/odisha-reporter/media/post_attachments/uploadimage/library/16_9/16_9_0/People_1749040272.jpg)
People
ଦେଶର ବହୁ ପ୍ରତିକ୍ଷୀତ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ। ସରକାରୀ ସୂତ୍ର ଆଧାରରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛନ୍ତି। ଏହି ଜନଗଣନାରେ ଜାତି ଓ ଉପଜାତି ତଥ୍ୟ ମଧ୍ୟ ରହିବ ବୋଲି ଜଣାପଡ଼ିଛି।
ତୁଷାରପାତ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ଯେପରିକି- ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ ଏବଂ ଜମ୍ମୁ ଓ କଶ୍ମୀରରେ ଟିକେ ଆଗୁଆ ଜନଗଣନା ଆରମ୍ଭ ହେବ। ୨୦୨୬ ଅକ୍ଟୋବର ମାସ ପ୍ରାରମ୍ଭରୁ ଏହି ସବୁ ଅଞ୍ଚଳଗୁଡ଼ିକରେ ଜନଗଣନା ଆରମ୍ଭ ହେବ।
ଆଗାମୀ ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ କରାଯିବ ବୋଲି କିଛି ସପ୍ତାହ ତଳେ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏବେ ଏହି ଅଗ୍ରଗତି ଦେଖାଯାଇଛି। ସାମାଜିକ ଓ ଅର୍ଥନୀତିକ ସଶକ୍ତୀକରଣ ଏବଂ ସାମଗ୍ରିକ ଜାତୀୟ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ଜାତିଭିତ୍ତିକ ଜନଗଣନା ଏକ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ କଂଗ୍ରେସ ଓ ଅନ୍ୟାନ୍ୟ ଅନେକ ଦଳ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା। ନିକଟରେ କଂଗ୍ରେସ ଶାସିତ କର୍ଣ୍ଣାଟକା ନିଜସ୍ୱ ଜାତିଭିତ୍ତିକ ଜନଗଣନା କରିଥିଲା। ତେବେ ଏହାକୁ ଭୋକ୍କାଲିଗା ଓ ଲିଙ୍ଗାୟତ ଜାତିର ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସର୍ଭେରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ।
ସାଧାରଣତଃ ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ଦେଶରେ ଶେଷ ଜନଗଣନା ୨୦୧୧ରେ ହୋଇଥିଲା। ୨୦୨୧ରେ ପୁଣି ଜନଗଣନା ହୋଇଥା’ନ୍ତା। କିନ୍ତୁ କୋଭିଡ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଦୀର୍ଘ ୧୬ ବର୍ଷ ପରେ ୨୦୨୭ରେ ଦେଶରେ ପରବର୍ତ୍ତୀ ଜନଗଣନା ହେବ ବୋଲି ସୂଚନା ମିଳିଛି।
୨୦୧୧ରେ ହୋଇଥିବା ଜନଗଣନାରୁ ଭାରତରେ ଜନସଂଖ୍ୟା ୧୨୧ କୋଟି ବୋଲି ଜଣାପଡ଼ିଥିଲା। ସେତେବେଳେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୭.୭% ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
