ଆସନ୍ତା ବର୍ଷରୁ ଦେଶରେ ଆରମ୍ଭ ହୋଇପାରେ ଜନଗଣନା। ଦୀର୍ଘ ୪ ବର୍ଷ ପରେ ୨୦୨୫ରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ତରଫରୁ ଜନଗଣନା କରାଯିବା ସମ୍ପର୍କରେ ଏଭଳି କିଛି ବଡ଼ ତଥ୍ୟ ସାମ୍ନାକୁ ଆସିଛି।
କରୋନା ମହାମାରୀ ହେତୁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ତେବେ ଆସନ୍ତା ବର୍ଷ ୨୦୨୫ରୁ ଏହା ପୁଣି ଆରମ୍ଭ ହେବ। ୨୦୨୬ ପର୍ଯ୍ୟନ୍ତ ଏହି ଜନଗଣନା ଚାଲିବ ବୋଲି ମିଳିଥିବା ସୂତ୍ରରୁ ପ୍ରକାଶ ପାଇଛି।
ସୂଚନା ମୁତାବକ, ବର୍ତ୍ତମାନ ଜନଗଣନା ଚକ୍ର ବଦଳିଯିବା ନେଇ ଆଶଙ୍କା ରହିଛି। ଅଦ୍ୟାବଧି ପ୍ରତି ଦଶ ବର୍ଷରେ ଜନଗଣନା କରାଯାଉଥିଲା। ଉଦାହରଣ ସ୍ୱରୂପ, ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ଏବେ ୨୦୨୫ରେ ଜନଗଣନା ହେଲେ ପରବର୍ତ୍ତୀ ଜନଗଣନା ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫- ଏହି କ୍ରମରେ ହେବ।
ଜନଗଣନା ଶେଷ ହେବା ପରେ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ ଆରମ୍ଭ ହେବ। ୨୦୨୮ ସୁଦ୍ଧା ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବାର ସମ୍ଭାବନା ଅଛି। ବହୁ ବିରୋଧୀ ଦଳର ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି ରହିଛି, କିନ୍ତୁ ସରକାର ଏ ବାବଦରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଜନଗଣନା ପ୍ରକ୍ରିୟାର ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।
ଜନଗଣନାରେ ସାଧାରଣତଃ ଧର୍ମ ଏବଂ ଶ୍ରେଣୀ ପଚରାଯାଏ। ସାଧାରଣ, ଅନୁସୂଚିତ ଜାତି ଏବଂ ଜନଜାତି ଗଣନା କରାଯାଏ। ଏହା କୁହାଯାଉଛି ଯେ, ଏଥର ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ମଧ୍ୟ ପଚରା ଯାଇପାରିବ।
ପରବର୍ତ୍ତୀ ଜନଗଣନା ରାଉଣ୍ଡରେ ସାଧାରଣ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗଣନା ତଥା ଧର୍ମ ଏବଂ ସାମାଜିକ ଶ୍ରେଣୀ ଉପରେ ସର୍ଭେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି। ତଥାପି, ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ବର୍ଷର ଜନଗଣନା ସାଧାରଣ ଏବଂ ଏସସି-ଏସଟି ବର୍ଗ ମଧ୍ୟରେ ଉପ-ସମ୍ପ୍ରଦାୟକୁ ନେଇ ମଧ୍ୟ ସର୍ଭେ ହୋଇପାରେ।
ଉଦାହରଣ ସ୍ୱରୂପ, କର୍ଣ୍ଣାଟକରେ ସାଧାରଣ ବର୍ଗର ଲିଙ୍ଗାୟତମାନେ ନିଜକୁ ଏକ ପୃଥକ୍ ସମ୍ପ୍ରଦାୟ ଭାବରେ ବିବେଚନା କରନ୍ତି। ସେହିଭଳି, ଅନୁସୂଚିତ ଜାତି ମଧ୍ୟରେ ବାଲ୍ମିକୀ, ରବି ଦାସୀ ଭଳି ଭିନ୍ନ ସମ୍ପ୍ରଦାୟ ରହିଛି। ଏହାର ଅର୍ଥ ହେଉଛି ଧର୍ମ, ଶ୍ରେଣୀ ତଥା ସମ୍ପ୍ରଦାୟ ଆଧାରରେ ଜନଗଣନା ଦାବି ଉପରେ ସରକାର ବିଚାର କରୁଛନ୍ତି।