Advertisment

କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର

ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।

ଅଦ୍ୟତନ ହୋଇଛି
Manmohan Singh

Manmohan Singh

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକ ସ୍ଥଳୀ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଏକାଧିକ ଜାଗା ଚିହ୍ନଟ କରିଛନ୍ତି ସରକାର। ସେଥିରୁ ଗୋଟିଏ ଜାଗାରେ ନିର୍ମାଣ ହେବ ସ୍ମାରକ ସ୍ଥଳୀ। ତେବେ କେଉଁଠାରେ ସ୍ମାରକ ସ୍ଥଳୀ ନିର୍ମାଣ କରାଯିବ, ତାହା ଚୟନ କରିବା ପାଇଁ ସ୍ୱର୍ଗତ ମନମୋହନ ସିଂହଙ୍କ ପରିବାର ଲୋକଙ୍କ ପରାମର୍ଶ ଲୋଡ଼ିଛନ୍ତି ସରକାର।

Advertisment

ମିଳିଥିବା ସୂଚନା ଅନୁଯାୟୀ, ରାଜଘାଟ, ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ବା କିଷାନ ଘାଟରେ ପ୍ରାୟ ଏକରୁ ଦେଢ଼ ଏକର ସ୍ଥାନରେ ସ୍ମାରକ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅଧିକାରୀମାନେ ଏହି ସବୁ ସ୍ଥାନକୁ ଯାଇ ସ୍ଥିତାବସ୍ଥା ଯାଞ୍ଚ କରିସାରିଛନ୍ତି।

ସରକାରଙ୍କ ନୂଆ ନିୟମ ଅନୁସାରେ, ସ୍ମାରକ ସ୍ଥଳୀ ନିର୍ମାଣ ପାଇଁ କେବଳ ଏକ ଟ୍ରଷ୍ଟକୁ ଜାଗା ଦିଆଯାଇପାରିବ। ତେଣୁ ଏବେ ଏକ ଟ୍ରଷ୍ଟ ତିଆରି କରିବାର ଆବଶ୍ୟକତା ରହିଛି। ଟ୍ରଷ୍ଟ ଗଠନ ହେବା ପରେ ଏହା ସ୍ମାରକ ସ୍ଥଳୀ ନିର୍ମାଣ ପାଇଁ ଜାଗା ଦେବାକୁ ଆବେଦନ କରିବ। ତା’ପରେ ସ୍ମାରକ ସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ ସହିତ ଏହାର ଏକ ଚୁକ୍ତି ସ୍ୱାକ୍ଷରିତ ହେବ।

Advertisment

ଯାହା ଜଣାପଡ଼ୁଛି, ମନମୋହନ ସିଂହଙ୍କ ସ୍ମାରକ ସ୍ଥଳୀ ରାଜଘାଟ ନିକଟରେ କୌଣସି ସ୍ଥାନରେ ନିର୍ମାଣ ହେବ। ଏଠାରେ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରମୁଖଙ୍କ ସ୍ମାରକ ସ୍ଥଳୀ ରହିଛି।

ମନମୋହନ ସିଂହଙ୍କ ସ୍ମାରକ ସ୍ଥଳୀ ନିର୍ମାଣକୁ ନେଇ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ପାଇଁ କଂଗ୍ରେସ ଏକ ନିର୍ଦ୍ଦିଷ୍ଟ ସ୍ଥାନ ମାଗିଥିଲା, ଯେଉଁଠାରେ ତାଙ୍କର ସ୍ମାରକ ସ୍ଥଳୀ ମଧ୍ୟ ନିର୍ମାଣ କରାଯାଇଥା’ନ୍ତା। ତେବେ କଂଗ୍ରେସର ଏହି ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ ନୂଆଦିଲ୍ଲୀର ନିଗମବୋଧ ଘାଟରେ ଡକ୍ଟର ସିଂହଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।

Manmohan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe