Advertisment

ରାହୁଲଙ୍କ ଉପରେ ବର୍ଷିଲେ ନିର୍ବାଚନ କମିଶନ: କହିଲେ- ୭ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରନ୍ତୁ ନହେଲେ, କ୍ଷମା ମାଗନ୍ତୁ; କଂଗ୍ରେସ ଦେଲା ଜବାବ

ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ପୂର୍ବରୁ ବିହାରର ସାସାରାମରେ ‘ଭୋଟର ଅଧିକାର ଯାତ୍ରା’ର ଶୁଭାରମ୍ଭ ଅବସରରେ ରାହୁଲ ଗାନ୍ଧୀ କହିଥିଲେ , ଯେତେବେଳେ ମୁଁ ଭୋଟ ଚୋରି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କଲି ନିର୍ବାଚନ କମିଶନ ମୋତେ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। କିନ୍ତୁ ଯେତେବେଳେ ବିଜେପି ନେତାମାନେ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କଲେ ସେମାନଙ୍କୁ କୌଣସି ପ୍ରକାର ସତ୍ୟପାଠ ମଗାଗଲା ନାହିଁ।

ଅଦ୍ୟତନ ହୋଇଛି
Rahul Gandhi and Gyanesh Kumar

Rahul Gandhi and Gyanesh Kumar

Advertisment

‘ଭୋଟ୍ ଚୋରି’ ଅଭିଯୋଗ ଆଣି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କୁ ଘେରିଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ ନାଁ ନନେଇ ତାଙ୍କ ଉପରେ ବର୍ଷିଛନ୍ତି।

Advertisment

ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ ୭ ଦିନ ସମୟ ଦେଇଛନ୍ତି। ଏହି ୭ ଦିନ ମଧ୍ୟରେ ରାହୁଲ ଗାନ୍ଧୀ ‘ଭୋଟ୍ ଚୋରି’ ନେଇ ସତ୍ୟପାଠ ଦାଖଲ କରନ୍ତୁ ଅବା କ୍ଷମା ମାଗନ୍ତୁ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ ୭ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରାଯାଉ ଅବା ଦେଶକୁ କ୍ଷମା ପ୍ରାର୍ଥନା କରାଯାଉ। ଏହା ବାଦ୍‌ ତୃତୀୟ ବିକଳ୍ପ ନାହିଁ। ଯଦି ୭ ଦିନ ମଧ୍ୟରେ ଆମେ ସତ୍ୟପାଠ ନପାଉ, ତା’ହେଲେ ତା’ର ଅର୍ଥ ହେବ ଯେ ଯେଉଁ ସବୁ ଅଭିଯୋଗ ଅଣାଯାଇଥିଲା, ସେଗୁଡ଼ିକ ମିଛ।

Advertisment

ମୁଖ୍ୟ ନିର୍ବାଚନ କମିଶନର କହିଥିଲେ ଯେ ‘ଭୋଟ ଚୋରି’ ଭଳି ଭୁଲ ଶବ୍ଦର ବ୍ୟବହାର କରି ଜନତାଙ୍କୁ ଭ୍ରମିତ କରିବାର ଅସଫଳ ପ୍ରୟାସ କରାଯାଉଛି। ଏହା ଭାରତର ସମ୍ବିଧାନ ପ୍ରତି ଅପମାନ ନୁହେଁ ତ ଆଉ କ’ଣ?

ସେ କହିଥିଲେ, ଆମେ କିଛି ଦିନ ହେଲାଣି ଦେଖୁଛୁ କିଛି ମତଦାତାଙ୍କ ଫଟୋ, ସେମାନଙ୍କ ଅନୁମତି ବିନା ମିଡିଆ ସମ୍ମୁଖରେ ଉପସ୍ଥାପିତ କରାଗଲା। ସେମାନଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଅଣାଗଲା। ସେମାନଙ୍କୁ ବ୍ୟବହାର କରାଗଲା। ଆପଣଙ୍କ (ଭୋଟରଙ୍କ ଉଦ୍ଦେଶ୍ୟରେ) ମା’, ବୋହୂ, ଝିଅ ସହିତ କୌଣସି ମତଦାତାଙ୍କ ସିସିଟିଭି ଭିଡିଓକୁ ନିର୍ବାଚନ କମିଶନ ସାର୍ବାଜନୀନ କରିବା ଉଚିତ୍ କି? ଭୋଟର ତାଲିକାରେ ଯେଉଁମାନଙ୍କ ନାଁ ଥାଏ, ସେମାନେ ତାଙ୍କର ମନପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ୍ ଦିଅନ୍ତି। ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ୧ କୋଟିରୁ ଅଧିକ କର୍ମଚାରୀ , ୧୦ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ଓ ୨୦ ଲକ୍ଷରୁ ଅଧିକ ପ୍ରତ୍ୟାଶୀଙ୍କ ପୋଲିଂ ଏଜେଣ୍ଟ ନିର୍ବାଚନ ପାଇଁ କାର୍ଯ୍ୟ କରନ୍ତି। ଏତେ ପାରଦର୍ଶୀ ପ୍ରକ୍ରିୟାରେ ଏତେ ସବୁ ଲୋକଙ୍କ ଉପସ୍ଥିତିରେ କ’ଣ କୌଣସି ମତଦାତା ଭୋଟ୍ ଚୋରି କରିପାରିବେ? କିଛି ମତଦାତା ଦୁଇ ଥର ଭୋଟ୍ ଦେଇଥିବା ଅଭିଯୋଗ କରାଯାଉଛି। କିନ୍ତୁ ପ୍ରମାଣ ମାଗିବାରୁ ଜବାବ ମିଳିଲା ନାହିଁ। ଏଭଳି ମିଛ ଅଭିଯୋଗରେ ନିର୍ବାଚନ କମିଶନ ଓ ମତଦାତା ଡରନ୍ତି ନାହିଁ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ, ଯେତେବେଳେ ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ଭୋଟରଙ୍କୁ ନିଶାନା କରି ରାଜନୀତି କରାଯାଉଛି, ନିର୍ବାଚନ କମିଶନ ସମସ୍ତଙ୍କୁ ସ୍ପଷ୍ଟ କରିଦେବାକୁ ଚାହାନ୍ତି ଯେ ନିର୍ବାଚନ କମିଶନ ନିର୍ଭୟର ସହିତ ଗରିବ, ଧନୀ, ବୟସ୍କ, ମହିଳା, ଯୁବା ସହିତ ସବୁ ବର୍ଗ ଓ ସବୁ ଧର୍ମର ମତଦାତାଙ୍କ ସହିତ କୌଣସି ଭେଦଭାବ ନରଖି ଚଟାଣ ଭଳି ଛିଡ଼ା ହୋଇଥିଲେ, ଛିଡ଼ା ହୋଇଛନ୍ତି ଓ ଛିଡ଼ା ହୋଇଥିବେ।

ସେ କହିଥିଲେ, ଆଇନ ଅନୁଯାୟୀ ସବୁ ରାଜନୀତିକ ଦଳର ଜନ୍ମ ନିର୍ବାଚନ କମିଶନରେ ପଞ୍ଜୀକରଣରୁ ହଁ ହୋଇଥାଏ। ତା’ହେଲେ ନିର୍ବାଚନ କମିଶନ ସେହି ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପାତରଅନ୍ତର କିଭଳି କରିପାରିବ? ନିର୍ବାଚନ କମିଶନଙ୍କ ପାଇଁ ନା କେହି ବିପକ୍ଷ ନା କେହି ପକ୍ଷ। ନିର୍ବାଚନ କମିଶନଙ୍କ ପାଇଁ ସମସ୍ତେ ସମାନ। ନିର୍ବାଚନ କମିଶନ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟରୁ କେବେ ବି ପଛଘୁଞ୍ଚା ଦେବେ ନାହିଁ। ଗତ ଦୁଇ ଦଶନ୍ଧି ଧରି ପ୍ରାୟ ସବୁ ରାଜନୀତିକ ଦଳ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ଦାବି କରି ଆସୁଛନ୍ତି। ସେମାନଙ୍କର ଏହି ଦାବିକୁ ପୂରଣ କରିବା ପାଇଁ ନିର୍ବାଚନ କମିଶନ SIR (Special Intensive Revision)ର ପ୍ରାରମ୍ଭ ବିହାରରୁ କରିଛନ୍ତି। SIR ପ୍ରକ୍ରିୟାରେ ସମସ୍ତ ଭୋଟର, ବୁଥ୍ ସ୍ତରୀୟ ଅଧିକାରୀ ଓ ସମସ୍ତ ରାଜନୀତିକ ଦଳ ଦ୍ୱାରା ମନୋନୀତ ୧.୬ ଲକ୍ଷ ବିଏଲ୍‌ଓ ମିଶି ଏକ ପ୍ରାଥମିକ ସୂଚୀ ପ୍ରସ୍ତୁତ କରିଛନ୍ତି। ଯେତେବେଳେ ପ୍ରତି ବୁଥ୍‌ରେ ଏହି ପ୍ରାଥମିକ ସୂଚୀ ପ୍ରସ୍ତୁତ କରାଯାଉଥିଲା, ସବୁ ରାଜନୀତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟମାନେ ସେଥିରେ ହସ୍ତାକ୍ଷର କରିଥିଲେ। ଏହି ପ୍ରାଥମିକ ସୂଚୀରୁ ତ୍ରୁଟିଗୁଡ଼ିକୁ ହଟାଇବା ପାଇଁ ପୁଣି ଥରେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସମସ୍ତ ଭୋଟର ଓ ରାଜନୀତିକ ଦଳ ନିଜ ନିଜର ବହୁମୂଲ୍ୟ ସମୟ ଦେଇ ସହଯୋଗ କରୁଛନ୍ତି। ଯେଉଁ ଦାବି ଓ ଅଭିଯୋଗ ଆସିଛି, ତା’ର ସମାଧାନ ପାଇଁ ବା ତ୍ରୁଟିଗୁଡ଼ିକୁ ହଟାଇବା ପାଇଁ ୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏବେ ବି ଏହି କାର୍ଯ୍ୟ ପାଇଁ ୧୫ ଦିନ ସମୟ ଅଛି। ନିର୍ବାଚନ କମିଶନ ସମସ୍ତ ରାଜନୀତିକ ଦଳ, ସେମାନଙ୍କ ଦ୍ୱାରା ଚୟନ ହୋଇଥିବା ବୁଥ୍‌ ସ୍ତରୀୟ ଏଜେଣ୍ଟ, ଜାତୀୟ ଓ ରାଜ୍ୟ ସ୍ତରୀୟ ରାଜନୀତିକ ଦଳଗୁଡ଼ିକୁ ଆହ୍ୱାନ କରୁଛନ୍ତି ଯେ ଆସନ୍ତା ୧୫ ଦିନରେ ପ୍ରାଥମିକ ସୂଚୀରେ ଯଦି କିଛି ତ୍ରୁଟି ରହିଛି, ତା’ହେଲେ ତାହାକୁ ପ୍ରଦତ୍ତ ଫର୍ମ ଯୋଗେ ନିର୍ବାଚନ କମିଶନଙ୍କ ନିକଟରେ ଜମା କରନ୍ତୁ। ନିର୍ବାଚନ କମିଶନଙ୍କ ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ସମାନ ରୂପରେ ଖୋଲା ରହିଛି। ତୃଣମୂଳ ସ୍ତରରେ ସମସ୍ତ ଭୋଟର, ସମସ୍ତ ରାଜନୀତିକ ଦଳ ଓ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ଏକ ଗମ୍ଭୀର ଚିନ୍ତାଜନକ ବିଷୟ ଯେ ରାଜନୀତିକ ଦଳଗୁଡ଼ିକର ଜିଲ୍ଲା ଅଧ୍ୟକ୍ଷ ଓ ସେମାନଙ୍କ ଦ୍ୱାରା ମନୋନୀତ ବିଏଲ୍‌ଓଙ୍କ ଦସ୍ତଖତଯୁକ୍ତ ଦସ୍ତାବେଜ୍, ଟେଷ୍ଟିମୋନିଆଲ, ସେମାନଙ୍କ ସ୍ୱର ସେମାନଙ୍କ ନିଜ ନିଜର ରାଜ୍ୟସ୍ତରୀୟ ବା ଜାତୀୟସ୍ତରୀୟ ନେତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ ଅବା ତୃଣମୂଳ ସ୍ତରର ସତ୍ୟକୁ ନଜରଅନ୍ଦାଜ କରି ଭ୍ରମ ପ୍ରଚାର କରିବାକୁ ପ୍ରୟାସ କରାଯାଉଛି। ସତ୍ୟ ଏହା ଯେ ପାଦରେ ପାଦ ମିଶାଇ ସମସ୍ତ ଷ୍ଟେକହୋଲଡର ବିହାରର ଏସ୍‌ଆଇଆରକୁ ସଂପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେମାନେ ଏଥିପାଇଁ ପ୍ରୟାସ ଓ କଠିନ ପରିଶ୍ରମ କରୁଛନ୍ତି।

ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କ’ଣ କହିଥିଲେ ରାହୁଲ

ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ପୂର୍ବରୁ ବିହାରର ସାସାରାମରେ ‘ଭୋଟର ଅଧିକାର ଯାତ୍ରା’ର ଶୁଭାରମ୍ଭ ଅବସରରେ ରାହୁଲ ଗାନ୍ଧୀ କହିଥିଲେ , ଯେତେବେଳେ ମୁଁ ଭୋଟ ଚୋରି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କଲି ନିର୍ବାଚନ କମିଶନ ମୋତେ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। କିନ୍ତୁ ଯେତେବେଳେ ବିଜେପି ନେତାମାନେ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କଲେ ସେମାନଙ୍କୁ କୌଣସି ପ୍ରକାର ସତ୍ୟପାଠ ମଗାଗଲା ନାହିଁ। କମିଶନ ମୋତେ କହିଥିଲେ ଯେ ତୁମର ତଥ୍ୟ ଠିକ୍‌ ଅଛି ବୋଲି ଦର୍ଶାଇ ସତ୍ୟପାଠ ଦାଖଲ କର। ସେ ତଥ୍ୟ ନିର୍ବାଚନ କମିଶନଙ୍କର। ତା’ ହେଲେ ମୋତେ କାହିଁକି ସତ୍ୟପାଠ ଦାଖଲ କରିବାକୁ କୁହାଗଲା?

ସୂଚନାଯୋଗ୍ୟ, ନିବାଚନୀ ଅନିୟମିତତା ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ନିର୍ବାଚନ ମୁହାଁ ବିହାରରେ ଆଜିଠାରୁ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ ହୋଇଛି। ୨୦ରୁ ଅଧିକ ଜିଲ୍ଲାରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଆଜି ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବ ଉପସ୍ଥିତ ରହିଥିଲେ।

କଂଗ୍ରେସ ଦେଲା କଡ଼ା ଜବାବ

ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କର ଦୁଇ ନିର୍ବାଚନ କମିଶନର କହିଛନ୍ତି ଯେ ସେମାନେ ସରକାରୀ ଦଳ ଓ ବିରୋଧୀ ଦଳ ମଧ୍ୟରେ କୌଣସି ଫରକ କରନ୍ତି ନାହିଁ। କିନ୍ତୁ ଯଥେଷ୍ଟ ପ୍ରମାଣ ଏହାର ବିରୋଧରେ ଯାଉଛି। ଏଭଳି ବୟାନ ହାସ୍ୟାସ୍ପଦ। ରାହୁଲ ଗାନ୍ଧୀ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ, ମୁଖ୍ୟ ନିର୍ବାଚନ କମିଶନର ସେଗୁଡ଼ିକରୁ ଗୋଟିଏର ବି ଜବାବ ଦେଲେ ନାହିଁ। ମୁଖ୍ୟ ନିର୍ବାଚନ କମିଶନର ରାହୁଲ ଗାନ୍ଧୀଙ୍କୁ ଯେଉଁ ଚେତାବନୀ ଦେଇଛନ୍ତି, ତା’ ଉପରେ ଏତିକି କୁହାଯାଇପାରେ ଯେ ଲୋକସଭାର ବିରୋଧୀ ଦଳ ନେତା ଯେଉଁ ତଥ୍ୟକୁ ଉପସ୍ଥାପନ କରିଥିଲେ, ଯାହା ନିର୍ବାଚନ କମିଶନଙ୍କ ନିଜସ୍ୱ ତଥ୍ୟ। ଏବେ କେବଳ ନିର୍ବାଚନ କମିଶନଙ୍କ ଅପାରଗତା ନୁହେଁ, ପକ୍ଷପାତିତା ବି ପଦାରେ ପଡ଼ିଯାଇଛି।

ଶ୍ରୀ ରମେଶ ଆହୁରି ଲେଖିଛନ୍ତି, ଆଜି ଏପରି ଏକ ସମୟରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ଯେତେବେଳେ କି ତିନି ଦିନ ତଳେ ସୁପ୍ରିମକୋର୍ଟ ତାଙ୍କର ସମସ୍ତ ଦଲିଲକୁ ଖାରଜ କରି ବିହାରରେ ଏସ୍‌ଆଇଆର ବେଳେ ଭୋଟ୍‌ର ତାଲିକାରୁ କଟିଥିବା ୬୫ ଲକ୍ଷ ଭୋଟରଙ୍କ ସୂଚୀ ପ୍ରକାଶ କରିବା ପାଇଁ ଆଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ ଏହି ଭୋଟରଙ୍କ ସବିଶେଷ ତଥ୍ୟ ଯେପରି ସହଜରେ ମିଳିପାରିବ, ସେହି ପ୍ରକାର ଫର୍ମାଟ୍ ଉପଲବ୍ଧ କରାଯାଉ। ଏହା ସହିତ ଆଧାରକୁ ଭୋଟର ପରିଚୟ ପତ୍ରର ପ୍ରମାଣ ରୂପେ ମାନ୍ୟତା ଦେଇଥିଲେ। ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ଏହି ସବୁ ନିର୍ଦ୍ଦେଶକୁ ବିରୋଧ କରିଥିଲେ।

ସେହିଭଳି କଂଗ୍ରେସ ନେତା ପବନ ଖେରା ତାଙ୍କ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଆଜି ଦେଶ ଜାଣିଲା ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ନାଁ ଜ୍ଞାନେଶ କୁମାର। ସେ ସାମ୍ନାକୁ ଆସିଲେ। କିନ୍ତୁ ଯେତେବେଳେ ସେ ମୁହଁ ଖୋଲିଲେ, ଜଣାପଡ଼ିଲା ଯେ ସ୍କ୍ରିପ୍ଟ ସମାନ, ଯାହା ଅନୁରାଗ ଠାକରୁ ଓ ସମ୍ବିତ ପାତ୍ର ପଢୁଥିଲେ। ସ୍କ୍ରିପ୍ଟ ବିଜେପିର। ରାହୁଲ ଗାନ୍ଧୀ ଯେଉଁ ପ୍ରମାଣ ଦେଇଥିଲେ, ତାହା ନିର୍ବାଚନ କମିଶନଙ୍କଠାରୁ ହିଁ ମିଳିଥିଲା। ଆମକୁ ୬ ମାସ ପରିଶ୍ରମ କରିବାକୁ ପଡ଼ିଥିଲା। କିନ୍ତୁ ନିର୍ବାଚନ କମିଶନର ମହାଦେବପୁର ବିଧାନସଭା ଆସନର ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଲେ ନାହିଁ। ଏସ୍‌ଆଇଆରକୁ ନେଇ ଆମେ ବହୁତ ପ୍ରଶ୍ନ କରିଥିଲୁ। ଅନେକ ଆଶଙ୍କା ପ୍ରକାଶ କରିଥିଲୁ। ଏମିତିକି ସର୍ବୋଚ୍ଚ ନ୍ୟାୟାଳୟକୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ରାହୁଲ ଗାନ୍ଧୀଙ୍କ ସହିତ ଚା’ପିଇଥିବା ଲୋକଙ୍କୁ ବି ଆପଣ ମୃତ ଘୋଷଣା କରି ଦେଇଥିଲେ। ତଥାପି ଆପଣଙ୍କୁ ଲାଜ ଲାଗିଲା ନାହିଁ। ଆମେ ଭାବୁଥିଲୁ ସାମ୍ବାଦିକ ସମ୍ମିଳନୀରେ ଆପଣ କ୍ଷମା ପ୍ରାର୍ଥନା କରିବେ। କିନ୍ତୁ ଆପଣ କ୍ଷମା ମାଗିଲେ ନାହିଁ। ଆପଣ କହୁଛନ୍ତି ସିସିଟିଭି ଫୁଟେଜ ଜାରି କରିଦେଲେ ମା’,ଭଉଣୀଙ୍କ ସମ୍ମାନହାନି ହେବ। ଏ କି ପ୍ରକାର ଯୁକ୍ତି କରୁଛନ୍ତି ଆପଣ? ସିସିଟିଭି ଫୁଟେଜ ଡିଲିଟ୍ କରି ଆପଣ ନିର୍ବାଚନ କମିଶନ, ଲୋକତନ୍ତ୍ର ଓ ନିର୍ବାଚନର ସମ୍ମାନହାନି କରୁଛନ୍ତି। ସିସିଟିଭି ଯଦି ପ୍ରାଇଭେସିକୁ ନଷ୍ଟ କରୁଛି, ତା’ହେଲେ ସେଗୁଡ଼ିକୁ ଲଗାଉଛନ୍ତି କାହିଁକି? ଆପଣ କହୁଛନ୍ତି ସରକାରୀ ଦଳ ଓ ବିରୋଧୀ ଦଳକୁ ଆପଣ ସମାନ ଚକ୍ଷୁରେ ଦେଖନ୍ତି। ତା’ହେଲେ ଅନୁରାଗ ଠାକୁରଙ୍କୁ ନୋଟିସ୍ କେବେ ପଠାଉଛନ୍ତି? ବିଜେପିର ଏଜେଣ୍ଟ ହେବା ପାଇଁ ଆଉ ଆପଣଙ୍କର ବୟସ ନାହିଁ। ଆପଣ ପ୍ରଶାସନିକ ଅଧିକାରୀ ରହିସାରିଛନ୍ତି। ହୁଏତ ଆପଣଙ୍କର କିଛି ଲୋଭ ଥିବ। ଅବସର ପରେ ଆଉ କିଛି ପାଇବାକୁ ଆଶା ରଖିଥିବେ। କେଉଁଠି ରାଜ୍ୟପାଳ ହୋଇଯିବେ। କିନ୍ତୁ ସେପର୍ଯ୍ୟନ୍ତ ଏ ସରକାର ରହିବ ନାହିଁ। ନିଜ ଦାୟିତ୍ୱକୁ ବୁଝନ୍ତୁ। ଆମେ କାହା କାନ୍ଧରେ ବନ୍ଧୁକ ରଖି କାହାକୁ ନିଶାନା କରୁନୁ। ନରେନ୍ଦ୍ର ମୋଦି ଆପଣଙ୍କ କାନ୍ଧରେ ବନ୍ଧୁକ ରଖି ଲୋକତନ୍ତ୍ରର ହତ୍ୟା କରୁଛନ୍ତି। ଆପଣ ଲୋକତନ୍ତ୍ରର ହତ୍ୟାରେ ସାମିଲ ହୁଅନ୍ତୁ ନାହିଁ।

Rahul Gandhi gynesh-kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe