ଜେଲ ଭିତରେ କେମିତି ଟିଲୁକୁ ୧୦୦ ଥର ଭୁଷା ଯାଇଥିଲା ଧାରୁଆ ଅସ୍ତ୍ର, ଆସିଲା ସିସିଟିଭି ଫୁଟେଜ

ତା’ ଦେହରେ ପ୍ରାୟ ୧୦୦ଟି କ୍ଷତି ଚିହ୍ନ ରହିଥିଲା। ଏବେ ଏହି କ୍ଷତ ଚିହ୍ନ କେମିତି ହୋଇଥିଲା ଓ ତାକୁ କେମିତି ତଳେ ପକାଇ ଅତ୍ୟନ୍ତ ନିର୍ମମ ଭାବେ ଧାରୁଆ ଅସ୍ତ୍ର ଭୁଷି ବିରୋଧୀ ଗୋଷ୍ଠୀର କିଛି ଜଣ ଆକ୍ରମଣ କରିଥିଲେ, ସେକଥା ସାମ୍ନାକୁ ଆସିଛି।

ଘଟଣା ବେଳର ସିସିଟିଭି ଫୁଟେଜ

  • Published: Thursday, 04 May 2023
  • , Updated: 04 May 2023, 08:50 PM IST

ସାମ୍ନାକୁ ଆସିଛି ତିହାର ଜେଲ ଭିତରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ। ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟାକୁ ତା’ ବିରୋଧୀ ଗୋଷ୍ଠୀର କିଛି ଜଣ ସଦସ୍ୟ କେମିତି ୧୦୦ ଥର ଧାରୁଆ ଅସ୍ତ୍ର ଭୁ‌ଷି ହତ୍ୟା କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମେ’ ୨ ତାରିଖରେ ଟିଲୁର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା।

ତା’ ଦେହରେ ପ୍ରାୟ ୧୦୦ଟି କ୍ଷତି ଚିହ୍ନ ରହିଥିଲା। ଏବେ ଏହି କ୍ଷତ ଚିହ୍ନ କେମିତି ହୋଇଥିଲା ଓ ତାକୁ କେମିତି ତଳେ ପକାଇ ଅତ୍ୟନ୍ତ ନିର୍ମମ ଭାବେ ଧାରୁଆ ଅସ୍ତ୍ର ଭୁଷି ବିରୋଧୀ ଗୋଷ୍ଠୀର କିଛି ଜଣ ଆକ୍ରମଣ କରିଥିଲେ, ସେକଥା ସାମ୍ନାକୁ ଆସିଛି।

ସିସିଟିଭି ଫୁଟେଜ ଅନୁଯାୟୀ, ଟିଲକୁ ୩ ଜଣ ବ୍ୟକ୍ତି ଆକ୍ରମଣ କରିବା ସହ ତା’ ବେକ, ମୁଣ୍ଡ, ମୁହଁ, ପିଠି ଓ କାନ୍ଧକୁ ବାରମ୍ବାର ଧାରୁଆ ଅସ୍ତ୍ର ଭୁଷି ଚାଲିଛନ୍ତି। ଟିଲୁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ମିଳିତ ଆକ୍ରମଣ ଯୋଗୁ ଖସିବାକୁ ସକ୍ଷମ ହୋଇ ନଥିଲା। ସେ ନିସ୍ତେଜ ହୋଇ ତଳେ ପଡ଼ିବା ଯାଏ ତାକୁ ଧାରୁଆ ଅସ୍ତ୍ରରେ ବିରୋଧୀ ଗ୍ୟାଙ୍ଗର ସଦସ୍ୟମାନେ ଆକ୍ରମଣ କରି ଚାଲିଥିଲେ।

ସେମାନେ ଟିଲୁକୁ ତା’ ସେଲ୍‌ରୁ ଘୋଷାଡ଼ି ଆଣି ଏପରି ହତ୍ୟା କରିଛନ୍ତି। ଟିଲୁକୁ ବଞ୍ଚାଇବାକୁ ପାଇଁ ତା’ର ଜଣେ ସହଯୋଗୀ ଚେଷ୍ଟା କରିଥିଲେ ମଧ୍ୟ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ପୁଲିସ୍‌ କହିଛି ଯେ ଗୋଗି ଗ୍ୟାଙ୍ଗର ସଦସ୍ୟମାନେ ଏପରି କରିଛନ୍ତି। ଆକ୍ରମଣକାରୀମାନେ ତିହାର ଜେଲର ଗୋଟିଏ ଫ୍ଲୋରରେ ରହୁଥିବା ବେଳେ ଟିଲୁ ଆଉ ଏକ ସ୍ଥାନରେ ରହୁଥିଲା। କିନ୍ତୁ ଘଟଣା ଦିନ ସେମାନେ ଉପର ଫ୍ଲୋରରୁ କାନ୍ଥ ଡେଇଁ ଟିଲୁ ରହୁଥିବା ସେଲ୍‌ ପାଖରେ ପହଞ୍ଚିଥିଲେ। ଏହାପରେ ମିଳିତ ଭାବେ ଆକ୍ରମଣ କରିଥିଲେ। ଉପର ଫ୍ଲୋରରୁ ୨ ଜଣ ଆକ୍ରମଣକାରୀ ବେଡ୍‌ଶିଟ୍‌ ଦ୍ୱାରା ଟିଲୁ ରହୁଥିବା ସେଲ ପାଖକୁ ଆସୁଥିବା ଭିଡିଓରୁ ଜଣାପଡ଼ିଛି।

୨୦୨୧ରେ ଜିତେନ୍ଦ୍ର ଗୋଗିକୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଟିଲୁକୁ ତିହାର ଜେଲ ଭିତରେ ହତ୍ୟା କରାଯାଇଛି। ତାଜପୂରିୟା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଓକିଲ ବେଶରେ ଦିଲ୍ଲୀର ରୋହିଣୀ କୋର୍ଟରେ ପହଞ୍ଚିଥିଲେ। ଏହାପରେ ସେମାନେ କୋର୍ଟ ଭିତରେ ଗୋଗିକୁ ଗୁଳି କରି ଥିଲେ। ଉଭୟ ଆକ୍ରମଣକାରୀ ସେତେବେଳେ ପୁଲିସ୍‌ର ପାଲଟା ଆକ୍ରମଣରେ ପ୍ରାଣ ହରାଇଥିଲେ।

ଗୋଗି ହତ୍ୟାକାଣ୍ଡ ପଛରେ ଟିଲୁ ଥିବା ଜଣାପଡ଼ିଥିଲା। ତେଣୁ ତାକୁ ମଧ୍ୟ ହତ୍ୟା କରାଯାଇଛି। ଟିଲୁ ଦିଲ୍ଲୀର ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗର ମୁଖ୍ୟ ଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ସହିତ ତା’ର ପଡ଼ୁ ନଥିଲା। ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ୨୦୨୧ ସେପ୍ଟେମ୍ବର ୨୪ ତାରିଖରେ ଟିଲୁର ଦୁଇ ଜଣ ସହଯୋଗୀ ଦିଲ୍ଲୀର ରୋହିଣୀ କୋର୍ଟରେ କୋର୍ଟରୁମ ଭିତରେ ଜିତେନ୍ଦ୍ର ଗୋଗିକୁ ଗୁଳି କରି ହତ୍ୟା କରି ଦେଇଥିଲେ।

ପୁଲିସ ଗୁଳିରେ ସେମାନେ ବି ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ପ୍ରମୁଖ ଷଡ଼ଯନ୍ତ୍ରକାରୀ ଥିଲା ଟିଲୁ। ଯଦିଓ ସେ ସେତେବେଳେ ଅନ୍ୟ ଏକ ମାମଲାରେ ଜେଲରେ ଥିଲା, ତେବେ ତା’ ନିର୍ଦ୍ଦେଶରେ ଜିତେନ୍ଦ୍ର ଗୋଗିକୁ ହତ୍ୟା କରାଯାଇଥିଲା। ସେ ଫୋନ୍ କରି ଗୋଗିକୁ ମାରିବାକୁ କହିଥିଲା।

ଗୋଗି ଓ ଟିଲୁ ଗ୍ୟାଙ୍ଗ ମଧ୍ୟରେ ୧୦ ବର୍ଷ ଧରି ଶତ୍ରୁତା ଲାଗି ରହିଥିଲା। ଆଉ ସେହି ୧୦ ବର୍ଷ ଭିତରେ ଏହି ଦୁଇ ଗ୍ୟାଙ୍ଗର ସଂଘର୍ଷରେ ୨୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏହି ଦୁଇ ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ଟଙ୍କା ନେଇ ହତ୍ୟା କରିବା, ଧମକଚମକ ଦେଇ ଟଙ୍କା ଆଦାୟ କରିବା ଓ ଚୋରି ଆଦି ମାମଲାରେ ଗିରଫ କରାଯାଇଛି।

Related story