Advertisment

କୁସ୍ତି ମହାସଂଘକୁ ଚଳାଇବ ସ୍ୱତନ୍ତ୍ର ପ୍ୟାନେଲ

କେଉଁମାନେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବେ ଓ ବିଭିନ୍ନ ଟୁର୍ଣ୍ଣାମେଣ୍ଟ କେଉଁଠି ଅନୁଷ୍ଠିତ ହେବ, ତା’ର ନିଷ୍ପତ୍ତି କମିଟି ହିଁ ନେବ।

author-image
Hemant Lenka
Body

Body

ଭାରତୀୟ କୁସ୍ତି ସଂଘର ନବ ନିର୍ବାଚିତ ସଦସ୍ୟଙ୍କୁ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିବାଦ ବଢ଼ୁଥିବା ବେଳେ ଏବେ ଭାରତୀୟ କୁସ୍ତି ମହାସଂଘକୁ ଚଳାଇବ ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ। ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ (ଆଇଓଏ)କୁ ସ୍ୱତନ୍ତ୍ର ଅସ୍ଥାୟୀ ପ୍ୟାନେଲ ଗଠନ କରିବାକୁ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ଚିଠି ଲେଖିଛି।

Advertisment

ଚିଠିରେ କୁହାଯାଇଛି ଯେ ଅସ୍ଥାୟୀ କମିଟି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୁସ୍ତି ମହାସଂଘର ସବୁ କାମକୁ ବୁଝିବ ଓ ପରିଚାଳନା କରିବ। ଏପରି କି ଆଥଲେଟମାନଙ୍କୁ ମଧ୍ୟ ଉକ୍ତ କମିଟି ଚୟନ କରିବ। କୁସ୍ତି ମହାସଂଘର ପୂର୍ବତନ କର୍ମକର୍ତ୍ତାଙ୍କ ପ୍ରଭାବ ଓ ନିୟନ୍ତ୍ରଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବେ ସାଂଘାତିକ ରୂପ ନେଇଛି। ଏହା କୁସ୍ତି ମହାସଂଘର ନୀତି ଓ ଅଖଣ୍ଡତା ଉପରେ ପ୍ରଶ୍ନବାଚୀ ଲଗାଇଛି।

କ୍ରୀଡ଼ା ସଂଗଠନରେ ଉତ୍ତମ ନୀତି ଓ ନିୟମ ପାଇଁ ତୁରନ୍ତ ତଥା ସାମୂହିକ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ତେଣୁ ଏବେ ଆଇଓଏ କୁସ୍ତି ମହାସଂଘକୁ ଚଳାଇବା ପାଇଁ ମଧ୍ୟବର୍ତ୍ତୀ କାଳୀନ କମିଟି ଗଠନ କରୁ। ଏହାଦ୍ୱାରା ରେସଲିଂ କ୍ରୀଡ଼ାବିତମାନେ ପ୍ରଭାବିତ ହେବେ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ଚିଠିରେ କହିଛି।

Advertisment

କ୍ରୀଡ଼ା ମନ୍ତ୍ରଣାଳୟ ନବ ନିର୍ବାଚିତ କୁସ୍ତି ମହାସଂଘର ସଭାପତି ସଞ୍ଜୟ ସିଂହ ଓ ତାଙ୍କ ଟିମର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନିଲମ୍ବିତ କରିଛି। ସଞ୍ଜୟ ସିଂହ ପୂର୍ବତନ ସଭାପତି ତଥା ରେସଲରମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ। ତାଙ୍କ ଉପରେ ମଧ୍ୟ ରେସଲରମାନେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବିବାଦ ଘନେଇବାରୁ କ୍ରୀଡ଼ା ମନ୍ତ୍ରଣାଳୟ ପୂରା ମହାସଂଘକୁ ନିଲମ୍ବିତ କରି ଦେଇଛି।

ତେଣୁ ଏବେ ସଂଘକୁ ପରିଚାଳନା ପାଇଁ ଆଇଓଏ ଗୋଟିଏ ଅସ୍ଥାୟୀ କମିଟି ଗଠନ କରିବ। ଏହି କମିଟି କୁସ୍ତି ମହାସଂଘର ଦୈନନ୍ଦିନ ବ୍ୟାପାରକୁ ପରିଚାଳନା କରିବ। କେଉଁମାନେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବେ ଓ ବିଭିନ୍ନ ଟୁର୍ଣ୍ଣାମେଣ୍ଟ କେଉଁଠି ଅନୁଷ୍ଠିତ ହେବ, ତା’ର ନିଷ୍ପତ୍ତି କମିଟି ହିଁ ନେବ।

Brij Bhushan Sharan Singh Wrestling Body Chief Wrestling Federation