍ଥାନ ପୁଲିସ୍‌ ମୁଖ୍ୟ ଉମେଶ ମିଶ୍ରା କହିଛନ୍ତି, ଘଟଣାର ତଦନ୍ତ ଭିଜିଲାନ୍ସ ବିଭାଗ କରୁଛି। ‌ଉଚ୍ଚ ଅଧିକାରୀ ପୂରା ଘଟଣା ଉପରେ ନଜର ରଖିଛନ୍ତି। ତେବେ ଆଇପିଏସ ଅଫିସର ବିଷ୍ଣୋଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Rajasthan Ias