Advertisment

ବିଲକିସ୍‌ ବାନୋ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିବେ କେନ୍ଦ୍ର ଓ ଗୁଜରାଟ ସରକାର!

ସରକାର ବିଶେଷ ଅଧିକାର କଥା କହି ୧୧ ଜଣଙ୍କୁ ଦିଆଯାଇଥିବା କ୍ଷମା ଫାଇଲ ଉପସ୍ଥାପନ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Bilkis Bano

Bilkis Bano

ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଆଗୁଆ ଜେଲରୁ ଖଲାସ କରି ଥିବାରୁ ଏ ସଂକ୍ରାନ୍ତ ଫାଇଲ ସୁପ୍ରିମକୋର୍ଟ ମାଗିଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶକୁ କେନ୍ଦ୍ର ଓ ଗୁଜରାଟ ସରକାର ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡ଼ିଛି। ସରକାର ବିଶେଷ ଅଧିକାର କଥା କହି ୧୧ ଜଣଙ୍କୁ ଦିଆଯାଇଥିବା କ୍ଷମା ଫାଇଲ ଉପସ୍ଥାପନ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି।

Advertisment

୨୦୦୨ ଗୁଜରାଟ ଦଙ୍ଗା ବେଳେ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ଏହି ଘଟଣାର ୧୧ ଦୋଷୀଙ୍କୁ ଗୁଜରାଟ ସରକାର ଗତବର୍ଷ ଅଗଷ୍ଟ ୧୫ରେ ସ୍ୱତନ୍ତ୍ର କ୍ଷମାନୀତି ବଳରେ ଖଲାସ କରିଥିଲେ। ଏହାକୁ ବାନୋ ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଚ୍ୟାଲେଞ୍ଜ କରିଥିଲେ। ଗୁଜରାଟ ସରକାର ସମୟ ପୂର୍ବରୁ ୧୧ ଦୋଷୀଙ୍କୁ ଖଲାସ କରିଛନ୍ତି। ଏହାର ପ୍ରଭାବ ସମାଜ ଉପରେ ପଡ଼ିବାର ଆଶଙ୍କା ରହିଛି।

ସୁପ୍ରିମକୋର୍ଟ ମାର୍ଚ୍ଚ ୨୭ରେ ଏହାର ଶୁଣାଣି କରି ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦଣ୍ଡାଦେଶକୁ କ୍ଷମା କରିବା ପାଇଁ ବ୍ୟବହାର ହୋଇଥିବା ଫାଇଲକୁ ଦେଖାଇବାକୁ କହିଥିଲେ। ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାରଙ୍କୁ ସମାଲୋଚନା କରି କ୍ଷମା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଥିଲେ।

Advertisment

ଅପରାଧ ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ସରକାର ଏହା ଉପରେ ଚିନ୍ତା କରିବାର ଥିଲା। ସୁପ୍ରିମକୋର୍ଟ କହିଥିଲେ “ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଓ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା। ଆପଣ କେବେ ହେଲେ ପୀଡ଼ିତାଙ୍କ ମାମଲାକୁ କେବଳ ସାଧାରଣ ୩୦୨(ହତ୍ୟା) ଧାରା ଅନୁସାରେ ବିଚାର କରିପାରିବେ ନାହିଁ।

କମଳାକୁ ଯେମିତି ସେଓ ସହିତ ତୁଳନା କରାଯାଇ ପାରିବ ନାହିଁ, ଠିକ୍‌ ସେହିପରି ନରସଂହାରକୁ ଗୋଟିଏ ହତ୍ୟା ମାମଲା ସହ ତୁଳନା କରାଯାଇ ପାରିବ ନାହିଁ। ଅପରାଧ ସାଧାରଣତଃ ସମାଜ ଓ ସଂପ୍ରଦାୟ ବିରୋଧରେ କରାଯାଇଛି। ଅସାଧାରଣ ଘଟଣାକୁ ସାଧାରଣ ଭେବେ ବିଚାର କରାଯାଇ ପାରିବ ନାହିଁ।

ସରକାର ନିଜର ଚିନ୍ତାଧାରାକୁ ବିଚାର କରିଛନ୍ତି ଓ କ’ଣ ସବୁ ତଥ୍ୟକୁ ଆଧାର କରି କ୍ଷମା ଦିଆଯାଇଛି, ତା’ ଉପରେ ପ୍ରଶ୍ନ ଉଠିଛି। ଆଜି ବିଲକିସ୍‌ କିନ୍ତୁ ଆସନ୍ତାକାଲି ଆଉ କିଏ ହୋଇପାରନ୍ତି। ଆପଣ କିମ୍ବା ମୁଁ ହୋଇପାରନ୍ତି। ଯଦି ଆପଣ କ୍ଷମା ପ୍ରଦାନର କାରଣ ନ କହିବେ, ତା’ହେଲେ ଆମେ ଆମର ନିଷ୍ପତ୍ତି ନେବୁ।”

କ୍ଷମାନୀତିକୁ ଚ୍ୟାଲେଞ୍ଜ କରାଯାଇଥିବା ଏକାଧିକ ପିଟିସନର ଶୁଣାଣି ସୁପ୍ରିମକୋର୍ଟ ମେ’ ୨ରେ କରିବେ। ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ସବୁ ଲୋକଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ ପଠାଇ ଜବାବ ତଲବ କରିଛନ୍ତି। ହେଲେ ଏବେ କେନ୍ଦ୍ର ଓ ଗୁଜରାଟ ସରକାର ସ୍ୱାଧୀକାର କଥା କହି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

Supreme Court Gujarat Bilkis Bano